ତେଲ୍ ଆଭିଭ୍: ଗାଜାରେ ଇସ୍ରାଏଲର ସାମରିକ ଅଭିଯାନକୁ ଆହୁରି ତୀବ୍ର କର। ବିଶ୍ୱ ଶାନ୍ତି ଖୋଜୁଥିବା ବେଳେ ଉସକାଇଲା ଭଳି କଥା କହିଲେ ଇସ୍ରାଏଲ ଜାତୀୟ ସୁରକ୍ଷା ମନ୍ତ୍ରୀ ଇତାମାର ବେନ୍-ଗ୍ୱିର। ଏକ ପଡ୍‌କାଷ୍ଟରେ ଗାଜାର ପୂର୍ବତନ ବନ୍ଧକ ରୋମ୍ ବ୍ରାସ୍ଲାଭସ୍କିଙ୍କ ସହ କଥା ହେବା ବେଳେ ସେ ଗାଜାରେ ପ୍ରତି ରାତିରେ ୩୦ରୁ ୪୦ ଜଣଙ୍କୁ ହତ୍ୟା କରାଯିବା ଦରକାର ବୋଲି ସେ କହିଛନ୍ତି।

ବେନ୍-ଗ୍ୱିର କହିଛନ୍ତି ଯେ ଗାଜାରେ ଇସ୍ରାଏଲ୍ର ଆକ୍ରମଣ କମିଯିବା ନେଇ ସେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ସହ ସହମତ ନୁହନ୍ତି। ତାଙ୍କ ମତରେ ଗାଜାରେ ଟାର୍ଗେଟେଡ୍ କିଲିଂ ଜାରି ରହିବା ଦରକାର। ବେନ୍-ଗ୍ୱିର ଇସ୍ରାଏଲ୍ର ଧୁର ଦକ୍ଷିଣପନ୍ଥୀ ରାଜନୀତିର ଜଣେ ପ୍ରମୁଖ ଚେହେରା ଭାବେ ପରିଚିତ। ଗାଜାରେ ଇସ୍ରାଏଲୀ ସାମରିକ ଅଭିଯାନର ତୀବ୍ରତା କମିବା ନେଇ ସେ ନିଜ ସରକାରଙ୍କ ନୀତି ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ତାଙ୍କ ଏହି ବୟାନ ସାମ୍ନାକୁ ଆସିବା ପରେ ଅନ୍ତର୍ଜାତୀୟ ସ୍ତରରେ ପୁଣିଥରେ ଚର୍ଚ୍ଚା ହୋଇଛି। ଇସ୍ରାଏଲୀ ଅଧିକାରୀଙ୍କ ଏଭଳି ବୟାନ ପୂର୍ବରୁ ମଧ୍ୟ ଗାଜା ସଂଘର୍ଷକୁ ନେଇ ଅନ୍ତର୍ଜାତୀୟ ଆଇନଗତ ଆଲୋଚନାରେ ଉଠିଛି। ଇସ୍ରାଏଲ୍ ତେବେ ଏହି ଅଭିଯୋଗକୁ ଖଣ୍ଡନ କରିଆସିଛି। ବେନ୍-ଗ୍ୱିରଙ୍କ ପାଖରେ ଇସ୍ରାଏଲୀ ସେନାକୁ ସିଧାସଳଖ ଆଦେଶ ଦେବାର ଅଧିକାର ନାହିଁ। କିନ୍ତୁ ଦେଶର ପୁଲିସ ଏବଂ ଜେଲ୍ ସେବା ତାଙ୍କ ମନ୍ତ୍ରଣାଳୟ ଅଧୀନରେ ରହିଥିବାରୁ ସୁରକ୍ଷା ବ୍ୟବସ୍ଥାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଉପରେ ତାଙ୍କ ପ୍ରଭାବ ରହିଛି।

ଏହା ସହିତ ଗାଜାରୁ ପାଲେଷ୍ଟାଇନୀୟଙ୍କ ବଡ଼ ଧରଣର ପ୍ରସ୍ଥାନ ଏବଂ ସେଠାରେ ଇସ୍ରାଏଲୀ ନାଗରିକଙ୍କୁ ବସାଇବା ପକ୍ଷରେ ମଧ୍ୟ ବେନ୍-ଗ୍ୱିର ମତ ରଖିଛନ୍ତି। ତାଙ୍କ ଏଭଳି ମତକୁ ନେଇ ଅନ୍ତର୍ଜାତୀୟ ଆଇନ ବିଶେଷଜ୍ଞମାନେ ଗୁରୁତର ଆଇନଗତ ପରିଣାମ ନେଇ ଚେତାବନୀ ଦେଇଛନ୍ତି।

ବେନ୍-ଗ୍ୱିରଙ୍କ ଏହି ବୟାନ ଏଭଳି ସମୟରେ ଆସିଛି, ଯେତେବେଳେ ଗାଜାରେ ଶାନ୍ତି ପ୍ରତିଷ୍ଠା ପାଇଁ କୂଟନୈତିକ ପ୍ରୟାସ ଜୋରଦାର ହୋଇଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗାଜା ଶାନ୍ତି ଯୋଜନାକୁ ଆଗକୁ ବଢ଼ାଇବା ପାଇଁ କୂଟନୈତିକ ଆଲୋଚନା ଚାଲିଛି। ରବିବାର କାହିରାରେ ଟ୍ରମ୍ପଙ୍କ ଦୂତ ଜାରେଡ୍ କୁଶନର୍ ଏବଂ ନିକୋଲାୟ ମ୍ଲାଡେନୋଭ୍ ତୁର୍କୀର ମଧ୍ୟସ୍ଥତାରେ ସହ ବୈଠକ ହୋଇଛି। ଏହି ଆଲୋଚନାରେ ହମାସ୍ର ଅଧିକାରୀମାନେ ମଧ୍ୟ ସାମିଲ ଥିବା ଜଣାପଡ଼ିଛି।

also read- ମହିଳା ହୋଇ ପାକିସ୍ତାନୀଙ୍କୁ ଫୋନରେ ଫସାଉଥିଲେ, କଲ୍ ସେଣ୍ଟର ସ୍କାମରେ ୨୫୮ ବିଦେଶୀଙ୍କୁ ବାନ୍ଧିଲା ପାକିସ୍ତାନ

ଶାନ୍ତି ଆଲୋଚନା ମଧ୍ୟରେ ଗାଜାରେ ଇସ୍ରାଏଲୀ ଆକ୍ରମଣ ଜାରି ରହିଛି। ଇସ୍ରାଏଲୀ ସେନା ପକ୍ଷରୁ ଖାନ୍ ୟୁନିସ୍ ଓ ନୁସେରାତ୍ରେ ହମାସ୍ ଏବଂ ଇସ୍ଲାମିକ୍ ଜିହାଦ୍ର ଠିକଣାକୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଥିବା ଦାବି କରାଯାଇଛି।