ପୁରୀ: କାଳିଆ ସାଆନ୍ତ, ଡାକ ଶୁଣିଲେ... ମୋ ବାପା ମାଆଙ୍କ କୋଳ ଭରିଦେଲେ... କୋଟି ଦଣ୍ଡବତ ପକାଇବାକୁ ମନାସୀ ଥିଲେ... ବାପା-ମାଆ ମାନସିକ ବି କରିଥିଲେ... ଦଣ୍ଡ ମାରି ଦଣ୍ଡବତ କରି କାଳିଆର ସେହି ସନ୍ତାନ ଆସିବ... ଭକ୍ତିରେ ସୁଝିବ ଋଣ, ବାପା ମାଆଙ୍କ ମାନସିକ । ପୁଅ ଆସିଲା ନୀଳାଚଳ... ଜଣେ କୁନି ଭକ୍ତ ବଡ଼ ଦାଣ୍ଡରେ ଦଣ୍ଡ ମାରି ମାରି ଆସୁଛନ୍ତି। ଗୁଣ୍ଡିଚା ମନ୍ଦିରରୁ ବଡ଼ ଦାଣ୍ଡ ଯାଏ। ତାକୁ ଏ ସୁନ୍ଦର ଦୁନିଆକୁ ଆଣିଥିବାରୁ ସେ କୃତଜ୍ଞତା ଓ ଭକ୍ତି ଜମାଇ ଦଣ୍ଡ ମାରି ମାରି ଚାଲିଛି। ଏ ଦୃଶ୍ୟ ପ୍ରତିଟି ମନକୁ ବେଶ୍ ଛୁଇଁଛି।

ବ୍ରହ୍ମପୁରରୁ ଶ୍ରୀମନ୍ଦିର ଆସିଛନ୍ତି ଜଣେ ଭକ୍ତ। ସାଙ୍ଗରେ ଅଛନ୍ତି ପତ୍ନୀ ଓ ଦୁଇ ପିଲା। କୁନି ପୁଅ ଦଣ୍ଡ ମାରି ମାରି ଯାଉଛି କାଳିଆ ସାଆନ୍ତଙ୍କ ପାଖକୁ। ବର୍ଷା କି ଖରା କେହି ତାକୁ ଅଟକାଇ ପାରିନି। ଏହା ପଛରେ ଅଛି କି ଏକ ସୁନ୍ଦର କାରଣ, ସପର୍ପଣର ଭାବ। ବ୍ରହ୍ମପୁରର ଆସିଥିବା ଏହି ବ୍ୟକ୍ତିଙ୍କ କହିବା ଅନୁସାରେ, ବିବାହର ୧୦ ବର୍ଷ ପର୍ଯ୍ୟନ୍ତ ତାଙ୍କର କିଛି ସନ୍ତାନ ସନ୍ତତି ହୋଇ ନଥିଲା। ସେ ମାନସିକ କରିଥିଲେ ପିଲାପିଲି ହେଲେ, ସେହି ସନ୍ତାନ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଦଣ୍ଡ ମାରି ମାରି ଯାଇ ଜଗାର ଦର୍ଶନ କରିବ। ପ୍ରଥମେ ଝିଅଟିଏ ହେଲା, ତାପରେ ପୁଅ । ଝିଅକୁ ଏବେ ୧୪ ବର୍ଷ। ବାହାଘରର ୧୮ ବର୍ଷ ପରେ ପୁଅ ଜନ୍ମ ହେଲା। ତାକୁ ଏବେ ୮ ବର୍ଷ। ମାନସିକ ପୂରଣ ହେବା ପରେ, କୁନି ପୁଅ ସହ ପୂରା ପରିବାର ସହ ଦଣ୍ଡ ପଡ଼ି ପଡ଼ି ଯାଉଛନ୍ତି ଶ୍ରୀମନ୍ଦିର ।

 Also Read- ୧୪ ବର୍ଷ ବାଳକର ସାହସିକତା, ଜଙ୍ଗଲୀ ବାରହା ସହ ଲଢ଼ିଲେ ୪୦ ମିନିଟ୍

ପ୍ରଭୁ ଧନ୍ୟ ତୁମେ, ଧନ୍ୟ ତୁମ ଲୀଳା। ତୁମ ବିନା ପତ୍ରଟେ ବି ହଲିବା କଷ୍ଟକର। ତମ ବିନା ସୃଷ୍ଟି , ଆରମ୍ଭ, ଜୀବନ ସବୁକିଛି ଅସମ୍ଭବ। ସେଥିପାଇଁ ଯାହା ହେଉଛି , ଯାହା ହେବ ସବୁ ତ ତୁମରି ଇଚ୍ଛା... କିନ୍ତୁ ଏତିକି ବି ମାନିବାକୁ ହେବ , ତୁମେ ଯେମିତି ତୁମ ଭକ୍ତ ବି ସେମିତି। ତୁମେ ତୁମ କଥା ରଖିଲ। ଭକ୍ତ ବି ତାଙ୍କ କଥା ରଖିଲେ। ସେଥିଲାଗି ତ ଭକ୍ତିମାନେ ସମର୍ପଣ।