ବ୍ରହ୍ମପୁର: ରାଜ୍ୟରେ ୭୦ ରୁ ୮୦ ପ୍ରତିଶତ ଗାଡି ପିୟୁସିସି କରିଛନ୍ତି । ଆଉ ୨୦ ପ୍ରତିଶତ ଅମାନିଆ ରହିଛନ୍ତି । ତେବେ ସରକାରଙ୍କ ନିର୍ଦ୍ଦେଶକୁ ମାନି ସହଯୋଗ କରିବାକୁ ଅନୁରୋଧ କରିଛନ୍ତି ବାଣିଜ୍ୟ ଓ ପରିବହନ ମନ୍ତ୍ରୀ । ମନ୍ତ୍ରୀ କହିଛନ୍ତି ଅବମାନନା କରିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଡେଡ୍ ଲାଇନ ମାର୍ଚ୍ଚ ମାସ ୩୧ ତାରିଖ ଦିଆଯାଇଥିଲା । ଅବଧି ସରିଲା, ଏଣିକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପ୍ରିଲ ୨ ତାରିଖଠାରୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟରେ ଆଜିଠୁ କଡ଼ାକଡ଼ି ହେବ PUCC ଯାଞ୍ଚ । ପୂର୍ବରୁ ପ୍ରଦୂଷଣ ସାର୍ଟିଫିକେଟ ଯାଞ୍ଚ ଏପ୍ରିଲ ପହିଲା ଯାଏଁ କୋହଳ ଥିବା ବେଳେ ୨ ତାରିଖରୁ ଅର୍ଥାତ ଆଜିଠାରୁ ଜୋରାଦାର ହେବ ଯାଞ୍ଚ । ପରିବହନ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଡ଼କ ସୁରକ୍ଷାକୁ ନେଇ ଜାରି ରହିଥିବା ବିଶେଷ ଅଭିଯାନକୁ ଏପ୍ରିଲ ୧୦ ଯାଏଁ ବୃଦ୍ଧି କରାଯାଇଛି । ମାର୍ଚ୍ଚ ୨୧ରୁ ଏହି ଅଭିଯାନ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୧୦ ଯାଏ ଚାଲିବ । ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ଚାଲିଥିବା ଏହି ଅଭିଯାନରେ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି ।

Also Read...Pucc Check: ସାର୍ଟିଫିକେଟ କରିଛ ତ ଭଲ, ନହେଲେ କାଲିଠୁ ଆଉ ନିସ୍ତାର ନାହିଁ

ଏହା ସହ ଅମାନିଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ ପାଇଁ ଏନଫୋର୍ସମେଣ୍ଟ ଉପରେ ଗୁରୁତ୍ୱ ଦିଆଯାଇଛି ।ପୂର୍ବରୁ ଦିଆଯାଇଥିବା ମାର୍ଚ୍ଚ ୩୧ ସମୟସୀମା ଶେଷ ହୋଇଥିବାରୁ, ଏପ୍ରିଲ ୨ ଠାରୁ ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି । ବୈଧ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା କରାଯାଉଛି ।

ସୂଚନାଯୋଗ୍ୟ ଯେ, ପରିବହନ ବିଭାଗ ଏହି ଜୋରିମାନା କମାଇବା ପାଇଁ ପ୍ରସ୍ତାବ ଦେଇଛି, କିନ୍ତୁ ବର୍ତ୍ତମାନ ପୁରୁଣା ନିୟମ ଅନୁସାରେ କାର୍ଯ୍ୟାନୁଷ୍ଠାନ ଚାଲିଛି । ପେଟ୍ରୋଲ ପମ୍ପଗୁଡ଼ିକରେ ଚଟଉଉ ଦେଖାଇବା ପରେ ହିଁ ଗାଡ଼ିରେ ତେଲ ପକାଇବା ପାଇଁ ନିର୍ଦ୍ଦେଶ ରହିଛି । ପରିବହନ ବିଭାଗ ପକ୍ଷରୁ ମାଗଣାରେ ଗ୍ରୀନ୍ ଷ୍ଟିକର୍ ଦିଆଯାଉଛି, ଯାହା ଗାଡ଼ିର କାଚରେ ଲଗାଇବାକୁ ପରାମର୍ଶ ଦିଆଯାଇଛି । ଯାଞ୍ଚ ଭୟରେ ଭୁବନେଶ୍ୱରର ବିଭିନ୍ନ ପ୍ରଦୂଷଣ ଯାଞ୍ଚ କେନ୍ଦ୍ରଗୁଡ଼ିକରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି ।