ନୂଆଦିଲ୍ଲୀ ୨୬।୦୭: ଆସାମରେ ଏବେ ବନ୍ୟା ବିତ୍ପାତ । ଜନ ଜୀବନ ଅସ୍ତବ୍ୟସ୍ତ । ଚାରିଆଡେ ଖାଲି ପାଣି ଆଉ ପାଣି । ଘର ବୁଡି ଗଲାଣି ତ ରାସ୍ତରେ ଆଣ୍ଟାଏ ପାଣି ।ଖାଲି ଆସାମ ନୁହେଁ, ଗୁଜରାଟରେ ପ୍ରବଳ ବର୍ଷା ଏବଂ ବନ୍ୟା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ବନ୍ୟା ସ୍ଥତିତି ଦେଖିବାକୁ ମିଲିଛି । ହେଲେ ଆସାମରେ ସ୍ଥିତି ଗମ୍ଭୀର ଥିବା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପ୍ରକାଶ କରିଛି । ୨୪ ଘଣ୍ଟା ମଧ୍ୟରେ ସେଠାରେ ଆଉ ୧୪ ଜଣଙ୍କ ମୃତ୍ୟୁ ପରେ ମୋଟ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଛି । ୭ ଲକ୍ଷରୁ ଅଧିକ ଲୋକେ ଏଥିରେ ପ୍ରଭାବିତ ହୋଇଛନ୍ତି ।

ରାଜ୍ୟର ୧୨ଟି ଜିଲ୍ଲା ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ସେଥିମଧ୍ୟରେ ଗୋଲାଘାଟ, ଚରାଇଦେବ, ଦିବ୍ରୁଗଡ, ହୋଜାଇ, ନଗାଓଁ, ବିଶ୍ୱନାଥ, ଜୋରହାଟ, ଧେମାଜୀ, ଶିବସାଗର, ସୋନିତପୁର, କାମରୁପ, କାର୍ବି ଅଙ୍ଗଲୋଙ୍ଗ ସାମିଲ । ସବୁଠୁ ଅଧିକ କ୍ଷୟକ୍ଷତି ଶିବସାଗର ଜିଲ୍ଲାରେ ହୋଇଛି । ସେଠାରେ ୩.୪୮ ଲକ୍ଷ ଲୋକ ବନ୍ୟା ଘେରରେ ଅଛନ୍ତି । ଚରାଇଦେବରେ ୧.୮୮ ଲକ୍ଷ ଏବଂ ଜୋରହାଟରେ ୧.୨୮ ଲକ୍ଷ ଲୋକ ବନ୍ୟା ଯୋଗୁ ପ୍ରଭାବିତ ହୋଇଛନ୍ତି । ରାଜ୍ୟରେ ୫୬,୬୦୬ ହେକ୍ଟରରୁ ଅଧିକ ଚାଷଜମି ପାଣିରେ ବୁଡି଼ ରହିଛି । ପ୍ରାୟ ୩.୧୫ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି ।

ଲଗାଣ ବର୍ଷା ଯୋଗୁ ବ୍ରହ୍ମପୁତ୍ର ଏବଂ ତା’ର ଶାଖା ନଦୀର ଜଳସ୍ତର ବଢ଼ିଚାଲିଛି । ଅନ୍ୟପଟେ ଗୁଜରାଟରେ ପ୍ରବଳ ବର୍ଷା ଏବଂ ବନ୍ୟାରେ ୩୧ ଜଣ ପ୍ରାଣ ହରାଇଛନ୍ତି । ୪୦ ହଜାର ଲୋକଙ୍କୁ ରାଜ୍ୟ ସରକାର ସୁରକ୍ଷିତ ସ୍ଥାନରେ ପହଞ୍ଚାଇଛନ୍ତି । ଅହମ୍ମଦାବାଦରେ ପ୍ରବଳ ବର୍ଷା ଯୋଗୁ ଏକ ସଡ଼କ ଧସି ଯାଇଥିଲା । ଫଳରେ ୧୦ ଫୁଟ ଅଧିକ ଗଭୀର ଏବଂ ପ୍ରାୟ ୧୫ ଫୁଟ ଚଉଡ଼ା ଗାତ ସୃଷ୍ଟି ହୋଇଥିଲା । ଏହାରି ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଏବଂ ୟୁପିରେ ମଧ୍ୟ ବର୍ଷା ତାଣ୍ଡବ କରିଛି।

ଅନ୍ୟପଟେ ଆଜି ଆଇଏମଡି ୧୨ ଘଣ୍ଟାରେ ୧୮ ରାଜ୍ୟକୁ ପ୍ରବଳ ବର୍ଷା ଏବଂ ବଜ୍ରପାତକୁ ନେଇ ଆଲର୍ଟ ଜାରି କରିଛି । ରାଜଧାନୀ ଦିଲ୍ଲୀରେ ଆଜି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଉତ୍ତର ଭାରତରୁ ନେଇ ପୂର୍ବ ଏବଂ ମଧ୍ୟ ଭାରତର ଅନେକ ରାଜ୍ୟରେ ମୌସୁମୀ ବହୁତ ଖରାପ ହୋଇପାରେ । ଅନେକ ଅଞ୍ଚଳରେ ୮୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ବି ରହିଛି । ବିଶେଷ କରି ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ରାଜସ୍ଥାନ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଓଡ଼ିଶା, ପଶ୍ଚିମବଙ୍ଗ, ଆସାମ ସମେତ ୧୮ ରାଜ୍ୟରେ ଭୀଷଣ ବର୍ଷା, ପବନ ହେବା ଆଶଙ୍କା ରହିଛି ।