ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଚାପ ଯୋଗୁ ତୈଳ ଦର ବଢ଼ୁଥିବା ବେଳେ ଦେଶରେ ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। ଏନେଇ ଶନିବାର ଏକ ବଡ଼ ପଦକ୍ଷେପ ନିଆଯାଇଛି।ବିଦେଶକୁ ତୈଳ ରପ୍ତାନୀ ପାଇଁ ଲାଗୁଥିବା ଟ୍ୟାକ୍ସ ନିୟମରେ ପରିବର୍ତ୍ତନ କରାଯାଇଛି।

ଏବେ କମ୍ପାନୀଗୁଡ଼ିକୁ ବିଦେଶରେ ପେଟ୍ରୋଲ ବିକିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡ଼ିବ ନାହିଁ। ପୂର୍ବରୁ ଏଥିପାଇଁ କମ୍ପାନୀଗୁଡ଼ିକୁ ଲିଟର ପ୍ରତି ୨.୫୦ ଟଙ୍କା ଶୁଳ୍କ ଦେବାକୁ ପଡ଼ୁଥିଲା। ହେଲେ ସରକାର ଏବେ ଏହି ବୋଝକୁ ହାଲୁକା କରିଦେଇଛନ୍ତି। ତେବେ ଡିଜେଲ ରପ୍ତାନୀ ଓ ବିମାନ ଇନ୍ଧନ ରପ୍ତାନୀ ଉପରେ କିନ୍ତୁ ଶୁଳ୍କ ବୃଦ୍ଧି କରାଯାଇଛି।

Also Read- ରିଲାଏନ୍ସର ତ୍ରୈମାସିକ ଲାଭ ରେକର୍ଡ ୨୯,୫୫୦ କୋଟି ଟଙ୍କା, ଜିଓ ଓ ତୈଳ-ରସାୟନ ବ୍ୟବସାୟ ଦେଲା ଗତି

ଡିଜେଲ ଉପରେ ଏକ୍ସପୋର୍ଟ ଡ୍ୟୁଟି ୩ ଟଙ୍କା ଓ ବିମାନ ଉଡ଼ାଣ ପାଇଁ ଦରକାରୀ ଇନ୍ଧନ(ଏଟିଏଫ୍) ଉପରେ ୬୦ ପଇସା ବଢାଇ ଦିଆଯାଇଛି। ନୂଆ ଦର ଲାଗୁ ହେବା ଏବେ ବିଦେଶକୁ ଡିଜେଲ ରପ୍ତାନୀ କଲେ ପରେ କମ୍ପାନୀଗୁଡ଼ିକୁ ସରକାରଙ୍କୁ ୧୧.୫୦ ପଇସା ଓ ଜେଟ୍ ଫ୍ୟୁଲ ରପ୍ତାନୀ କଲେ ୧୧ ଟଙ୍କା ଟ୍ୟାକ୍ସ ଦେବାକୁ ହେବ।

ମଧ୍ୟପ୍ରାଚ୍ୟରେ ଚାଲୁଥିବା ଉତ୍ତେଜନା ସ୍ଥିତି ମଧ୍ୟରେ ଭାରତରେ ଯେମିତି ଡିଜେଲ-ପେଟ୍ରୋଲର କୌଣସି ଅଭାବ ନ ରହିବା ଏଥିପାଇଁ ସରକାର ବିଭିନ୍ନ ଦିଗରୁ କାମ ଜାରି ରଖିଛନ୍ତି। ବିଦେଶକୁ ପରେ ରପ୍ତାନୀ ହେବ ଆଗ ଦେଶର ଲୋକଙ୍କ ଆବଶ୍ୟକତା ପୂରା କରିବା ସରକାରଙ୍କର ପ୍ରମୁଖ ଲକ୍ଷ୍ୟ ରହିଛି।

ଦେଶର ପେଟ୍ରୋଲ-ଡିଜେଲ ଦର ସ୍ଥିର

ମଧ୍ୟପ୍ରଚ୍ୟରେ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ଦର ମହଙ୍ଗା ହୋଇଛି। କିନ୍ତୁ ଭାରତରେ ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ଯଦିଓ ନାୟରା ଭଳି ଘରୋଇ କମ୍ପାନୀ ଉଭୟ ତେଲରେ ୫ ଟଙ୍କା ଲେଖାଏ ବୃଦ୍ଧି କରିଛି, ତଥାପି ସରକାରୀ ନିୟନ୍ତ୍ରଣ କମ୍ପାନୀଗୁଡିକ ଦର ଏପର୍ଯ୍ୟନ୍ତ ସୁଦ୍ଧା ସ୍ଥିର ରଖିଛନ୍ତି। ରପ୍ତାନୀ ଉପରେ ଶୁଳ୍କ ବଢିବା ଦ୍ୱାରା ସାଧାରଣ ଜନତାଙ୍କ ଉପରେ ଏହାର କୌଣସି ପ୍ରବାବ ପଡ଼ିବ ନାହିଁ। ଦେଶରେ ଭିତରେ ତୈଳ ପ୍ରବାହ ଜାରି ରଖିବାକୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ମାର୍ଚ୍ଚରେ ଲାଗୁ ହୋଇଥିଲା ଏକ୍ସପୋର୍ଟ ଲେଭି ନିୟମ

ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଅନ୍ତର୍ଜାତୀ ମାର୍କେଟ୍ରେ ତୈଳ ଦର ବଢ଼ି ଯାଇଛି। ତେଣୁ ଅଧିକ ଲାଭ ପାଇଁ ଭାରତୀୟ ତୈଳ କମ୍ପାନୀଗୁଡିକ ବିଦେଶରେ ବିପୁଳ ମାତ୍ରାରେ ତେଲ ବିକିବା ଆରମ୍ଭ କରିଥିଲେ। ଏହାକୁ ରୋକିବାକୁ ସହିତ ଦେଶର ପେଟ୍ରୋଲ ଓ ଡିଜେଲର ସପ୍ଲାଏ ଜାରି ରଖିବାକୁ ସରକାର ମାର୍ଚ୍ଚ ମାସରେ ରପ୍ତାନୀ ଶୁଳ୍କ ଲଗାଇଥିଲେ।

ତେବେ ଭାରତକୁ ବର୍ତ୍ତମାନ ତୈଳ ଆମଦାନୀ କରିବାକୁ ବଡ଼ ସମସ୍ୟା ହେଉଛି। କାରଣ ପୂର୍ବରୁ ଷ୍ଟ୍ରେଟ୍ ଅଫ୍ ହରମୁଜ ଦେଇ ଦେଶର ୪୫% ପ୍ରତିଶତ ତୈଳ ଆମଦାନୀ ହେଉଥିଲା। ହେଲେ ଏହା ବନ୍ଦ ଥିବାରୁ ଭାରତ ବର୍ତ୍ତମାନ ଅନ୍ୟ ଦେଶଗୁଡ଼ିକରୁ ତୈଳ ଆମଦାନୀ କରୁଛି।