ନୂଆଦିଲ୍ଲୀ ୩୦/୦୫:ଅସମ୍ଭାଳ ଗରମ ଓ ଗୁଳୁଗୁଳିକୁ ନେଇ ସମସ୍ତେ ଅସ୍ତବ୍ୟସ୍ତ ଓ ଚିନ୍ତିତ । ଏତେ ଗରମରେ ଡିହାଇଡ୍ରେସନ ହେବା କିଛି ନୂଆ କଥା ନାହିଁ । ଶରୀରରେ ପାଣି କମ୍ ହେବାକୁ ଡିହାଇଡ୍ରେସନ କୁହାଯାଏ । ଏହା ଶରୀର ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ । ଜଳ ହିଁ ଜୀବନ । ଏକଥା ସମସ୍ତଙ୍କୁ ଜଣା ।ଆମ ଶରୀରରେ ୬୦ ପ୍ରତିଶତରୁ ଅଧିକ ପାଣି ରହିଛି । ଦେହର ପ୍ରତିଟି ସେଲ୍ସରେ ପାଣି ଥାଏ ।  ଶରୀରରେ ପାଣି କମ୍ ହେବା ଏକ ସାଧାରଣ କଥା । କିନ୍ତୁ ଆମେ ଏହାକୁ ଧ୍ୟାନ ନଦେଲେ ଏହା ଘାତକ ରୂପ ନେଇପାରେ । ଯେତେବେଳେ ଶରୀରରେ ପାଣି କମ୍ ହେବାକୁ ଲାଗେ ଶରୀର ଆମକୁ କିଛି ସଙ୍କେତ ଦେଇଥାଏ । । ଡିହାଇଡ୍ରେସନ ଆମ ଶରୀରକୁ କବଳିତ କରିବା ପୂର୍ବରୁ ତାକୁ ଚିହ୍ନି ନିରାକରଣ କରିବା ଦରକାର ।

୧. ମୁହଁରୁ ଦୁର୍ଗନ୍ଧ

ଆପଣ ଭଲ ଭାବରେ ବ୍ରଶ କରୁଛନ୍ତି ହୁଏତ ମାଉଥୱାଶ ବି ବ୍ୟବହାର କରୁଥାଇପାରନ୍ତି । ତଥାପି ପାଟିରୁ ଦୁର୍ଗନ୍ଧ ବାହାରୁଛି । ଏହାର କାରଣ ଡିହାଇଡ୍ରେସନ ହୋଇପାରେ । ଯେତେବେଳେ ଶରୀରରେ ପର୍ଯ୍ୟାପ୍ତ ପାଣି ନଥାଏ, ଲାଳ ଉତ୍ପାଦନ କମିଯାଏ । ଲାଳ ଆମ ଶରୀର ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କାରଣ ଲାଳ ନିରନ୍ତର ଆମ ମୁହଁ ସଫା କରିଥାଏ ଓ ଜୀବାଣୁ ବୃଦ୍ଧିକୁ ନିୟନ୍ତ୍ରଣ କରିଥାଏ । କମ୍ ଲାଳ ଅର୍ଥ ଜୀବାଣୁ ଦ୍ରୁତ ଗତିରେ ବୃଦ୍ଧି ପାଇବା । ଯାହା ଦୁର୍ଗନ୍ଧ ସୃଷ୍ଟି କରେ।ପାଟି ଦୁର୍ଗନ୍ଧ ସବୁବେଳେ ଦାନ୍ତ ସମସ୍ୟା ନୁହେଁ। ଅନେକ ସମୟରେ ଏହା କେବଳ ପାଣି ସମସ୍ୟା ହୋଇଥାଏ ।

୨. ହଠାତ୍ ଚିନି ଲାଳସା

ବେଳେ ହଠାତ ମିଠା ଖାଇବାକୁ ଭାରି ଇଚ୍ଛା ହୁଏ । ଆପଣଙ୍କ ସହ ବି ଏମିତି ହୋଇଛି ନା …ଭୋକ ପାଇଁ ଏମିତି ଲାଗୁଛି  ଏଇ ଭ୍ରମରେ ପଡନ୍ତୁନି । ଏହା ଆଦୌ ଭୋକ ନୁହେଁ । ଏହା ଶରୀରରେ ପାଣି ଅଭାବର ସାଇନ ହୋଇପାରେ । ଯେତେବେଳେ କେହି ଡିହାଇଡ୍ରେଟେଡ ହୁଅନ୍ତି ସେତେବେଳେ ଏମିତି କିଛି ମିଠା ଜିନିଷ ଖାଇବାକୁ ଇଚ୍ଛା ହୁଏ । ସେତେବେଳେ କିଛି ମିଠା ଜିନିଷ ଖାଇବା ଆଗରୁ ପ୍ରଥମେ ୧ ଗ୍ଲାସ ପାଣି ପିଅନ୍ତୁ ତା ପରେ କିଛି ମିନିଟ୍ ଅପେକ୍ଷା କରନ୍ତୁ । ଦେଖିବେ ମିଠା ଖାଇବାର ଲାଳସା କମିଯିବ । ଏକ ଛୋଟ ଉପାୟ ଯାହାଦ୍ବାରା ଆମେ ଡିହାଇଡ୍ରେସନ କବଳରୁ ବର୍ତ୍ତିପାରିବା ।

୩. ଚିଡିଚିଡାପଣ, ମନୋଭାବ ପରିବର୍ତ୍ତନ, ଏବଂ ମସ୍ତିଷ୍କ କାମ ନକରିବା

କେବେ ଅନୁଭବ କରିଛନ୍ତି କୌଣସି ସ୍ପଷ୍ଟ କାରଣ ନାହିଁ କିନ୍ତୁ ଆମେ କୌଣସି କାମରେ ଧ୍ୟାନ କେନ୍ଦ୍ରିତ କରିପାରୁନାହାନ୍ତି । ସାମାନ୍ୟ ଜଳୀୟ ଅଂଶ କମ୍ ହେବା ମସ୍ତିଷ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥାଏ । ଏକାଗ୍ରତା ହ୍ରାସ ପାଏ, ମନୋଭାବ ଅସ୍ଥିର ହୋଇଯାଏ । ସେହି ମାନସିକ ଅବସ୍ଥାକୁ ମସ୍ତିଷ୍କ କାମ ନକରିବା କୁହାଯାଏ । ଆପଣଙ୍କ ଦିନକୁ ପ୍ରଭାବିତ କରିବା ପାଇଁ ଏହା ଯଥେଷ୍ଟ । ଏହାର କୌଣସି ନାଟକୀୟତା ଆବଶ୍ୟକ ନାହିଁ। ମନ, ଶରୀର ଓ ମସ୍ତିଷ୍କକୁ ସୁସ୍ଥ ରଖିବାକୁ ଦେହରେ ଜଳୀୟ ଅଂଶ ଠିକ ରହିବା ଦରକାର ।

୪. ବିଶ୍ରାମ ସମୟରେ ମାଂସପେଶୀ କ୍ରାମ୍ପ

କ୍ରାମ୍ପ ବ୍ୟାୟାମ ପରର ସମସ୍ୟା ନୁହେଁ । ଯଦି ବସିଥିବା କିମ୍ବା ଶୋଇଥିବା ସମୟରେ ଶରୀରର ମାଂସପେଶୀ ଟାଣ ଓ କ୍ରାମ୍ପ ହେଉଛି ଏହା ଡିହାଇଡ୍ରେସନର ଲକ୍ଷଣ । ମାଂସପେଶୀଗୁଡିକ ସଠିକ ଭାବରେ କାର୍ଯ୍ୟକ୍ଷମ କରିବା ପାଇଁ ମିନେରାଲ୍ସର ସନ୍ତୁଳନ ବଜାୟ ରଖିବାରେ ପାଣି ଏକ ବଡ ଭୂମିକା ନେଇଥାଏ । ଯେତେବେଳେ ସେହି ସନ୍ତୁଳନ ବିଗିଡି ଯାଏ ଦେହ ଅସୁସ୍ଥ ଲାଗେ ।

୫. ଥଣ୍ଡା ଲାଗିବା କିମ୍ବା ଚର୍ମ ଲାଲ ପଡ଼ିଯିବା

ଆପଣଙ୍କ ଶରୀର ତାପମାନ ନିୟନ୍ତ୍ରଣ କରିବା ପାଇଁ ପାଣି ଉପରେ ନିର୍ଭର କରେ। ଯେତେବେଳେ ଏହା ପର୍ଯ୍ୟାପ୍ତ ପରିମାଣରେ ନଥାଏ, ସେତେବେଳେ ସେହି ନିୟନ୍ତ୍ରଣ ଭାଙ୍ଗିଯାଏ। ଆପଣ ଅପ୍ରତ୍ୟାଶିତ ଭାବରେ ଥଣ୍ଡା ଅନୁଭବ କରିପାରନ୍ତି, କିମ୍ବା ଆପଣ ଲକ୍ଷ୍ୟ କରିପାରନ୍ତି ଯେ ଆପଣଙ୍କ ଚର୍ମ ଅସାଧାରଣ ଭାବରେ ଲାଲ ଏବଂ ଗରମ ଦେଖାଯାଉଛି। ତୁରନ୍ତ ଆବଶ୍ୟକ ପରିମାଣରେ ପାଣି ପିଇ ନିଅନ୍ତୁ ।

୬. ନିରନ୍ତର ଥକ୍କାପଣ

ଯେତିକି ଦରକାର ସେତିକି ସମୟ ଶୋଇଛନ୍ତି । ବିଶ୍ରାମ ନେଇଛନ୍ତି ତଥାପି ଥକା ଲାଗୁଛି ଓ କ୍ଲାନ୍ତ ଅନୁଭବ କରୁଛନ୍ତି । ଏବେ ଜାଣିଯାଆନ୍ତୁ ଦେହରେ ଜଳୀୟ ଅଂଶ କମିଯାଇଛି । ପାଣି ଶରୀରରେ ଅମ୍ଳଜାନ ଏବଂ ପୋଷକ ତତ୍ତ୍ବ ପରିବହନରେ ସାହାଯ୍ୟ କରେ। ପର୍ଯ୍ୟାପ୍ତ ପରିମାଣର ପାଣି ବିନା, ସେହି ପ୍ରକ୍ରିୟା ଧୀର ହୋଇଯାଏ, ଶକ୍ତି ହ୍ରାସ ପାଏ ଏବଂ ପରିଣାମ ସ୍ବରୂପ ଶରୀରରେ କ୍ଲାନ୍ତି ସୃଷ୍ଟି ହୁଏ ଯାହା କେବଳ ଶୋଇବା ଓ ବିଶ୍ରାମ ଦ୍ବାରା ଦ୍ବାରା ଭଲ ହୋଇପାରିବନି । ଏହାର ଏକମାତ୍ର ମେଡିସିନ ଯଥେଷ୍ଟ ପାଣି

୭. ଗାଢ଼ ହଳଦିଆ ପରିସ୍ରା

ଡିହାଇଡ୍ରେସନର ଏକ ସଙ୍କେତ ହେଉଛି ଗାଢ ହଳିଦିଆ ପରିସ୍ରା । ଏପରି ହେଲେ ଆପଣଙ୍କୁ ଜ୍ବଳନ ବା କୁଣ୍ଡାଇ ହୋଇଥାଏ । ଶରୀରରେ ପାଣି କମ୍ ହେଲେ ଏହାର ରଙ୍ଗ ହଳଦିଆ ହୋଇଯାଏ । ବେଳେବେଳେ ନହେବାର ବି ସମ୍ଭାବନା ଥାଏ । ତେବେ ଏଠି ଜାଣିରଖନ୍ତୁ ୟୁରିନ ରଙ୍ଗ ଫିକା ହଳଦିଆ ଅର୍ଥ ହେଉଛି  ଠିକ ଭାବରେ ପାଣି ପିଉଛନ୍ତି । ଗାଢ଼ ହଳଦିଆ, କିମ୍ବା ତୀବ୍ର ଗନ୍ଧ ଥିବା ପରିସ୍ରା ସଙ୍କେତ ଦିଏ ଶରୀରକୁ ଅଧିକ ପାଣି ଆବଶ୍ୟକ। ଏପରି ଲକ୍ଷଣ ଦେଖାଗଲେ ତୁରନ୍ତ ଯଥେଷ୍ଟ ପାଣି ପିଅନ୍ତୁ ।

କେମିତି କରିବେ ମୁକାବିଲା ?

ଡିହାଇଡ୍ରେସନର ସଙ୍କେତ ଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଯଥେଷ୍ଟ ପରିମାଣରେ ପାଣି ପିଅନ୍ତୁ । ଶୋଷ ନଲାଗିଲେ ମଧ୍ୟ କିଛି ଘଣ୍ଟା ବ୍ୟବଧାନରେ ତରଳ ପଦାର୍ଥ ଯେମିତି ଲେମ୍ବୁ ପାଣି, ଘୋଳ ଦହି, ବିଭିନ୍ନ ପ୍ରକାର ଫଳ ଜୁସ୍ ନିଅନ୍ତୁ ।  ଡିହାଇଡ୍ରେସନ ଶରୀରକୁ କବଳିତ କରିବା ପୂର୍ବରୁ ତାର ମୁକାବିଲା କରନ୍ତୁ । ନଚେତ ଏହା ପ୍ରାଣଘାତୀ ମଧ୍ୟ ହୋଇପାରେ ।

Also read:Tele-Surgery: ଭାରତୀୟ ଡାକ୍ତରଙ୍କ କମାଲ୍‌, ଚୀନ୍‌ରେ ବସି ହାଇଦ୍ରାବାଦରେ କଲେ ସଫଳ ସର୍ଜରୀ !