ପୁରୀ: ଦିନକୁ ଦିନ ବଢ଼ିବାରେ ଲାଗିଛି ପୁରୀରେ ଅପରାଧ । କଥା କଥାକେ ବୁଲୁଛି ଖଣ୍ଡା ଓ ଛୁରୀ। ସୋମବାର ପୁଣି ପୁରୀ ଭିଆଇପି ରୋଡ ଜଗନ୍ନାଥ କଲୋନୀରେ ଥିବା ମଙ୍ଗଳା ମନ୍ଦିର ଦୁଆର ମୁହଁରେ ଖଣ୍ଡା ଓ ଛୁରାମାଡ ହୋଇଛି। ଏଥିରେ ବାପ, ପୁଅଙ୍କ ସହ ଜଣେ ମହିଳା ଗୁରୁତର ହୋଇଛନ୍ତି। ଚିକିତ୍ସା ପାଇଁ ସମସ୍ତ ଙ୍କୁ ପୁରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗୁରୁତର ଆହତ ବାପ, ପୁଅ ଓ ମହିଳା ହେଲେ ଭିଆଇପି ରୋଡ଼ ଜଗନ୍ନାଥ କଲୋନୀର ନିରଞ୍ଜନ ପ୍ରଧାନ, ରାଜୀବ ଲୋଚନ ପ୍ରଧାନ ଏବଂ ମଞ୍ଜୁଲତା ପ୍ରଧାନ। ନିରଞ୍ଜନଙ୍କ ମୁଣ୍ଡକୁ ଅସାମାଜିକ ଯୁବକମାନେ ଖଣ୍ଡାରେ ହାଣି ରକ୍ତାକ୍ତ କରିଥିବା ବେଳେ ରାଜୀବଙ୍କ ହାତ ଓ ଛାତିକୁ ଛୁରାମାଡ କରିଛନ୍ତି। ଖବରପାଇ ସମୁଦ୍ର କୂଳ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Also Read: ଘରୁ ଚୋରି ଅଭିଯୋଗ, କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ଗତକାଲି ଜଗନ୍ନାଥ କଲୋନୀରେ ଗଣେଶ ବିସର୍ଜନ ବେଳେ କଥା ସ୍ଥାନୀୟ ଯୁବକଙ୍କ ସହ ରାଜୀବଙ୍କ କଥା କଟାକଟି ହୋଇଥିଲା। ଆଜି ସମାଧାନ ପାଇଁ ମଙ୍ଗଳା ମନ୍ଦିରକୁ ବାପ ପୁଅଙ୍କୁ ସ୍ଥାନୀୟ ଯୁବକମାନେ ଡାକିଥିବା ବେଳେ ଖଣ୍ଡା ଓ ଛୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେପଟେ ପୋଲିସ ପକ୍ଷରୁ ଏନେଇ କୌଣସି ସୂଚନା ମିଳିପାରିନାହିଁ।