ହରିୟାଣା-; ଶିକ୍ଷା ପାଇଁ ବୟସ କେବେ ବି ବାଧକ ହୋଇପାରେ ନାହିଁ।ବୟସର ଅପରାହ୍ନରେ ମଧ୍ୟ ଉଚ୍ଚ ଶିକ୍ଷା ହାସଲ କରିହେବ l ଏହାକୁ ପ୍ରମାଣ କରିଛନ୍ତି ହରିୟାଣାର ସିର୍ସା ନିବାସୀ ୮୫ ବର୍ଷୀୟ ପୂର୍ବତନ ସେନାକର୍ମୀ ଲାଲ ଚନ୍ଦ ଗୋଦାରା। ୮୫ ବର୍ଷ ବୟସରେ ସେ ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓପନ୍ ୟୁନିଭର୍ସିଟି ରୁ ମାଷ୍ଟର୍ସ ଡିଗ୍ରୀ ହାସଲ କରିଛନ୍ତି। ଏବେ ତାଙ୍କ ଲକ୍ଷ୍ୟ ହେଉଛି ପିଏଚ୍ଡି କିମ୍ବା ଆଇନରେ ଡିଗ୍ରୀ ହାସଲ କରିବା।

ଲାଲ ଚନ୍ଦ ଗୋଦାରାଙ୍କ ଶିକ୍ଷା ଯାତ୍ରାରେ ଏକ ଦୀର୍ଘ ବିରତି ଆସିଥିଲା। ଯୁବାବସ୍ଥାରେ ପରିସ୍ଥିତି ତାଙ୍କୁ ଅନ୍ୟ ଦିଗକୁ ନେଇଯାଇଥିଲା। ଫଳରେ ପାଠପଢ଼ା ଅଧୂରା ରହିଯାଇଥିଲା। କିନ୍ତୁ ୭୬ ବର୍ଷ ବୟସରେ ତାଙ୍କ ନାତି-ନାତୁଣୀଙ୍କ ପ୍ରଶ୍ନ ତାଙ୍କ ମନରେ ପୁଣିଥରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିଥିଲା। ଏହାପରେ ସେ ପୁଣି ବହି ଧରିଥିଲେ ଏବଂ ଅଧୂରା ଶିକ୍ଷାକୁ ପୂରଣ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ିଥିଲେ।

୮୧ ବର୍ଷରେ ଗ୍ରାଜୁଏସନ୍, ଏବେ ମାଷ୍ଟର୍ସପାଠପଢ଼ା ପୁଣି ଆରମ୍ଭ କରିବାର ପ୍ରାୟ ୫ ବର୍ଷ ପରେ, ୮୧ ବର୍ଷ ବୟସରେ ଗୋଦାରା ଗ୍ରାଜୁଏସନ୍ ସମ୍ପୂର୍ଣ୍ଣ କରିଥିଲେ। ଏହାପରେ ସେ ମାଷ୍ଟର୍ସ ପାଠ୍ୟକ୍ରମରେ ନାମ ଲେଖାଇଥିଲେ। ତାଙ୍କ ପୁଅ ଡାକ୍ତର ସାହିବ ରାମ ଗୋଦାରା କହିଛନ୍ତି ଯେ, ତାଙ୍କ ବାପା IGNOUରୁ ମାଷ୍ଟର୍ସ ଅଫ୍ ଆର୍ଟସ୍ (MA) ପାଠ୍ୟକ୍ରମ ସମ୍ପୂର୍ଣ୍ଣ କରିଛନ୍ତି। ଏହାପୂର୍ବରୁ ୨୦୨୩ରେ ସେ ଗ୍ରାଜୁଏସନ୍ ମଧ୍ୟ ସମ୍ପୂର୍ଣ୍ଣ କରିଥିଲେ।

ଲାଲ ଚନ୍ଦ ଗୋଦାରା ୨୦ ବର୍ଷ ବୟସ ପୂର୍ବରୁ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେନାରେ ସେବା ଦେବା ପରେ ସେ ହରିୟାଣା ପରିବହନ ବିଭାଗରେ ୟାର୍ଡ ମାଷ୍ଟର ଭାବେ କାର୍ଯ୍ୟ କରିଥିଲେ। ୨୦୦୨ରେ ଚାକିରିରୁ ଅବସର ନେବା ପରେ ମଧ୍ୟ ସେ ନିଜକୁ ନିଷ୍କ୍ରିୟ ରଖିନଥିଲେ। ସେ ମାଷ୍ଟର୍ସ ଆଥଲେଟିକ୍ସରେ ଭାଗ ନେଇଥିଲେ ଏବଂ ହରିୟାଣା ମାଷ୍ଟର୍ସ ଆଥଲେଟିକ୍ସ ସମେତ ବିଭିନ୍ନ ପ୍ରତିଯୋଗିତାରେ ପଦକ ମଧ୍ୟ ଜିତିଥିଲେ।

ଗୋଦାରାଙ୍କ ବଡ଼ ପୁଅ ସାହିବ ରାମ କହିଛନ୍ତି ଯେ, ତାଙ୍କ ବାପାଙ୍କର ଛୋଟବେଳୁ ବହି ପଢ଼ିବା ପ୍ରତି ବହୁତ ଆଗ୍ରହ ଥିଲା। ସେ ନିୟମିତ ଡାଏରୀ ମଧ୍ୟ ଲେଖୁଥିଲେ। ଲେଖାଲେଖି ତାଙ୍କୁ ମାନସିକ ସନ୍ତୋଷ ଦେଉଥିଲା। କିନ୍ତୁ ଜୀବନର ପରିସ୍ଥିତି ତାଙ୍କୁ ଅନ୍ୟ ଦିଗକୁ ନେଇଯାଇଥିଲା ଏବଂ ସେ ନିଜ ଶିକ୍ଷାକୁ ଆଗକୁ ନେଇପାରିନଥିଲେ। ପରେ ତାଙ୍କ ସାନ ପୁଅଙ୍କ ଦୁଇ ସନ୍ତାନ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରିବାରୁ ତାଙ୍କ ମନରେ ପୁଣିଥରେ ଜ୍ଞାନ ଆହରଣର ଇଚ୍ଛା ଜାଗିଥିଲା।

୮୫ ବର୍ଷ ବୟସରେ ମାଷ୍ଟର୍ସ ଡିଗ୍ରୀ ହାସଲ କରିବା ପରେ ମଧ୍ୟ ଗୋଦାରାଙ୍କ ଶିକ୍ଷା ପ୍ରତି ଆଗ୍ରହ ଥମିନାହିଁ। ଏବେ ସେ ପିଏଚ୍ଡି କିମ୍ବା ଆଇନ ଡିଗ୍ରୀ ହାସଲ କରିବା ଦିଗରେ ଆଗକୁ ବଢ଼ିବାକୁ ଚାହୁଁଛନ୍ତି। ଗୋଦାରାଙ୍କ କହିବା ଅନୁସାରେ, ଶିଖିବାର ଇଚ୍ଛା କୌଣସି ବୟସରେ ଅଟକିଯିବା ଉଚିତ ନୁହେଁ। ଶିକ୍ଷା କେବଳ ଡିଗ୍ରୀ ହାସଲ କରିବାର ମାଧ୍ୟମ ନୁହେଁ, ଏହା ମଣିଷର ଚିନ୍ତାଧାରା ଓ ଦୃଷ୍ଟିକୋଣକୁ ଆହୁରି ବ୍ୟାପକ କରେ। ତାଙ୍କ ଏହି ଯାତ୍ରା ଦେଖାଇଦେଇଛି ଯେ ଶିକ୍ଷା ପାଇଁ ବୟସ କେବେ ବି ସୀମା ନୁହେଁ।