ନୂଆଦିଲ୍ଲୀ-;୧୯୩୦ ଦଶକରେ ଜଣେ ଶିଶୁ କଳାକାର ଭାବେ ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ ନୁର ଜେହାନ୍। ବଙ୍ଗଳାରୁ ବମ୍ବେ ଏବଂ ପରେ ୧୯୪୨ ମସିହାର ଧୁମ ମଚାଇଥିବା ଚଳଚ୍ଚିତ୍ର 'ଖନ୍ଦାନ' ତାଙ୍କୁ ରାତାରାତି ଷ୍ଟର ମୁକୁଟ ପିନ୍ଧାଇଥିଲା। ସେ କେବଳ ଜଣେ ଅଭିନେତ୍ରୀ ନଥିଲେ, ବରଂ ନିଜ ଗୀତ ନିଜେ ଗାଇ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିଲେ। ସେହି ସମୟର ନିର୍ଦ୍ଦେଶକ ଶୌକତ ହୁସେନ ରିଜଭି ତାଙ୍କ ପ୍ରେମରେ ପଡ଼ିଥିଲେ ଏବଂ ପରିବାର ଓ ପ୍ରଯୋଜକଙ୍କ ବିରୋଧ ସତ୍ତ୍ୱେ ସେ ସାହସର ସହ ରିଜଭିଙ୍କୁ ବିବାହ କରିଥିଲେ।

୧୯୪୭ ମସିହାରେ ଦେଶ ବିଭାଜନ ପରେ ନୁର ଜେହାନ୍ ନିଜ ଜନ୍ମମାଟି ପାକିସ୍ତାନ ଫେରିଯିବାକୁ ନିଷ୍ପତ୍ତି ନେଲେ। ସେତେବେଳେ ପାକିସ୍ତାନରେ ସିନେମା ଶିଳ୍ପ ସଂପୂର୍ଣ୍ଣ ଭାଙ୍ଗିପଡ଼ିଥିଲା। ଅନେକ ବଲିଉଡ୍ କଳାକାର ଭାରତ ଫେରିଆସିଥିଲେ, କିନ୍ତୁ ନୁର ଜେହାନ୍ ହାର ମାନି ନଥିଲେ। ସ୍ୱାମୀଙ୍କ ସହ ମିଶି ସେ ଏକ ପୁରୁଣା ଷ୍ଟୁଡିଓକୁ କିଣି ପୁନଃନିର୍ମାଣ କଲେ। ମାତ୍ର ତିନି ବର୍ଷ ପରେ, ସେ ପାକିସ୍ତାନର ପ୍ରଥମ ମହିଳା ଚଳଚ୍ଚିତ୍ର ନିର୍ଦ୍ଦେଶିକା ଭାବେ ଇତିହାସ ରଚିଲେ। ତାଙ୍କ ନିର୍ଦ୍ଦେଶିତ ତଥା ଅଭିନୀତ ଚଳଚ୍ଚିତ୍ର 'ଚାନ୍ ୱେ' ଏକ ବଡ଼ ସଫଳତା ହାସଲ କରିଥିଲା।

also read -କିଏ ଥିଲେ ଆର୍.ଏନ୍. କାଓ? ଭାରତର ପ୍ରଥମ R&AW ମୁଖ୍ୟଙ୍କ ରୋଚକ କାହାଣୀ, ଏବେ ବଡ଼ ପରଦାରେ ଆସିବ ଗୁପ୍ତଚରଙ୍କ ଜୀବନ

ନୁର ଜେହାନ୍ କେବଳ ଜଣେ କଳାକାର ନଥିଲେ, ବରଂ ସେ ଜଣେ ବୁଦ୍ଧିମାନ ବ୍ୟବସାୟୀ ମଧ୍ୟ ଥିଲେ। ସେ ସର୍ବଦା ଆର୍ଥିକ ସ୍ୱାଧୀନତା ଉପରେ ଗୁରୁତ୍ୱ ଦେଉଥିଲେ ଏବଂ ନିଜ ଘର ତଥା ଷ୍ଟୁଡିଓକୁ ନିଜ ନାମରେ ରଖିଥିଲେ। ପାକିସ୍ତାନରେ ସେ ସେତେବେଳେ ଅନ୍ୟ ଗାୟକମାନଙ୍କ ତୁଳନାରେ ସର୍ବାଧିକ ପାରିଶ୍ରମିକ (ପ୍ରାୟ ୨,୦୦୦ ଟଙ୍କା) ନେଉଥିଲେ। ପୁରୁଷ ପ୍ରଧାନ ସମାଜରେ ତାଙ୍କର ଏହି ନିର୍ଭୀକତା ଅନେକଙ୍କୁ ଚକିତ କରିଥିଲା। ଥରେ ଜଣେ ପ୍ରଯୋଜକ ତାଙ୍କ ଷ୍ଟୁଡିଓ ଭିତରକୁ ଜୋରଜବରଦସ୍ତି ପଶିଆସିବାରୁ, ସେ ତାଙ୍କୁ କାନଧରି ବାହାର କରିଦେଇଥିଲେ।

ଭାରତର ସ୍ୱର କୋକିଳା ଲତା ମଙ୍ଗେସକର ନିଜେ ଏକ ସାକ୍ଷାତକାରରେ ସ୍ୱୀକାର କରିଥିଲେ ଯେ ନୁର ଜେହାନ୍ ତାଙ୍କର ପ୍ରକୃତ ରୋଲ୍ ମଡେଲ୍ ଥିଲେ। ସେ କହିଥିଲେ, "ଆମେ ପିଲାଦିନେ ନୁର ଜେହାନ୍ଙ୍କୁ ଶୁଣି ବଡ଼ ହୋଇଛୁ।" ୧୯୮୨ ମସିହାରେ ବିଭାଜନ ପରେ ପ୍ରଥମଥର ପାଇଁ ନୁର ଜେହାନ୍ ଭାରତ ଗସ୍ତ କରିଥିଲେ, ଯେଉଁଠାରେ ତାଙ୍କୁ ଭାରତୀୟ ସିନେମା ଜଗତ ଏବଂ ଲତା ଜୀ ଖୋଲା ହୃଦୟରେ ସ୍ୱାଗତ କରିଥିଲେ।"୨୦୦୦ ମସିହାରେ ଏହି ମହାନ କଣ୍ଠଶିଳ୍ପୀ ଏହି ମାଟିରୁ ବିଦାୟ ନେଇଥିଲେ, କିନ୍ତୁ ତାଙ୍କର ସେହି ଯାଦୁକରୀ କଣ୍ଠସ୍ୱର ଏବଂ ତାଙ୍କ ଜୀବନର ସଂଘର୍ଷର କାହାଣୀ ଆଜି ମଧ୍ୟ ସମଗ୍ର ବିଶ୍ୱର ସଙ୍ଗୀତପ୍ରେମୀଙ୍କ ହୃଦୟରେ ଅମର ହୋଇ ରହିଛି।