ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ବହୁପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାକା' ରିଲିଜ୍ ହେବା ପୂର୍ବରୁ ଏକ ବଡ଼ ସଫଳତା ହାସଲ କରିଛି। ସୋମବାର (ସେପ୍ଟେମ୍ବର ୨୧) ନିର୍ଦ୍ଦେଶକ ଅଟଲିଙ୍କ ୪୦ତମ ଜନ୍ମଦିନ ଅବସରରେ ପ୍ରଯୋଜନା ସଂସ୍ଥା ପକ୍ଷରୁ ଏକ ବିଶେଷ ଘୋଷଣା କରାଯାଇଛି। 'ରାକା' ଚଳଚ୍ଚିତ୍ରଟି ଆଧୁନିକ ସିନେମା ନିର୍ମାଣ ଶୈଳୀରେ 'ସବୁଠାରୁ ଅଧିକ ଲୋକଙ୍କର ଏକାସାଙ୍ଗରେ ରିଅଲ-ଟାଇମ୍ ମୋସନ୍-କ୍ୟାପଚର' କରି ଗିନିଜ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଛି।

ଏହି ସିନ୍‌ରେ ଏକାସାଙ୍ଗରେ ୩୭ ଜଣ କଳାକାରଙ୍କର ମୋସନ୍-କ୍ୟାପଚର କରାଯାଇଥିଲା, ଯାହା ବିଶ୍ୱ ସିନେମା ଇତିହାସରେ ପ୍ରଥମ। ପ୍ରଯୋଜନା ସଂସ୍ଥା ସନ୍ ପିକ୍ଚର୍ସ ନିଜର 'X' ଆକାଉଣ୍ଟରେ ଅଲ୍ଲୁ ଅର୍ଜୁନ ଏବଂ ଅଟଲି ଗିନିଜ୍ ୱାର୍ଲ୍ଡ ରେକର୍ଡସର ଅଫିସିଆଲ୍ ସାର୍ଟିଫିକେଟ୍ ଗ୍ରହଣ କରୁଥିବାର ଫଟୋ ସେୟାର କରିଛି ।

ସନ୍ ପିକ୍ଚର୍ସ ଲେଖିଛି, ‘ଇତିହାସ ରଚିଲା ! ଏକ ବିଶ୍ୱସ୍ତରୀୟ ସଫଳତା ଯାହା ଭାରତୀୟ ସିନେମାକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ଦେଇଛି। ୩୭ ଜଣ କଳାକାରଙ୍କୁ ଏକାସାଙ୍ଗରେ ରିଅଲ-ଟାଇମ୍ ମୋସନ୍-କ୍ୟାପଚର କରି '#Raaka' ଗିନିଜ୍ ୱାର୍ଲ୍ଡ ରେକର୍ଡ ନିଜ ନାମରେ କରିଛି। ଅଲ୍ଲୁ ଅର୍ଜୁନ ଏବଂ ଅଟଲି ଏହି ଐତିହାସିକ ସଫଳତାର ସାର୍ଟିଫିକେଟ୍ ଗ୍ରହଣ କରିଛନ୍ତି।’ ଏହି ରେକର୍ଡ ଉପରେ ନିଜର ଖୁସି ବ୍ୟକ୍ତ କରି ଅଲ୍ଲୁ ଅର୍ଜୁନ କହିଛନ୍ତି ଯେ, ‘ଏହା ଆମର ସମ୍ପୂର୍ଣ୍ଣ ଟିମ୍ ପାଇଁ ଏକ ଅତ୍ୟନ୍ତ ଗର୍ବର ମୁହୂର୍ତ୍ତ। ଆମର ଏହି ପ୍ରଚେଷ୍ଟାକୁ ଅଫିସିଆଲି ସ୍ୱୀକୃତି ଦେଇଥିବାରୁ ଆମେ ଗିନିଜ୍ ୱାର୍ଲ୍ଡ ରେକର୍ଡସ ନିକଟରେ କୃତଜ୍ଞ।’

ପ୍ରଯୋଜକ ଏହି ବିଶେଷ ସିନ୍ କିପରି ସୁଟିଂ କରାଯାଇଥିଲା, ତାହାର ଏକ ବିହାଇଣ୍ଡ ଦି ସିନ୍‌ସ (Behind-The-Scenes) ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ, କିପରି ୩୭ ଜଣ ଆକ୍ଟର ସ୍ପେଶାଲ ସୁଟ୍ ପିନ୍ଧି ଏକାସାଙ୍ଗରେ ରିଅଲ-ଟାଇମ୍ ମୋସନ୍-କ୍ୟାପଚର ପାଇଁ ଶୁଟିଂ କରୁଛନ୍ତି।

'ରାକା' ଫିଲ୍ମ 
ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଲ୍ଲୁ ଅର୍ଜୁନ ଏହି ଚଳଚ୍ଚିତ୍ରରେ ୪ଟି ଭିନ୍ନ ଭିନ୍ନ ଚରିତ୍ରରେ (ଅଜା, ବାପା ଏବଂ ଦୁଇ ପୁଅ) ନଜର ଆସିବେ। ଫିଲ୍ମଟିରେ ମଲ୍ଟିଭର୍ସର କନସେପ୍ଟ ଥାଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ନିର୍ମାତାଙ୍କ ପକ୍ଷରୁ ଏନେଇ ସ୍ପଷ୍ଟ କରାଯାଇ ନାହିଁ। ଏହି ସାଇନ୍ସ-ଫିକ୍ସନ୍ ଆକ୍ସନ୍ ଡ୍ରାମାରେ ଦୀପିକା ପାଦୁକୋନ୍, ରଶ୍ମିକା ମନ୍ଦାନା, ଜାହ୍ନବୀ କପୁର ଏବଂ ମୃଣାଳ ଠାକୁରଙ୍କ ଭଳି ବଡ଼ ଅଭିନେତ୍ରୀମାନେ ପ୍ରମୁଖ ଭୂମିକାରେ ଅଛନ୍ତି। ତେବେ ଅଲ୍ଲୁ ଅର୍ଜୁନ ଏବଂ ସୁପରହିଟ୍ ନିର୍ଦ୍ଦେଶକ ଅଟଲି ଯୋଡ଼ିଙ୍କ ଏହା ପ୍ରଥମ ପ୍ରୋଜେକ୍ଟ।