ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତିରାଜ ସଂସ୍ଥାର ପ୍ରତିନିଧିମାନଙ୍କ ବିରୋଧରେ କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଅନାସ୍ଥା ପ୍ରସ୍ତାବ ଓ ଦୁର୍ନୀତି ଅଭିଯୋଗକୁ ନେଇ ବିଧାନସଭାରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନାସ୍ଥା ପ୍ରସ୍ତାବ କାରଣରୁ ୬୧ ଜଣ ସରପଞ୍ଚ ଏବଂ ୯ ଜଣ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିଜ ପଦବୀ ହରାଇଛନ୍ତି।

ବିଧାନସଭାରେ ବିଧାୟକ ପ୍ରତାପ ଦେବଙ୍କ ଦ୍ୱାରା ପଚରାଯାଇଥିବା ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଏହି ସୂଚନା ପ୍ରଦାନ କରିଛନ୍ତି। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଅନୁଗୁଳ, ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, କଳାହାଣ୍ଡି, କନ୍ଧମାଳ ଓ କେନ୍ଦ୍ରାପଡ଼ା ସମେତ ଏକାଧିକ ଜିଲ୍ଲାରେ ପଞ୍ଚାୟତ ପ୍ରତିନିଧିଙ୍କ ବିରୋଧରେ ଅନାସ୍ଥା ଭୋଟ୍ ଗୃହିତ ହୋଇଛି।

Also Read: ବିଧାନସଭାର ମୌସୁମୀ ଅଧିବେଶନ : ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ, ସମର୍ଥନ କଲେ ବିରୋଧୀ

ଅନାସ୍ଥା ପ୍ରସ୍ତାବ ବ୍ୟତୀତ, ସରକାରୀ ଅର୍ଥର ଅପବ୍ୟବହାର, ହେରଫେର ଏବଂ ବ୍ୟାପକ ଦୁର୍ନୀତି ଅଭିଯୋଗରେ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ମାମଲାରେ ସମ୍ପୃକ୍ତ ୧୫ ଜଣ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି।

ଜିଲ୍ଲାୱାରୀ ନିଲମ୍ବନ ତଥ୍ୟ ଅନୁସାରେ, ବରଗଡ଼ ଜିଲ୍ଲାରେ ସର୍ବାଧିକ ୩ ଜଣ ସରପଞ୍ଚ ନିଲମ୍ବିତ ହୋଇଛନ୍ତି। ସେହିପରି ବଲାଙ୍ଗିର ଓ ନୂଆପଡ଼ାରେ ୨ ଜଣ ଲେଖାଏଁ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ବେଳେ ଅନୁଗୁଳ, ଭଦ୍ରକ, ଢେଙ୍କାନାଳ, ଗଜପତି, କଳାହାଣ୍ଡି, କୋରାପୁଟ, ମୟୂରଭଞ୍ଜ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ପ୍ରତିନିଧିଙ୍କୁ ନିଲମ୍ବନ କରାଯାଇଛି।

Also Read: ନୋଟିସ ଦେଲା ବିଜେଡି, MMDR ପ୍ରସଙ୍ଗରେ ମୋସନ ଆଣିବାକୁ ଦାବି କଲା ଦଳ

ଅନ୍ୟପଟେ, ସରକାରୀ ତହବିଲ୍ର ଅପବ୍ୟବହାର ଓ ଦୁର୍ନୀତି ଅଭିଯୋଗରେ ୪ ଜଣ PRI (ପଞ୍ଚାୟତିରାଜ) ପ୍ରତିନିଧିଙ୍କ ବିରୋଧରେ ଆଇନଗତ ଆଭିମୁଖ୍ୟ ଗ୍ରହଣ କରାଯାଇ ସେମାନଙ୍କ ନାମରେ 'ପ୍ରସିକ୍ୟୁସନ୍' ପ୍ରକ୍ରିୟା ଆରମ୍ଭ ହୋଇଛି। ବିଶେଷ କରି ଅନୁଗୁଳ ଓ ବାଲେଶ୍ୱର ଭଳି ଜିଲ୍ଲାଗୁଡ଼ିକରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଜାରି ରହିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ସ୍ପଷ୍ଟ କରିଛନ୍ତି।