ନୂଆଦିଲ୍ଲୀ: ଭାରତ ବିଶ୍ୱରେ ସବୁଠାରୁ ଦ୍ରୁତ ଗତିରେ ଗରିବୀ ହ୍ରାସ କରିବା କ୍ଷେତ୍ରରେ ରେକର୍ଡ ହାସଲ କରିଛି। ବିଶ୍ୱ ବ୍ୟାଙ୍କର ଡାଟା ଅନୁସାରେ, ୨୦୧୧ରୁ ୨୦୨୩ ପର୍ଯ୍ୟନ୍ତ ଦେଶରେ ୪୯.୬ କୋଟି ଲୋକ ଦାରିଦ୍ର୍ୟରୁ ବାହାରିଛନ୍ତି। ଏହି ଅବଧି ମଧ୍ୟରେ ଦେଶର ଅତ୍ଯଧିକ ଦାରିଦ୍ର୍ୟ ହାର ୨୭.୧ ପ୍ରତିଶତରୁ ହ୍ରାସ ପାଇ ୨.୬ ପ୍ରତିଶତକୁ ଖସି ଆସିଛି। ଏହି ଡାଟା ଜାରି କରିବା ସହିତ ବିଶ୍ୱ ବ୍ୟାଙ୍କ କହିଛି ଭାରତ ବିଶ୍ୱର ଅନ୍ୟ ଦେଶ ତୁଳନାରେ ସବୁଠାରୁ ଦ୍ରୁତ ଗତିରେ ଗରିବୀ ହ୍ରାସ କରିବାରେ ସଫଳ ହୋଇଛି।

ରିପୋର୍ଟ ଅନୁସାରେ, ପ୍ରତିଦିନ ପ୍ରାୟ ୪୦୦(୪.୨୦ ଡଲାର) ଟଙ୍କା ଆୟ କରୁଥିବା ଲୋକଙ୍କ ସଂଖ୍ୟା ୫୭.୭ ପ୍ରତିଶତରୁ କମି ଏବେ ମାତ୍ର ୧୬.୧ ପ୍ରତିଶତକୁ ରହିଛି। ୨୦୨୮ ପର୍ଯ୍ୟନ୍ତ ଏହି ସଂଖ୍ୟା ଆହୁରି ହ୍ରାସ ପାଇ ୧୨.୧ ପ୍ରତିଶତ ହୋଇଯିବ ବୋଲି ଆକଳନ କରାଯାଉଛି।

ବଢ଼ିଛି ପର୍ଚେଜିଂ ପାୱାର

ୱାର୍ଲ୍ଡ ବ୍ୟାଙ୍କର ରିପୋର୍ଟ ଅନୁସାରେ, ଭାରତୀୟ ଲୋକଙ୍କର ପର୍ଚେଜିଂ ପାୱାର ବଢ଼ିଛି। ଅର୍ଥାତ ଲୋକମାନଙ୍କର କିଣାକିଣି କରିବା ଓ ଖର୍ଚ୍ଚ କରିବାର କ୍ଷମତାରେ ସୁଧାର ଆସିଛି। ଗ୍ରାମୀଣ ମହିଳାଙ୍କୁ ରୋଜଗାର ମିଳିଛି। ୨୦୧୭ରୁ ୨୦୨୩ ମଧ୍ୟରେ ପାଖାପାଖି ୧୩.୪ କୋଟି ନୂଆ କାମର ସୁଯୋଗ ସୃଷ୍ଟି ହୋଇଛି। ଏଥିରେ ସବୁଠାରୁ ଅଧିକ ଫାଇଦା ଗ୍ରାମୀଣ ମହିଳାମାନଙ୍କୁ ହୋଇଛି। ଯେଉଁମାନେ ପ୍ରଥମ ଥର ଆୟ କରୁଥିବା କାମରେ ନିୟୋଜିତ ହୋଇଛନ୍ତି।

ତେବେ ଗରିବୀରୁ ବାହାରକୁ ବାହାରିବାରେ ସରକାରୀ ଯୋଜନା ବି ବଡ଼ ସହଯୋଗ କରିଛି। ସରକାରୀ ଯୋଜନାରୁ ମିଳିଥିବା ମାଗଣା ରାଶନ ଓ ସିଧା ବ୍ୟାଙ୍କ ଖାତାକୁ ଟଙ୍କା ପଠାଇବା ଭଳି ଯୋଜନା ଗରିବ ପରିବାରଙ୍କ ପାଇଁ ବଡ଼ ସାହାରା ସାଜିଛି। ତେବେ କେବଳ ଟଙ୍କା କିମ୍ବା ରୋଜଗାର ନୁହେଁ, ନନ ମନିଟରିଂ ଗରିବୀ ଅର୍ଥାତ୍ ସାଧାରଣ ଲୋକଙ୍କର ଜୀବନଶୈଳୀରେ ଅନେକ ପରିବର୍ତ୍ତନ ଆସିଛି।

ଏବେ ଲୋକଙ୍କ ପାଖରେ ପକା ଘର, ନିୟମିତ ବିଜୁଳି, ଶୁଦ୍ଧ ପାଣି, ଶୌଚାଳୟ ଓ ରୋଷେଇ ଗ୍ୟାସ ଭଳି ମୌଳିକ ସୁବିଧା ପୂର୍ବ ଅପେକ୍ଷା ଅଧିକ ପରିମାଣରେ ପହଞ୍ଚିଛି।

ଗତ ୨୦ ବର୍ଷରେ ହୋଇଛି ବଡ଼ ପରିବର୍ତ୍ତନ

ଅକ୍ସଫୋର୍ଡ ରିପୋର୍ଟ ଅନୁସାରେ ୨୦୦୫ ରୁ ୨୦୦୬ ମଧ୍ୟରେ ଦେଶର ଅଧାରୁ ଅଧିକ ଅର୍ଥାତ ୫୩.୮ ପ୍ରତିଶତ ଜନସଂଖ୍ୟା ଏହି ମୌଳିକ ସୁବିଧାରୁ ବଞ୍ଚିତ ଥିଲେ। ହେଲେ ୨୦୧୯ ରୁ ୨୦୨୧ ପର୍ଯ୍ୟନ୍ତ ଏହି ସଂଖ୍ୟା କମି ୧୬.୪ ପ୍ରତିଶତକୁ ଖସି ଆସିଥିଲା। ବିଶ୍ୱ ବ୍ୟାଙ୍କର ନିଜସ୍ୱ ଆକଳନ ଅନୁଯାୟୀ, ୨୦୨୨-୨୩ରେ ଏହି ସଂଖ୍ୟା ମାତ୍ର ୧୫.୫% ରହିଯାଇଛି।

ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ୫୭ ପ୍ରତିଶତ ଗରିବୀ

ଭାରତରେ ଗରିବୀ ହ୍ରାସ ପାଉଥିବା ସତ୍ତ୍ୱେ ଏବେ ବି କିଛି ଚ୍ୟାଲେଞ୍ଜ ରହିଛି। ଦେଶର ବର୍ତ୍ତମାନ ଯେତିକି ଗରିବ ଅଛନ୍ତି ସେଥିମଧ୍ୟରୁ ୫୭ ପ୍ରତିଶତ ଲୋକ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ରହୁଛନ୍ତି ବୋଲି ବିଶ୍ୱ ବ୍ୟାଙ୍କର ଡାଟା କହୁଛି। ତେଣୁ ଏହି ରାଜ୍ୟରେ ନୂଆ ଓ ଉନ୍ନତମାନର ରୋଜଗାର ସୁଯୋଗ ଦେବା ନିହାତ ଦରକାର ବୋଲି ବିଶ୍ୱବ୍ୟାଙ୍କ କହିଛି।

Also Read- Gold and Silver Rate Today: ଶୁକ୍ରବାର ୬ ହଜାର ଟଙ୍କା କମିଲା ରୁପା ଦର: ସୁନା ଦରରେ ବି ବଡ଼ ହ୍ରାସ

ତେବେ ଦେଶ ପାଇଁ ଆଉ ଏକ ଚିନ୍ତାର କାରଣ ହେଉଛି ଯୁବ ବର୍ଗର ମଧ୍ୟରେ ବେରୋଜଗାରୀ ବଢ଼ିବା। ଯୁବ ବେରୋଜଗାରୀ ହାର ୧୪.୬ ପ୍ରତିଶତରୁ ବଢ଼ି ୧୫.୯ ପ୍ରତିଶତ ହୋଇଛି। ଯେଉଁଥିରେ ଗ୍ରାମୀଣ ମହିଳାଙ୍କ ବେରୋଜଗାରୀ ଅଧିକ ରହିଛି। ତେବେ ଯଦିଓ ଲୋକଙ୍କୁ କାମ ମିଳୁଛି, ହେଲେ ରୋଜଗାର ବଢ଼ୁ ନାହିଁ। ଅଧିକାଂଶ ଚାକିରେର ଆୟ ବହୁତ କମ ରହୁଛି ବୋଲି ବିଶ୍ୱ ବ୍ୟାଙ୍କ କହିଛି।

ଆୟରେ ଅସମାନତା, ଭାରତର ଗିନି ସୂଚକାଂକ ୨୩

ଭାରତରେ ଦାରିଦ୍ର୍ୟ ଯଥେଷ୍ଟ ହ୍ରାସ ପାଇଥିଲେ ବି ରୋଜଗାରରେ ବ୍ୟବଧାନ ବଢ଼ିଛି। ଦେଶର ସର୍ବାଧିକ ଦରମା ପାଉଥିବା ଏବଂ ସର୍ବନିମ୍ନ ଦରମା ପାଉଥିବା କର୍ମଚାରୀଙ୍କ ମଧ୍ୟରେ ପାର୍ଥକ୍ୟ ବ୍ୟାପକ ରହିଛି। ଶୀର୍ଷ ୧୦% ଅଧିକ ଦରମାପ୍ରାପ୍ତ ଲୋକେ ନିମ୍ନ ବର୍ଗର ୧୦% ଲୋକଙ୍କ ଠାରୁ ୧୩ ଗୁଣ ଅଧିକ ରୋଜଗାର କରୁଛନ୍ତି।

ସେହିପରି ଦେଶର ଜନସଂଖ୍ୟା ମଧ୍ୟରେ ଆୟ ଓ ଖର୍ଚ୍ଚର ଆବଣ୍ଟନ ମାପିବାକୁ ବ୍ୟବହାର ହେଉଥିବା ଗିନି ସୂଚକାଂଙ୍କରେ ୨୦୨୩ ମିସିହା ଅନୁସାରେ ଭାରତର ସଂଖ୍ୟା ୨୩.୦ ରହିଛି। ଗିନି ସୂଚକାଙ୍କର ମାପ ୦ ରୁ ୧୦୦ ପର୍ଯ୍ୟନ୍ତ ରହିଥାଏ। ସୂଚକାଙ୍କ ଶୂନ ରହିଲେ ଏହା ସମ୍ପୂର୍ଣ୍ଣ ସମାନତାକୁ ସୂଚାଏ। ଅର୍ଥାତ୍ ସମସ୍ତଙ୍କ ଆୟ ବା ଖର୍ଚ୍ଚ ସମାନ। ସେହିପରି୧୦୦ ସୂଚକାଙ୍କ ଥିଲେ ଦେଶରେ ସର୍ବାଧିକ ଅସମାନତା ରହିଛି ବୋଲି ଧରାଯାଏ। ଅର୍ଥାତ୍ ସମସ୍ତ ଆୟ ଜଣେ ବ୍ୟକ୍ତିଙ୍କ ପାଖରେ ରହିବ ଏବଂ ଅନ୍ୟମାନଙ୍କ ପାଖରେ କିଛି ରହିବ ନାହିଁ।

ସରଳ ଭାଷାରେ କହିବାକୁ ଗଲେ, ଗିନି ସୂଚକାଙ୍କ ଯେତେ କମ୍ ହେବ, ଆୟ ବଣ୍ଟନ ସେତେ ଅଧିକ ସମାନ ହେବ। ସୂଚକାଙ୍କ ଅଧିକ ହେବ, ଆୟରେ ଅସମାନତା ସେତେ ଅଧିକ ରହିବ। ଭାରତର ସଂଖ୍ୟା ଏଥିରେ ୨୩.୦ ରହିଥିବାରୁ ଦେଶର ଆୟ ବଣ୍ଟନରେ ତୁଳନାତ୍ମକ ଭାବେ କମ୍ ଅସମାନତା ରହିଛି ବୋଲି କହିପାରିବା। ତେବେ ଏହାର ଅର୍ଥ ନୁହେଁ ଯେ ଦେଶରେ ସମସ୍ତ ଲୋକଙ୍କ ଆୟ ପ୍ରାୟ ସମାନ କିମ୍ବା ଦେଶର ଧନୀ ଓ ଗରିବଙ୍କ ମଧ୍ୟରେ ଆୟର ବ୍ୟବଧାନ ବହୁତ କମ। କାରଣ ଗିନି ସୂଚକାଙ୍କ ଦେଶରେ ମୋଟ ଜନସଂଖ୍ୟାର ଆୟ ବଣ୍ଟନକୁ ଆଧାର କରି ଅସମାନତା ମାପିଥାଏ। ଧନୀ ଓ ଗରିବର ଆୟକୁ ଏଥିରେ ସିଧାସଳକ ତୁଳନା କରାଯାଏ ନାହିଁ।