ଭୁବନେଶ୍ୱର : ଶରତ ଆସୁଛି... ଏବେଠୁ ଧରାପୃଷ୍ଠରେ ପାର୍ବଣର ମହକ। ଧରାପୃଷ୍ଠକୁ ମା ଦୁର୍ଗାଙ୍କ ଆଗମନ ପାଇଁ ସଜେଇ ହେଲାଣି ପ୍ରକୃତି ରାଣୀ। ଅପସରି ଯାଉଥିବା ମେଘର ଧଳା- ନୀଳ ରଙ୍ଗର ଆକାଶ। ସବୁଜ ସୁନ୍ଦର ଧରାରେ ଧବଳ ରଙ୍ଗ ମାଳ ଭଳି ଦିଶିଲାଣି କାଶତଣ୍ଡୀ। ଯାହାର ମହକ ପୁରଠୁ ପଲ୍ଲୀ। କାଶତଣ୍ଡୀ ପ୍ରକୃତିର ଅନବିଦ୍ୟ ଉପହାର। ବର୍ଷା ଋତୁର ଶୁଭ ବିଦାୟ ପରେ ଏବଂ ଶରତର ଆଗମନରେ ପ୍ରକୃତିର ବିସ୍ମୟ ଏହି ତୁଷାର ଧବଳ । ଓଠରେ ତା’ର ଶାନ୍ତ ହସ, ଚିତ୍ତରେ ଅପୂର୍ବ ଉଲ୍ଲାସ । ଯାହା ଦର୍ଶକ ଚିତ୍ତରେ ସୃଷ୍ଟି କରେ ଅଦ୍ଭୁତ ପୁଲକ । ନଦୀ ପଠା, ଗାଁ ଗହିର ଆଉ ରାସ୍ତା ପାର୍ଶ୍ୱ ସବୁଠି କାଶତଣ୍ଡୀର ବିଜୟ ବୈଜୟନ୍ତୀ । ମୃଦୁ ପବନର ଛୁଆଁରେ ସେ ନାଚୁଥାଏ ଲହରେଇ ଲହରେଇ । ତାକୁ ଦେଖି ମନରେ ଖେଳିଯାଏ ଅପାର ପୁଲକ । ଆଉ ତାର ଉପସ୍ଥିତି କହିଦିଏ, ଆସୁଛି ପାର୍ବଣ, ଆସୁଛି ଆନନ୍ଦ, ଆସୁଛନ୍ତି ମାଆ।

ନା ସେ ବଗିଚାରେ ଫୁଟେ, ନା ସେ ଘର ଅଗଣାରେ ଫୁଟେ । ଗ୍ରାମ୍ୟପଥ, ମାଳ, ନଈକୂଳ ଅପନ୍ତରା ଇଲାକା ତାର ଠିକଣା । ନିଜ ସୁନ୍ଦରତା ଦେଖାଇବା ପାଇଁ ଲୋକଙ୍କୁ ନିଜ ଆଡିକୁ ଡାକେ ହାତ ଠାରି । ଖିଲି ଖିଲି ହସରେ ଧବଳ ରଙ୍ଗରେ ଲୋକଙ୍କ ମନକୁ ନିଏ ସେ କିଣି । ଧରଣୀରାଣୀକୁ ଧବଳ ଚାମରରେ ଢାଙ୍କି ଦିଏ ଯିଏ। ସେଥିପାଇଁ ତ ଶରତ ଆସିଲେ ଦୁନିଆ ଖୋଜେ ତାର ହସ । ପାର୍ବଣ ଋତରୁ ଆଗମନରେ ଥିରି ଥିରି ପବନରେ କାଶତଣ୍ଡୀ ଫୁଲର ଖିଲି ଖିଲି ହସ। ସେ ପୁଣି ଝଟକି ଥାଏ ସ୍ୱର୍ଯ୍ୟଙ୍କ କିରଣରେ । କେତେ ବେଳେ ପୁଣି ମେଘୁଆ ଆକାଶର ଭଷା ବାଦଲ ସହିତ ତାଳ ଦେଇ ନାଚି ଉଠେ । ଶରତ ଆକାଶର ନିର୍ମଳ ନୀଳିମାକୁ ଭାରି ମାନେ କାଶତଣ୍ଡୀର ରୌପ୍ୟ ଧବଳ ହସ । କେତେବେଳେ କାଶତଣ୍ଡୀ ପ୍ରଣୟ ବିଭୋର ପ୍ରେମିକ ଆଖିରେ ତା’ ପ୍ରଣୟିନୀ, ତ କେବେ ମିଳନ ପିପାସୀ ଦଗ୍ଧ ମନରେ ଚନ୍ଦନର ଶୀତଳ ପ୍ରଲେପ । କାଶତଣ୍ଡି କେବଳ ସୌନ୍ଦର୍ଯ୍ୟ ନୁହେଁ ବରଂ ଉତ୍କଳୀୟ ପରମ୍ପରାର ଏକ ଜ୍ୱଳନ୍ତ ସ୍ବାକ୍ଷର । କବି ଟିଏ ପାଇଁ ଏ କୁଆଡେ ପ୍ରେରଣାର ଉତ୍ସ ।

ଶରତର ଆସୁଛି ବୋଲି ଧରଣୀ ବାନ୍ଧିଲାଣି କାଶତଣ୍ଡୀର ବେଣୀ । ଖୋସାରେ ଖୋସିଲାଣି ଧୋବ ଫରଫର ଫୁଲ । ଆଉ ମାଟିର ସେ ଲାଜେଇ ହସ ଦେଖି ଆକାଶ ବି ହୃଦୟ ଦେବାକୁ ବସିଲାଣି... ଏଇତ କାଶତଣ୍ଡୀର ସ୍ୱତନ୍ତ୍ରତା, ଏଇତ ବାସହୀନ ଫୁଲେଇ ଫୁଲର ମାଦକତା । ଯେଉଁଠି ପ୍ରକୃତିରାଣୀ କାଶତଣ୍ଡୀ ଜରିଆରେ ମାନବ ଜାତିକୁ ବାର୍ତ୍ତା ଦିଏ ମାଆ ଜଗଦମ୍ବାଙ୍କ ଆଗମନର ।