ବାଙ୍କୀ: ବିପଦ ବେଳେ ଭୟ ନକରି ଦେଖାଇଲେ ସାହସ। ଅଳ୍ପକେ ବଞ୍ଚିଗଲା ୧୪ ବର୍ଷର ବାଳକର ଜୀବନ। ନହେଲେ ଏକ ଜଙ୍ଗଲୀ ବାରହା ହାବୁଡ଼ରୁ ହୁଏତ ତାଙ୍କୁ କେହି ରକ୍ଷା କରିପାରିନଥାନ୍ତେ। ଏଭଳି ଏକ ରୋଚକ ଖବର ଆସିଛି ବାଙ୍କୀ ଥାନା ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତରୁ। ଗୋପାଳପୁର ଗାଁର ଏହି ୧୪ ବର୍ଷର ବାଳକ କିଭଳି ଜଙ୍ଗଲୀ ବାରହା କବଳରୁ ବଞ୍ଚିବା ପାଇଁ ତାକୁ ନିଜ ହାତରେ ଜାବୁଡ଼ି ଧରିଥିଲେ ତାକୁ ନେଇ ଏବେ ବେଶ୍ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ଗୋପାଳପୁର ଗାଁର ୧୪ ବର୍ଷର ବାଳକ ସୁମନ ଘର ନିକଟସ୍ଥ ନଦୀକୁଣ୍ଡା କେନାଲକୁ ଶୌଚ ହେବାକୁ ଯିବା ସମୟରେ ଏକ ଜଙ୍ଗଲୀ ବାରହା ଆକ୍ରମଣ କରିଥିଲା। ହେଲେ ନିଜକୁ ବଞ୍ଚାଇବା ପାଇଁ ସୁମନ କେନାଲକୁ ଡେଇଁ ପଡ଼ିଥିଲେ। ସୁମନଙ୍କ ପଛରେ ହିଂସ୍ର ଜଙ୍ଗଲୀ ବାରାହା ମଧ୍ୟ ପାଣି ଡେଇଁ ସୁମନକୁ ଆକ୍ରମଣ କରିଥିଲା। ଏମିତିରେ ଆଉ କୌଣସି ଉପାୟ ନପାଇ ସୁମନ ନିଜକୁ ବଞ୍ଚାଇବା ପାଇଁ ଦେଖାଇଥିଲେ ଅଦ୍ୟମ ସାହସ। ବାରହା ସହିତ ପ୍ରାୟ ୪୦ ମିନିଟ ସଂଘର୍ଷ କରି କାବୁ କରିଥିଲେ।

Also Read: ଚିତ୍ରକୋଣ୍ଡା ଘାଟିରେ ଯାଉଥିଲା ଆମ୍ବୁଲାନ୍ସ, ବାଟ ଜଗିଲା ଘାଇଲା କୁମ୍ଭୀର ! ଭୟରେ ଗାଁ ଲୋକେ

ସେପଟେ ଖବର ପାଇ ବାଙ୍କୀ ଅଗ୍ନିଶମ ବାହିନୀର କର୍ମଚାରୀ ପହଁଞ୍ଚି ବାରହା କବଳରୁ ସୁମନକୁ ବଞ୍ଚାଇଥିଲେ। ପରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ସୁମନଙ୍କ ଚିକିତ୍ସା କରାଯାଇଥିଲା। ସୁମନ ଏବେ ଘରେ ଅଛନ୍ତି। ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର କାରଣ ପାଲଟିଛି। ସମସ୍ତେ ତାଙ୍କ ସାହସିକତାକୁ ପ୍ରଶଂସା କରୁଛନ୍ତି। ସୁମନର ସାହସିକତା ହିଁ ଆଜି ତାଙ୍କୁ ଦେଇଛି ନୂଆ ଜୀବନ।