ନୂଆଦିଲ୍ଲୀ ୧୭।୧୧; ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କୁ ନେଇ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ଖବର । ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଟାର୍ଗେଟରେ ଥିଲେ ବିଗ୍ ବି । ମୁମ୍ବାଇସ୍ଥିତ ତାଙ୍କ ବାସଭବନ ‘ଜଲସା’ ବାହାରେ ଗୁଳିକାଣ୍ଡ ଘଟାଇବା ପାଇଁ ଷଡ଼ଯନ୍ତ୍ର ହୋଇଥିବା ଦିଲ୍ଲୀ ପୋଲିସ୍ ଦାବି କରିଛି । ତେବେ ଷଡ଼ଯନ୍ତ୍ର କାର୍ଯ୍ୟକାରୀ ହେବା ପୂର୍ବରୁ ପୋଲିସ ଦୁଇଜଣ ସନ୍ଦିଗ୍ଧ ସୁଟରଙ୍କୁ ଗିରଫ କରିଛି । ଏହି ଘଟଣା ମଧ୍ୟରେ ଅମିତାଭ ବଚ୍ଚନ ସୋସିଆଲ୍ ମିଡିଆରେ ଏକ ରହସ୍ୟମୟ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଅମିତାଭ ଲେଖିଛନ୍ତି 'ମୁଁ ବଞ୍ଚିଗଲି'

ନଭେମ୍ବର ୧୫ ଓ ୧୬ ତାରିଖ ମଧ୍ୟରାତ୍ରିରେ ଅମିତାଭ ବଚ୍ଚନ ନିଜ X ଆକାଉଣ୍ଟରେ ଏକ ଛୋଟ ପୋଷ୍ଟ କରିଥିଲେ । ସେଥିରେ ସେ କେବଳ ମୁଁ ବଞ୍ଚିଗଲି ଅର୍ଥାତ୍ ‘ବର୍ତ୍ତିଗଲୁ’ ବୋଲି ଲେଖିଥିଲେ । ତେବେ କାହିଁକି ଏଭଳି ପୋଷ୍ଟ କରିଛନ୍ତି, ସେନେଇ କୌଣସି ସ୍ପଷ୍ଟୀକରଣ ଦେଇନାହାନ୍ତି ବିଗ୍ ବି। ତାଙ୍କ ବିରୋଧରେ ହୋଇଥିବା କଥିତ ହତ୍ୟା ଷଡ଼ଯନ୍ତ୍ର ସହ ଏହି ପୋଷ୍ଟର ସମ୍ପର୍କ ରହିଛି କି ନାହିଁ , ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । କିନ୍ତୁ ବୋମା ଧମକ ଓ ସୁଟର ଗିରଫ ଘଟଣା ମଧ୍ୟରେ ଏହି ପୋଷ୍ଟ ଚର୍ଚ୍ଚାକୁ ଆସିଛି ।

ଗୋଲ୍ଡି ଢିଲ୍ଲୋନ୍ ନିଜ ପୋଷ୍ଟରେ ଦାବି କରିଛି ଯେ, ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ମୁମ୍ବାଇରୁ ତା'ର ଦୁଇ ସହଯୋଗୀ ବିକାଶ ଠାକୁର ଏବଂ ଦୀପକ ସିଂହଙ୍କୁ ଗିରଫ କରିଛି। ଏହି ଦୁଇ ଜଣଙ୍କୁ ଅନ୍ୟ କୌଣସି ଗ୍ୟାଙ୍ଗ୍ ସହ ଯୋଡ଼ି ନଦେଖିବାକୁ ସେ କହିଛି। ଏହା ସହ ଦୁଇ ସହଯୋଗୀଙ୍କ ଗିରଫଦାରୀ ଯୋଗୁଁ ସେମାନଙ୍କର ଯେଉଁ ଯୋଜନା ଥିଲା, ତାହା ବନ୍ଦ ହୋଇନାହିଁ ବୋଲି ଧମକ ଦେଇଛି। ତାଙ୍କ ପାଖରେ ଆହୁରି ୨୦୦ ଜଣ ସଦସ୍ୟ ଥିବା ମଧ୍ୟ ପୋଷ୍ଟରେ ଦାବି କରିଛି।

ଗୋଲ୍ଡି ଢିଲ୍ଲୋନ୍ ନିଜ ପୋଷ୍ଟରେ ୧୯୮୪ ମସିହାର ଶିଖ୍ ବିରୋଧୀ ଦଙ୍ଗା ପ୍ରସଙ୍ଗ ଉଠାଇଛି। ଏହି ଘଟଣାରେ ଯେଉଁମାନେ ଦୋଷୀ, ସେମାନଙ୍କୁ କେବେ କ୍ଷମା କରାଯିବ ନାହିଁ ବୋଲି ସେ ଲେଖିଛି। ଏପରିକି କେହି ଦେଶର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ତାଙ୍କୁ ଛଡ଼ାଯିବ ନାହିଁ ବୋଲି ଧମକ ଦେଇଛି। ଏହା ପରେ ସେ ସିଧାସଳଖ ଅମିତାଭ ଏବଂ ଅଭିଷେକଙ୍କ ନାଁ ନେଇଛି। ଉଭୟ ଯେତେ ବୁଲେଟପ୍ରୁଫ୍ କେବିନ୍ ତିଆରି କରାଇଲେ ମଧ୍ୟ ସେମାନଙ୍କୁ ମାରିବାକୁ ପଛାଇବେ ନାହିଁ ବୋଲି ଲେଖିଛି। ଏହି ଧମକକୁ ନେଇ ସୁରକ୍ଷା ଏଜେନ୍ସିଗୁଡ଼ିକର ତଦନ୍ତ ଉପରେ ନଜର ରହିଛି।