ହାଇଦ୍ରାବାଦ, ୦୪/୧୦ :ହାଇଦ୍ରାବାଦରେ ସେନା କେନ୍ଦ୍ରରୁ ଅସ୍ତ୍ରଚୋରି ମାମଲାରେ ଶନିବାର ଆଉ ୭ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୩ ଜଣ ହେଉଛନ୍ତି ସେନାରେ କାର୍ଯ୍ୟରତ ଯବାନ। ମଜ୍ଜାଜଗିରି ପୁଲିସ କମିଶନର ବି ସୁମତି ଏହି ସୂଚନା ଦେଇଛନ୍ତି।

ତାଙ୍କ ଅନୁସାରେ,ତେଲଙ୍ଗାନାର ନାଗରକୁର୍ନୁଲ ଜିଲ୍ଲାର ପୂର୍ବତନ ହାବିଲଦାର ଉପୁଥୁଲା ମଲ୍ଲେଶ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ। ତାଙ୍କୁ ସେପ୍ଟେମ୍ବର ୧୧ରେ ଗିରଫ କରାଯାଇଥିଲା। ତାଙ୍କ ବିରୋଧରେ ଅଗଷ୍ଟ ୩୦-୩୧ ତାରିଖ ରାତିରେ ବେଲାରମରେ ସେନା କେନ୍ଦ୍ରରୁ ଏକେ-୨୦୩ ଆସଲ୍ଡ ରାଇଫଲ ଏବଂ ଗୁଳି ଚୋରି କରିବାର ଅଭିଯୋଗ ରହିଛି। ଏଥିଲାଗି ତାଙ୍କୁ ନିଜ ରେଜିମେଣ୍ଟରେ କାର୍ଯ୍ୟରତ ୩ ଜଣ ସେନା ଯବାନ,ପଶ୍ଚିମବଙ୍ଗର ୨ ଜଣ ଲୋକ,ସଂପର୍କୀୟ ଭାଇ ଏବଂ ତାଙ୍କର ଜଣେ ବନ୍ଧୁ ସହାୟତା କରିଥିଲେ। ଚୋରି ସାମଗ୍ରୀକୁ ସେ ନାଗରକୁର୍ନୁଲ ଜିଲ୍ଲାର ଅଚାମେପ୍ଟରେ ନିଜ ଘରେ ଲୁଚାଇଥିଲେ। ଚୋରି ହୋଇଥିବା ସମସ୍ତ ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରାଯାଇଛି।

Also Read :- ନୋଟରେ ପ୍ରଥମେ ନଥିଲା ଗାନ୍ଧୀଙ୍କ ଛବି, ପୂର୍ବରୁ ଅନ୍ୟ ଫଟୋ ପାଇଁ ଦିଆଯାଇଥିଲା ବିକଳ୍ପ

ବି ସୁମତି ଆହୁରି କହିଛନ୍ତି ଯେ,ଏହି ଅସ୍ତ୍ରଶସ୍ତ୍ର ଜରିଆରେ ମଲ୍ଲେଶ ସହଯୋଗୀଙ୍କ ସହ ଚୋରି ଏବଂ ଲୁଟ୍ ପାଇଁ ଯୋଜନା କରିଥିଲେ। ମୁଖ୍ୟତଃ ଜୁଏଲାରୀ ଦୋକାନ,ବ୍ୟାଙ୍କ୍ ଏବଂ ଧନୀ ଲୋକଙ୍କ ଘରକୁ ଟାର୍ଗେଟ୍ କରି ସେ ଅଧିକ ଅର୍ଥ ରୋଜଗାର କରିବାକୁ ଚାହୁଁଥିଲେ। ତେବେ କୌଣସି ଆତଙ୍କବାଦୀ କିମ୍ବା ଉଗ୍ରବାଦୀ ସଙ୍ଗଠନ ସହ ତାଙ୍କର ସଂପର୍କ ନଥିବା ଜଣାପଡ଼ିଛି। ମର୍ଦ୍ଦେଶ ୨୦ ବାଟାଲିଅନ୍,ମାଡ୍ରାସ ରେଜିମେଣ୍ଟରେ ହାବିଲଦାର ଥିଲେ। ଅନୁଶାସନ ହୀନତା ଏବଂ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ତାଙ୍କୁ ଚଳିତବର୍ଷ ଜୁନ୍ ମାସରେ ନିର୍ଦ୍ଧାରିତ ସମୟ ପୂର୍ବରୁ ଅବସର ଦିଆଯାଇଥିଲା। ପୂର୍ବରୁ ସେ କିଛି ଚୋରି ଘଟଣାରେ ସାମିଲ ଥିବା ବି ଜଣାପଡ଼ିଛି।