ମୁମ୍ଵାଇ ୧୮।୧୧; ବଲିଉଡ ଅଭିନେତା ଶରଦ କପୁରଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ଚଳିତମାସ ତାଙ୍କର ଏକ ଭିଡିଓ ଭାଇରାଲ ହୋଇଥିଲା । ସୋସିଆଲ ମିଡିଆରେ ସେ ଭିଡିଓ ଶେୟାର କରି ଚଳଚ୍ଚିତ୍ର ଜଗତର ଲୋକଙ୍କୁ ଆର୍ଥିକ ସହାୟତା ମାଗିଥିଲେ । ଫିଲ୍ମରେ କାମ ଦେବାକୁ ବି ଅପିଲ୍ କରିଥିଲେ । ଭିଡିଓରେ ସେ ଅତ୍ୟନ୍ତ ଦୁର୍ବଳ ଦେଖାଯାଉଛନ୍ତି । ତାଙ୍କୁ ଅଚାନକ ଏଭଳି ସ୍ଥିତିରେ ଦେଖି ପ୍ରଶଂସକ ହତୋତ୍ସାହିତ ହୋଇଛନ୍ତି ।

ବାର୍ସିଲୋନାରେ ଫୁଟବଲ ଖେଳିବା ବେଳେ ତାଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଥିଲା । ସେବେଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନାହିଁ । ସେ ୱାକର୍ରେ ଚାଲିବା ସହ ଅଧିକାଂଶ ସମୟ ଶୋଇ ରହୁଛନ୍ତି । ମାନସିକ ଅବସାଦରେ ବି ଅଛନ୍ତି । ଏଭଳି ସ୍ଥିତିରେ କିଛି ଲୋକଙ୍କୁ ରିଲ୍ ନିଶା ଘାରିଛି । ସେମାନେ ୫୦ ବର୍ଷୀୟ ଶରଦଙ୍କୁ ଆର୍ଥିକ ସହାୟତା ଦେବା ଆଳରେ ଆସି ରିଲ୍ ବନାଉଛନ୍ତି। କିଛି ଇନ୍ଫ୍ଲୁଏନ୍ସର ଭିଡିଓ ବନାଇବା କ୍ଷଣି ଦାନ ଟଙ୍କା ଫେରାଇ ନେଉଥିବା ଶରଦ ନିଜେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ଏକ ନୂଆ ଭାବୁକ ଭିଡିଓ ଶେୟାର କରି ଏଭଳି ନ କରିବାକୁ ଅପିଲ୍ କରିଛନ୍ତି ସେ । ସେ ଆଉ କାହାକୁ ଭେଟିବେ ନାହିଁ ବୋଲି ବି କହିଛନ୍ତି । ଶରଦଙ୍କ ଦେଖାଶୁଣା କରୁଥିବା ତାଙ୍କ ବନ୍ଧୁ ତଥା ‘ବେଜୁବାନ ଟ୍ରଷ୍ଟ’ର ସଦସ୍ୟା ହେମା ଚୌଧୁରୀ ବି ଏହି ଘଟଣାକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି । ଏଭଳି ପରିସ୍ଥିତିରେ କିଛି ଲୋକ ମିଥ୍ୟା ରିଲ୍ ବନାଇବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି ହେମା କହିଛନ୍ତି ।

ଅଭିନେତା ଏହି ଆଚରଣକୁ ଅପମାନଜନକ ବୋଲି କହି କହିଛନ୍ତି ଯେ ସେ ଆଉ କାହାକୁ ଭେଟିବେ ନାହିଁ। ଯଦି କେହି ତାଙ୍କୁ ଭେଟିବାକୁ ଆସନ୍ତି, ତେବେ ସେ ସେମାନଙ୍କୁ ହାତ ଯୋଡ଼ି ସ୍ୱାଗତ କରିବେ। ଯଦି ସେମାନଙ୍କୁ କୌଣସି ସାହାଯ୍ୟର ଆବଶ୍ୟକତା ଥାଏ, ତେବେ ସେମାନେ ହେମା ଚୌଧୁରୀ କିମ୍ବା ତାଙ୍କ ସହିତ ସିଧାସଳଖ ଯୋଗାଯୋଗ କରିପାରିବେ। ହେମା ଲୋକମାନଙ୍କୁ ସତର୍କ ମଧ୍ୟ କରିଛନ୍ତି ଯେ ଶରଦ କପୁରଙ୍କ ନାମରେ ଚାଲିଥିବା ସୋସିଆଲ ମିଡିଆ ଆକାଉଣ୍ଟ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ। ତାଙ୍କ ଅନୁସାରେ, ଏହି ସମସ୍ତ ଆକାଉଣ୍ଟ ନକଲି। ସେ ଲୋକମାନଙ୍କୁ ଏପରି ଆକାଉଣ୍ଟ ଉପରେ ବିଶ୍ୱାସ ନ କରିବାକୁ କିମ୍ବା କାହା ଅନୁରୋଧରେ ଟଙ୍କା ଦାନ ନ କରିବାକୁ ଅନୁରୋଧ କରିଛନ୍ତି।

ଅନ୍ୟପକ୍ଷରେ ସଲମାନ ଖାନ, ସୋନୁ ସୁଦ୍ଙ୍କ ଭଳି କିଛି ଅଭିନେତା ଶରଦଙ୍କୁ ସହାୟତା ପ୍ରଦାନ କରିଛନ୍ତି । ସୋନୁ ତାଙ୍କୁ ଭେଟି ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଅଫର ଦେଇଛନ୍ତି । ବିଗ୍ ବି ମଧ୍ୟ ଆର୍ଥିକ ସହାୟତା ଦେଇଥିବା ଜଣାପଡ଼ିଛି । ଶରଦ କପୁର ଜୋଶ୍, ଜୟ ହୋ, ଜାନି ଦୁଶମନ:ଏକ୍ ଅନୋଖି କହାନି, ଖୌଫ, ହଥ୍ୟାର ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଛନ୍ତି ।