ଅମରାବତୀ: ହଷ୍ଟେଲରେ ବୁଲୁଛି ଭୂତ। ରାତିରେ ଶୁଭୁଛି ପାଉଁଜିର ଶବ୍ଦ। ଏହି ଖବର ଚାରିଆଡେ ଖେଳିଗଲା। ଆଉ ରହିବ ବା କିଏ ? ଛାତ୍ରୀ ଅସ୍ୱାଭାବିକ ଆଚରଣ କରିବାକୁ ଲାଗିଲେ। ଭୟ ଏତେ ବଢ଼ିଲା ଯେ ମହାରାଷ୍ଟ୍ରର ଅମରାବତୀ ଜିଲ୍ଲାର ଏକ ସରକାରୀ ଆଦିବାସୀ ଛାତ୍ରାବାସରୁ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଚାଲିଯାଇଥିବା ଜଣାପଡ଼ିଛି। ଘଟଣାକୁ ନେଇ ଏବେ ପ୍ରଶାସନ ଚିନ୍ତାରେ।

ଉତ୍ତର ମହାରାଷ୍ଟ୍ରର ଆଦିବାସୀ ବହୁଳ ମେଲଘାଟ ଅଞ୍ଚଳର ଚିଖଲଦରା ତହସିଲ ଅଧୀନ ଡୋମା ଗାଁରେ ରହିଛି ଏହି ଆଦିବାସୀ ଆବାସିକ ବିଦ୍ୟାଳୟ। ଏଠାରେ ପ୍ରାୟ ୮୧୦ ଛାତ୍ରଛାତ୍ରୀ ରହି ପାଠ ପଢ଼ନ୍ତି। ଛାତ୍ରାବାସଟି ଜନଜାତି ବିକାଶ ବିଭାଗ ଅଧୀନରେ ପରିଚାଳିତ ହେଉଛି। ଅଧିକାରୀଙ୍କ ଅନୁସାରେ, ଜୁଲାଇ ୨୨ ତାରିଖରେ ବ୍ୟତିକ୍ରମ ଘଟିଲା। ହଷ୍ଟେଲର ୪ ଜଣ ଛାତ୍ରୀ ହଠାତ୍ ଅସ୍ୱାଭାବିକ ଆଚରଣ କରିବାକୁ ଲାଗିଥିଲେ। କୌଣସି କାରଣ ନଥାଇ ସେମାନେ କେତେବେଳେ କାନ୍ଦୁଥିଲେ ତ ଆଉ କେତେବେଳେ ହସୁଥିଲେ।

ଏହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୟ ବ୍ୟାପିଯାଇଥିଲା। କିଛି ଦିନ ମଧ୍ୟରେ ଏହା ‘ଆତ୍ମାର ସାୟା’ ବୋଲି କଥା ପ୍ରଚାର ହେବାରେ ଲାଗିଲା। ଫଳରେ ପ୍ରାୟ ୬୦୦ ଛାତ୍ରଛାତ୍ରୀ ଛାତ୍ରାବାସ ଛାଡ଼ି ନିଜ ଘରକୁ ଚାଲିଯାଇଥିଲେ। ଛାତ୍ରାବାସ ସହ ଜଡ଼ିତ ଜଣେ ବ୍ୟକ୍ତିଙ୍କ କହିବା ଅନୁସାରେ, କିଛି ଛାତ୍ରୀ ପାଉଁଜିର ଶବ୍ଦ ଶୁଣିଥିବା ଦାବି କରିଥିଲେ। ଏହା ପରେ ଗୁଜବ ଆହୁରି ଜୋର ଧରିଥିଲା। କିନ୍ତୁ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଟିମ୍ ଛାତ୍ରାବାସ ପରିଦର୍ଶନ କରିବା ପରେ ଘଟଣାର କାରଣ ଅଲୌକିକ ଶକ୍ତି ନୁହେଁ, ବରଂ ମାନସିକ ଚାପ ବୋଲି କହିଛନ୍ତି।

ଘଟଣାକୁ ନେଇ ପ୍ରସ୍ତୁତ ମନୋବୈଜ୍ଞାନିକ ରିପୋର୍ଟରେ ଅନେକ ସ୍ଥାନୀୟ ବିଶ୍ୱାସ ଓ ଗୁଜବ ବିଷୟରେ ଉଲ୍ଲେଖ ରହିଛି। ସ୍ଥାନୀୟ ଲୋକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଭଳି ଧାରଣା ଥିବା କୁହାଯାଉଛି ଯେ, ଆଶ୍ରମ ସ୍କୁଲ୍ ଥିବା ସ୍ଥାନରେ ପୂର୍ବରୁ ଏକ ମହୁଲ ଗଛ ଥିଲା। ସେହି ଗଛରେ ଆତ୍ମା ରହୁଥିଲେ ବୋଲି କେତେକଙ୍କ ବିଶ୍ୱାସ ଥିଲା। ସ୍କୁଲ୍ ପରିଚାଳନା ଗଛଟିକୁ କାଟିଦେବା ପରେ ଆତ୍ମାମାନେ ରାଗିଯାଇ ଛାତ୍ରଛାତ୍ରୀଙ୍କୁ ହଇରାଣ କରୁଥିବା ଭଳି ଗୁଜବ ମଧ୍ୟ ପ୍ରଚାର ହୋଇଥିଲା।

also read- ଧରାପଡ଼ିଗଲା ଇସ୍ରାଏଲର ଭୟଙ୍କର ଗଣହତ୍ୟା ଯୋଜନା, ଗାଜାରେ ପ୍ରତି ରାତିରେ ରକ୍ତପାତର ସାଂଘାତିକ ନିର୍ଦ୍ଦେଶ

ରିପୋର୍ଟରେ ଆଉ ଏକ ସ୍ଥାନୀୟ ବିଶ୍ୱାସର ଉଲ୍ଲେଖ ରହିଛି। ସ୍କୁଲ୍ ପଛପଟେ ଥିବା ସ୍ଥାନୀୟ ଆରାଧ୍ୟ ଦେବତାଙ୍କ ମନ୍ଦିର ଉପରେ ସ୍କୁଲ୍ର ଡ୍ରେନ୍ର ପ୍ରଭାବ ଯାଇଥିବାରୁ ଦେବତା ରାଗିଥିବା ନେଇ ମଧ୍ୟ ଚର୍ଚ୍ଚା ହୋଇଥିଲା। ଏହା ବ୍ୟତୀତ ସ୍କୁଲ୍ ନିକଟସ୍ଥ ଏକ ଜମିରେ ଜଣେ ଆଦିବାସୀ ଯୁବକଙ୍କ ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ଆତ୍ମା ଭୂତ ହୋଇ ସ୍କୁଲ୍ରେ ଘୁରୁଥିବା ଭଳି ଗୁଜବ ମଧ୍ୟ ରହିଥିଲା। ଏହି ସମ୍ପୂର୍ଣ୍ଣ ଘଟଣା ପଛରେ ଅନ୍ଧବିଶ୍ୱାସ, ଭୟ, ମାନସିକ ଚାପ ବୋଲି କହିଛନ୍ତି ମନୋବିଜ୍ଞାନୀ।