ନୂଆଦିଲ୍ଲୀ, ୦୩ /୧୨: ପାକିସ୍ତାନ ପାଇଁ କରୁଥିଲେ ଗୁଇନ୍ଦାଗିରି । ବନ୍ଧା ହେଲେ ଆଇନଜୀବୀ । ପାକିସ୍ତାନର ଆଇଏସଆଇ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ରିଜଓ୍ୱାନ ନାମକ ଜଣେ ଓକିଲଙ୍କୁ ଗିରଫ କରାଯାଇଛି । ସେ ଦୀର୍ଘଦିନ ହେବ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାକିସ୍ତାନକୁ ଦେଇ ଆସୁଥିଲେ । ଯାହା ଜଣାପଡିବା ପରେ ପଞ୍ଜାବ ଏବଂ ହରିୟାଣା ପୋଲିସ ଆକ୍ସନ ନେଇଛି ।

ସୂଚନାନୁସାରେ, କିଛି ଦିନ ତଳେ ମୁସାରଫ ନାମକ ଜଣେ ଓକିଲଙ୍କୁ ପୋଲିସ ଗିରଫ କରିଥିଲା । ସେ ପାକ୍ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ବନ୍ଧା ହୋଇଥିଲେ । ତାଙ୍କୁ ଜେରା ବେଳେ ସେ ରିଜଓ୍ୱାନଙ୍କ ନାଁ ନେଇଥିଲେ । ରିଜଓ୍ୱାନ ମଧ୍ୟ ପେସାରେ ଜଣେ ଓକିଲ ବୋଲି ଜଣା ପଡିଥିଲା । ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା ।

ମୁସାରଫର କହିବାନୁସାରେ, ସେ ୨୦୨୨ରେ ରିଜଓ୍ୱାନଙ୍କୁ ଭେଟିଥିଲା । ଉଭୟ ଗୋଟିଏ କୋର୍ଟରେ ଓକିଲାତି କରୁଥିଲେ । ପରେ ମୁସାରଫ ନୁହ କୋର୍ଟରେ ଏବଂ ରିଜଓ୍ୱାନ ଗୁରଗାଓଁ କୋର୍ଟରେ ଓକିଲାତି କରିଥିଲେ । କିନ୍ତୁ ଉଭୟ ଅନେକ ସମୟରେ ଦେଖାୟାକ୍ଷାତ କରୁଥିଲେ । ଗତ ଜୁଲାଇମାସରେ ସେମାନେ ଅମୃତସର-ଓ୍ୱାଘା ସୀମାକୁ ଯାଇଥିଲେ । ସେଠାକୁ ବାଇକରେ ଆସିଥିବା କିଛି ଯୁବକଙ୍କଠୁ ସେମାନେ ଟଙ୍କାଭର୍ତ୍ତି ବ୍ୟାଗ୍ ମଧ୍ୟ ଆଣିଥିଲେ । କିନ୍ତୁ ଫେରିବା ବେଳେ ଦୁର୍ଘଟଣା ହୋଇଥିଲା । କାର୍ ଛାଡି ସେମାନେ ଟ୍ରେନରେ ଘରକୁ ଫେରିଥିଲେ ।

ଆହୁରି ମଧ୍ୟ ଅଗଷ୍ଟରେ ସେମାନେ ପୁଣି ଅମୃତସର ଯାଇଥିଲେ । ସେଠାରେ ଏକ ହୋଟେଲରେ ରହି ପୁଣି ଜଣେ ବ୍ୟକ୍ତିଙ୍କଠୁ ଟଙ୍କା ଆଣିଥିଲେ । ଥରେ କି ଦୁଇ ଥର ନୁହେଁ ୭ ଥର ରିଜଓ୍ୱାନ ଅମୃତସର ଯାଇଛି । ପ୍ରାୟ ୪୧ ଲକ୍ଷ ଟଙ୍କା ରିଜଓ୍ୱାନକୁ ପ୍ରଦାନ କରାଯାଇଛି । ଏହାସହ ତାଙ୍କର ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟ ଥିବା ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି । ଏଥିରେ ସେ ହାଓ୍ୱଲା ଅର୍ଥ କାରବାର କରୁଥିଲେ ।

ତଦନ୍ତକାରୀ ଅଧିକାରୀଙ୍କ କହିବାନୁସାରେ, ମୁସାରଫ ଏବଂ ରିଜଓ୍ୱାନ ଗିରଫ ହେବା ପୂର୍ବରୁ ଫୋନରେ କଥା ହୋଇଥିଲେ । ଏଘଟଣାରେ ଆହୁରି ତିନି ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ପାକିସ୍ତାନରୁ ଅର୍ଥ ଆଣି ରିଜଓ୍ୱାନଙ୍କୁ ପ୍ରଦାନ କରୁଥିବା ଅଧିକାରୀ କହିଛନ୍ତି ।