ବୋଲିଭିଆ : ଘଞ୍ଚ ଜଙ୍ଗଲରେ ଆଜି ବି ପ୍ରକୃତିର ଅନେକ ରହସ୍ୟ ଲୁଚି ରହିଛି। ଏହାର ଏକ ଚମତ୍କାର ଉଦାହରଣ ହେଉଛି ବଲିଭିଆରେ ମିଳିଥିବା ଏକ ଛୋଟ ଜଙ୍ଗଲୀ ବିଲେଇ। ଦେଖିବାକୁ ଘରୋଇ ବିଲେଇ ଭଳି, କିନ୍ତୁ ଏହା ଏକ ସମ୍ପୂର୍ଣ୍ଣ ନୂଆ ପ୍ରଜାତି। ବୈଜ୍ଞାନିକମାନେ ଏହି ବିଲେଇକୁ ପ୍ରଥମେ ସାଧାରଣ ‘ଟାଇଗର କ୍ୟାଟ୍’ ବୋଲି ଭାବିଥିଲେ । କିନ୍ତୁ ଡିଏନଏ ପରୀକ୍ଷା ପରେ ଜଣାପଡ଼ିଲା, ଏହା ଏକ ସମ୍ପୂର୍ଣ୍ଣ ନୂଆ ପ୍ରଜାତି। ଏହି ବିଲେଇର ବୈଜ୍ଞାନିକ ନାମ ‘ଲିଓପାର୍ଡସ୍ ଟିଲ୍କାୟୋ’ । ସ୍ଥାନୀୟ ଲୋକେ ଏହାକୁ ‘ଟିଲ୍କାୟୋ’ ନାମରେ ଜାଣନ୍ତି ।

ଏହି ବିଲେଇର ଆକାର ଏତେ ଛୋଟ ଯେ ଏହା ଏକ ସାଧାରଣ ଘରୋଇ ବିଲେଇଠାରୁ ମଧ୍ୟ ଛୋଟ । ଏହାର ଶରୀରର ଲମ୍ବ ପ୍ରାୟ ୪୬ ସେଣ୍ଟିମିଟର, ଅର୍ଥାତ୍ ପ୍ରାୟ ୧୮ ଇଞ୍ଚ ଏବଂ ଓଜନ ପ୍ରାୟ ୧.୪ କିଲୋଗ୍ରାମ, ଅର୍ଥାତ୍ ୩ ପାଉଣ୍ଡ। ଏହାର ଶରୀରରେ ଚିତାବାଘ ଭଳି ଦାଗ ଏବଂ ଛୋଟ ଗୋଲାକାର କାନ ରହିଛି। ୨୦୧୬ରେ ବଲିଭିଆର ଜଣେ ବ୍ୟକ୍ତି ଜଙ୍ଗଲ ନିକଟ ରାସ୍ତାରୁ ଏହି ବିଲେଇ ଛୁଆକୁ ପାଇ ଘରକୁ ନେଇଥିଲେ। ପରେ ଏହା ବନ୍ୟପ୍ରାଣୀ ବୋଲି ଜାଣି ଏକ ଆଶ୍ରୟସ୍ଥଳୀକୁ ହସ୍ତାନ୍ତର କରିଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି, ୧୦୦ ବର୍ଷରୁ ଅଧିକ ସମୟ ପରେ ପ୍ରଥମ ଥର ପାଇଁ ଏପରି ଏକ ନୂଆ ବିଲେଇ ପ୍ରଜାତିକୁ ବୈଜ୍ଞାନିକ ଭାବେ ଚିହ୍ନଟ କରାଯାଇଛି ।

ସବୁଠାରୁ ରୋଚକ କଥା ହେଉଛି, ଏହି ବିଲେଇକୁ ସ୍ଥାନୀୟ ଲୋକେ ପୂର୍ବରୁ ‘ଟିଲ୍କାୟୋ’ ବୋଲି ଡାକୁଥିଲେ। ପରେ ବୈଜ୍ଞାନିକମାନେ ମଧ୍ୟ ସ୍ଥାନୀୟ ନାମକୁ ଆଧାର କରି ଏହାର ବୈଜ୍ଞାନିକ ନାମ 'ଲିଓପାର୍ଡସ୍ ଟିଲ୍କାୟୋ' ରଖିଛନ୍ତି। ପ୍ରଥମେ ଗବେଷକମାନେ ଏହାକୁ ଅନ୍ୟ ଏକ ଟାଇଗର୍ କ୍ୟାଟ୍ ପ୍ରଜାତି ବୋଲି ଭାବିଥିଲେ। ବୈଜ୍ଞାନିକ ପାଓଲା ନୋଗାଲେସ୍-ଆସ୍କାରୁଞ୍ଜ, ଏହାକୁ ଦେଖିବା ପରେ ପ୍ରଥମେ ଏହାର ଅସାଧାରଣ ଦାଗ ଓ ଆକାର ଉପରେ ତାଙ୍କ ଧ୍ୟାନ ଆକର୍ଷିତ ହୋଇଥିଲା । ପରେ ବୈଜ୍ଞାନିକମାନେ ଏହାର ଜେନେଟିକ୍ ବିଶ୍ଳେଷଣ କରିଥିଲେ। ଦକ୍ଷିଣ ଆମେରିକାର ବିଭିନ୍ନ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ୩୮ଟି ବିଲେଇର ଜେନେଟିକ୍ ତଥ୍ୟ ବିଶ୍ଳେଷଣ କରି ଗବେଷକମାନେ ନିଶ୍ଚିତ ହେଲେ ଯେ ‘ଟିଲ୍କାୟୋ’ ଅନ୍ୟ ଟାଇଗର କ୍ୟାଟ୍ଠାରୁ ଗୁଣସୂତ୍ର ଦୃଷ୍ଟିରୁ ଭିନ୍ନ । ଗବେଷଣା ଅନୁସାରେ ଏହାର ବଂଶ ଅନ୍ୟ ଟାଇଗର କ୍ୟାଟ୍ଠାରୁ ପ୍ରାୟ ୧୪ ଲକ୍ଷ ବର୍ଷ ପୂର୍ବେ ଅଲଗା ହୋଇଥିଲା। ପ୍ରାୟ ୧୦୦ ବର୍ଷ ପରେ ଏହି ନୂଆ ପ୍ରଜାତି ଆବିଷ୍କୃତ ହୋଇଛି। କିନ୍ତୁ ଏହାର ସଂଖ୍ୟା କେତେ, କ'ଣ ଖାଏ ଏବଂ କିପରି ବଂଶବୃଦ୍ଧି କରେ ତାହା ଏବେ ବି ଅଜଣା।