ନୂଆଦିଲ୍ଲୀ, ୧୨।୧୧ : ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଶୁକ୍ରବାର ଦିନିକିଆ ସିରିଜର ଚତୁର୍ଥ ମୁକାବିଲା ଖେଳାଯିବ । ଭାରତୀୟ ସମୟାନୁସାରେ ଏହା ୭ଟା ୩୦ରେ ଆରମ୍ଭ ହେବ । ଏହି ମୁକାବିଲା ଜିତି ସିରିଜ୍ ହାତେଇବାକୁ ଟିମ୍ ଇଣ୍ଡିଆ ଲକ୍ଷ୍ୟ ରଖିଛି । ଏହାଦ୍ୱାରା ନ୍ୟୁଜିଲାଣ୍ଡ ୨୦୧୯ ପରେ ପ୍ରଥମ ଥର ନିଜ ମାଟିରେ ସିରିଜ୍ ହାରିବାର ଅଲୋଡା ରେକର୍ଡ ହାସଲ କରିବ । କିଓ୍ୱି ଟିମ୍ ଏବେ ଲଗାତାର ୧୧ଟି ଘରୋଇ ଦିନିକିଆ ସିରିଜ୍ ହାତେଇଛି ।

ମୁକାବିଲାରେ ଭାରତୀୟ ଦଳର ନେତୃତ୍ୱ ନେବେ ଶ୍ରେୟସ ଆୟର । ନିୟମିତ ଅଧିନାୟକ ଶୁଭମନ ଗିଲ୍ ଟେଷ୍ଟ୍ ସିରିଜ୍ ପାଇଁ ଦଳରୁ ଏବେ ଅଲଗା ହୋଇଛନ୍ତି । କୋଚିଂ ଷ୍ଟାଫଙ୍କ ସମେତ କେଏଲ ରାହୁଲ ଏବଂ ଅଂଶୁଲ କମ୍ବୋଜ ମଧ୍ୟ ଟେଷ୍ଟ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ଅର୍ଥାତ ଚତୁର୍ଥ ଦିନିକିଆରେ ଶୁଭମନ, ରାହୁଲ ଏବଂ ଅଂଶୁଲ ଖେଳିବେ ନାହିଁ ।

Also Read :- ଗତ ବର୍ଷ ହୋଇଥିଲା ହଙ୍ଗାମା, ଏବେ IPL ଖେଳିବାକୁ ନିଜ ଖେଳାଳିଙ୍କୁ ଅନୁମତି ଦେଲା ବାଂଲାଦେଶ

ଗିଲଙ୍କ ଅନୁପସ୍ଥିତିରେ ଇଷାନ କିଶାନ ରୋହିତ ଶର୍ମାଙ୍କ ସହ ଓପନିଂ କରିପାରନ୍ତି । ସେହିପରି ମହମ୍ମଦ ସିରାଜଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳିପାରେ । ଋତୁରାଜ ଗାଏକଓ୍ୱାଡଙ୍କୁ କେଏଲ ରାହୁଲଙ୍କ ଜାଗାରେ ସ୍ଥାନ ମିଳିପାରେ । ସେହିପରି କୂଲଦୀପ ଯାଦବଙ୍କୁ ଦଳ ଅତିରିକ୍ତ ସ୍ପିନର ଭାବେ ଖେଳାଇପାରେ ।

ଶ୍ରେୟସ ପ୍ରଥମ ଥର ଭାରତୀୟ ଦଳର ନେତୃତ୍ୱ ନେବେ । ପ୍ରଥମ ଦୁଇଟି ମୁକାବିଲାରେ ସେ ଦ୍ରୁତ ବୋଲରଙ୍କ ବିରୋଧରେ ସଙ୍ଘର୍ଷ କରିଥିଲେ । ଚତୁର୍ଥ ମୁକାବିଲାର ବ୍ୟାଟିଂ ପିଚରେ ତାଙ୍କ ପାଖରେ ଲୟ ଫେରି ପାଇବା ନେଇ ସୁଯୋଗ ରହିଛି ।

ଅନ୍ୟ ଦିଗରେ ନ୍ୟୁଜିଲାଣ୍ଡ ଶେଷ ଦୁଇଟି ମୁକାବିଲା ଜିତିବାକୁ ରଣନୀତି ପ୍ରସ୍ତୁତ କରିଛି । ଦଳ ଟି୨୦ ସିରିଜ୍ ହାରି ସାରିଛି । ଦିନିକିଆ ସିରିଜ୍ ଜିତିବା ସମ୍ଭବ ନୁହେଁ । କାରଣ ୫ଟି ମୁକାବିଲାରୁ ଗୋଟିଏ ବାତିଲ ହୋଇଛି । ଅନ୍ୟ ଦୁଇଟିରେ ଭାରତ ବିଜୟୀ ହୋଇଛି । ସମ୍ମାନ ବଞ୍ଚାଇବା ପାଇଁ କିମ୍ବା ଡ୍ର ରଖିବାକୁ ହେଲେ ବ୍ଲାକ୍ କ୍ୟାପକୁ ବଳକା ଦୁଇଟି ମୁକାବିଲାରେ ବିଜୟ ହାସଲ କରିବାକୁ ପଡିବ ।