ନୂଆଦିଲ୍ଲୀ : ଆଜି ଦେଶ ପାଳୁଛି ୨୭ତମ କାରଗିଲ ବିଜୟ ଦିବସ । ଏହି ଦିନରେ ଦେଶ ତଥା ମାଟି ମାଆ ପାଇଁ ଜୀବନ ଦେଇଥିବା ବୀର ଯବନାଙ୍କ ଶୌର୍ଯ୍ୟ ଓ ବଳିଦାନକୁ ଶ୍ରଦ୍ଧାଞ୍ଜଳି ଜଣାଉଛନ୍ତି ଦେଶବାସୀ। ପ୍ରତିବର୍ଷ ଜୁଲାଇ ୨୬ ତାରିଖକୁ ଦେଶବ୍ୟାପୀ ‘କାରଗିଲ ବିଜୟ ଦିବସ’ ଭାବରେ ଅତ୍ୟନ୍ତ ଗର୍ବ ଓ ସମ୍ମାନର ସହିତ ପାଳନ କରାଯାଏ।

ଏହି ଦିନଟି ୧୯୯୯ ମସିହାରେ 'ଅପରେସନ ବିଜୟ'ରେ ଅଂଶଗ୍ରହଣ କରିଥିବା ଭାରତୀୟ ସେନାର ଅଦମ୍ୟ ସାହସ, ସର୍ବୋଚ୍ଚ ବଳିଦାନ ସମ୍ମାନ ଜଣାଇବାର ଏକ ପବିତ୍ର ଦିନ। ମେ' ୧୯୯୯ରେ ପାକିସ୍ତାନୀ ଅନୁପ୍ରବେଶକାରୀମାନେ ନିୟନ୍ତ୍ରଣ ରେଖା ପାର କରି କାର୍ଗିଲ ଅଞ୍ଚଳର ପ୍ରମୁଖ ଉଚ୍ଚ ଶିଖରଗୁଡ଼ିକରେ ଥିବା ଭାରତୀୟ ପୋଷ୍ଟଗୁଡ଼ିକୁ ଅବୈଧ ଭାବରେ ଦଖଲ କରିଥିଲେ। ସେମାନଙ୍କର ଲକ୍ଷ୍ୟ ଥିଲା କାଶ୍ମୀର ଓ ଲଦାଖ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ କରିବା । ଆଉ ଭାରତ ଉପରେ ଚାପ ପକାଇବା। ମାତ୍ର ସେମାନେ ଭାରତୀୟ ସେନାର କ୍ଷମତାକୁ ଭୁଲ୍ ଆକଳନ କରିଥିଲେ। ଶତ୍ରୁପକ୍ଷର ଏହି ଚ୍ୟାଲେଞ୍ଜର ମୁକାବିଲା କରିବା ପାଇଁ ଭାରତ ଆରମ୍ଭ କରିଥିଲା 'ଅପରେସନ ବିଜୟ'। ଦୁଇ ମାସରୁ ଅଧିକ ସମୟ ଧରି ଯୁଦ୍ଧ ଚାଲିଥିଲା । ଭାରତୀୟ ସୈନିକମାନେ ଅତ୍ୟନ୍ତ ଦୁର୍ଗମ ବରଫାବୃତ ପର୍ବତମାଳା ଏବଂ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ଅଦମ୍ୟ ସାହସ ପ୍ରଦର୍ଶନ କରିଥିଲେ । ଶେଷରେ ସମସ୍ତ ଅନୁପ୍ରବେଶକାରୀଙ୍କୁ ଘଉଡ଼ାଇ ଦିଆଯାଇ ଶତ୍ରୁ-ଅଧିକୃତ ପ୍ରତ୍ୟେକ ପୋଷ୍ଟକୁ ମୁକ୍ତ କରାଗଲା। ୨୬ ଜୁଲାଇ ଦିନ ଲଦାଖର ଦୁର୍ଗମ ପର୍ବତମାଳାରେ ପୁଣି ଥରେ ଗର୍ବର ସହିତ ଉଡ଼ିଥିଲା ଭାରତୀୟ ତ୍ରିରଙ୍ଗା। ଏହି ବିଜୟ ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାର ପ୍ରତୀକ ହୋଇ ରହିଆସିଛି ।

Also Read- Assam Flood: ବନ୍ୟାରେ ଭାସୁଛି ଆସାମ ; ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି, ୭ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ

୧୯୯୯ କାର୍ଗିଲ ଯୁଦ୍ଧରେ 'ଅପରେସନ୍ ବିଜୟ' ମାଧ୍ୟମରେ ଦେଶର ସୀମା ରକ୍ଷା କରି ପ୍ରାଣବଳି ଦେଇଥିବା ବୀର ସହିଦମାନଙ୍କ ଅସୀମ ସାହସ ଓ ତ୍ୟାଗକୁ ସ୍ମରଣ କରିବା ପାଇଁ ଲଦାଖର ଦ୍ରାସସ୍ଥିତ କାର୍ଗିଲ ୱାର ମେମୋରିଆଲଠାରେ ଏକ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ ସ୍ମାରକୀରେ ପୁଷ୍ପଚକ୍ର ଅର୍ପଣ କରି ଅମର ଯବାନମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଏହା ସହ ସହିଦଙ୍କ ପରିବାରକୁ ମଧ୍ୟ ଭେଟିଛନ୍ତି। ଏହି ଅବସରରେ ସ୍ଥଳସେନା ମୁଖ୍ୟ ଜେନେରାଲ ଧୀରଜ ସେଠ ଓ ଲଦାଖ ଉପରାଜ୍ୟପାଳ ମଧ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।