ଲଖିମପୁର ଖେରୀ: ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଜିଲ୍ଲାରୁ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ନୃଶଂସ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ସ୍କୁଲ୍ ପରିସରରେ ପଶି ଛାତ୍ରଛାତ୍ରୀଙ୍କ ସମ୍ମୁଖରେ ଶିକ୍ଷୟିତ୍ରୀଙ୍କୁ ଗୁଳି କରି ହତ୍ୟା କରିବା ପରେ ନିଜେ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ପ୍ରେମ ସମ୍ପର୍କ ଭାଙ୍ଗିଯିବା କାରଣରୁ ଏହି କାଣ୍ଡ ଘଟିଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣା ପୂରା ଉତ୍ତର ପ୍ରଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗ୍ରାମୀଣ ଅଞ୍ଚଳରେ ଥିବା 'ଚିଲ୍ଡ୍ରେନ୍ସ ଏକାଡେମୀ ସ୍କୁଲ'ରେ ପୂର୍ବାହ୍ନ ପ୍ରାୟ ୧୧ଟା ୩୦ ମିନିଟ୍ ସମୟରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତ ଶିକ୍ଷୟିତ୍ରୀଙ୍କ ନାମ ନିଶାତ ଫାତିମା (୨୬) ଓ ଅଭିଯୁକ୍ତ ପ୍ରେମିକଙ୍କ ନାମ ମହମ୍ମଦ ସୌଦ (୨୭)। ନିଶାତ ଗତ ବର୍ଷେ ହେବ ଏହି ସ୍କୁଲରେ ଶିକ୍ଷାଦାନ କରୁଥିଲେ। ସୌଦଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିବା ବେଳେ ନିକଟରେ ସେ ଏହି ସମ୍ପର୍କ ଭାଙ୍ଗି ଦେଇଥିଲେ, ଯାହାକୁ ନେଇ ସୌଦ ଅତ୍ୟନ୍ତ କ୍ରୋଧିତ ଥିଲେ।

ସୋମବାର ସୌଦ ନିଜ ବ୍ୟାଗରେ ବନ୍ଧୁକ ଲୁଚାଇ ସ୍କୁଲ୍ ପରିସରରେ ପହଞ୍ଚିଥିଲେ। ସେ ପ୍ରଥମେ ନିଶାତଙ୍କୁ ତଳ ମହଲାକୁ ଡାକିଥିଲେ ଏବଂ ପରେ ତାଙ୍କୁ ବାଧ୍ୟ କରି ଉପର ମହଲାର କରିଡରକୁ ନେଇଯାଇଥିଲେ। ସ୍କୁଲରେ ଲାଗିଥିବା ସିସିଟିଭି ଫୁଟେଜ୍ରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ସୌଦ, ନିଶାତଙ୍କ ହାତ ଧରି ଟାଣି ଟାଣି ନେଉଥିବା ବେଳେ ଶିକ୍ଷୟିତ୍ରୀ ଜଣକ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସମ୍ପୂର୍ଣ୍ଣ ଦୃଶ୍ୟକୁ କୋମଳମତି ପିଲାମାନେ ଭୟଭୀତ ହୋଇ ଦେଖୁଥିଲେ।

ସ୍କୁଲ ପରିସରରେ ସୌଦ ଏବଂ ନିଶାତଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତା ହେବା ପରେ, ସୌଦ ହଠାତ୍ ନିଜ ବ୍ୟାଗରୁ ପିସ୍ତୋଲ କାଢ଼ି ନିଶାତଙ୍କ ମୁଣ୍ଡକୁ ଗୁଳି କରିଥିଲେ। ଏହାପରେ ସେ ନିଜ ମୁଣ୍ଡରେ ଗୁଳି ମାରି ଆତ୍ମହତ୍ୟା କରିଥିଲେ। ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା।

ସ୍କୁଲ ମଧ୍ୟରେ ପାଖାପାଖି ୪ ରାଉଣ୍ଡ ଗୁଳି ଫୁଟିବା ଶବ୍ଦ ଶୁଣି ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ପୋଷ୍ଟମୋର୍ଟମ ପାଇଁ ପଠାଇଛି।

ଏହି ସ୍କୁଲଟି ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ। ସ୍କୁଲର ସୁରକ୍ଷା ବ୍ୟବସ୍ଥାରେ କୌଣସି ତ୍ରୁଟି ଥିଲା କି ନାହିଁ ଏବଂ ଜଣେ ଅଜଣା ଯୁବକ କିପରି ସ୍କୁଲ ଭିତରକୁ ମାରାତ୍ମକ ଅସ୍ତ୍ର ନେଇ ପ୍ରବେଶ କଲା, ସେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ଏହି ମାମଲାରେ ଅଧିକ ସ୍ପଷ୍ଟତା ଆସିବ ବୋଲି ବରିଷ୍ଠ ପୋଲିସ ଅଧିକାରୀ ଜଣାଇଛନ୍ତି।