ସୁନ୍ଦରଗଡ଼ ୨୧।୦୫ : ଝାଡ଼ଖଣ୍ଡ ପୋଲିସକୁ ଏକ ବଡ଼ ସଫଳତା ମିଳିଛି । ଏକାସଙ୍ଗେ ୨୭ ଜଣ ନକ୍ସଲ ଝାଡ଼ଖଣ୍ଡ ଡିଜିପି ତଦାଶା ମିଶ୍ରଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ଏହାକୁ ରାଜ୍ୟରେ ନକ୍ସଲ ବିରୋଧୀ ଅଭିଯାନର ଐତିହାସିକ ସଫଳତା ଭାବେ ଦେଖାଯାଉଛି । ଆତ୍ମସମର୍ପଣ କରିଥିବା ଏହି ନକ୍ସଲ ମାନଙ୍କ ମଧ୍ୟରୁ ୨୫ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ମିସିର ବେସରା ଓରଫ ସାଗରଜୀ ଏବଂ ଅସୀମ ମଣ୍ଡଳଙ୍କ ଟିମର ଶୀର୍ଷ କମାଣ୍ଡର ଓ ମାରକ ଦସ୍ତା ସଦସ୍ୟ ଥିଲେ । ସେମାନେ କୋଲହାନ ଏବଂ ସରଣ୍ଡା ଜଙ୍ଗଲର ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ସକ୍ରିୟ ଥିଲେ ।

ଆତ୍ମସମର୍ପଣ କରିଥିବା ନକ୍ସଲ ମାନଙ୍କ ମଧ୍ୟରେ ୬ ଜଣ ସବ୍-ଜୋନାଲ କମିଟି ସଦସ୍ୟ, ୬ ଜଣ ଏରିଆ କମିଟି ସଦସ୍ୟ ଏବଂ ୧୩ ଜଣ ଦସ୍ତା ସଦସ୍ୟ ଅଛନ୍ତି । ଏହା ସହିତ ଗୁମ୍ଲା ଜିଲ୍ଲାରେ ସକ୍ରିୟ ଥିବା ଜେଜେଏମପି ସଂଗଠନର ୨ ଜଣ ନକ୍ସଲ ମଧ୍ୟ ଅସ୍ତ୍ର ତ୍ୟାଗ କରିଛନ୍ତି ।

ପୋଲିସଙ୍କ କହିବା ଅନୁସାରେ, ଏହି ସାମୂହିକ ଆତ୍ମସମର୍ପଣ ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ଦୁର୍ବଳ ହେଉଥିବାର ସ୍ପଷ୍ଟ ସଙ୍କେତ । ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ମଧ୍ୟରୁ ୮ ଜଣଙ୍କ ଉପରେ ମୋଟ ୩୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା । ସେମାନଙ୍କ ବିରୋଧରେ ବିଭିନ୍ନ ଜିଲ୍ଲାରେ ଅନେକ ଗୁରୁତର ମାମଲା ରହିଛି । ପୋଲିସର କହିବା ଅନୁଯାୟୀ, ଲଗାତାର ଅଭିଯାନ ଏବଂ କଡ଼ା କାର୍ଯ୍ୟାନୁଷ୍ଠାନ ଫଳରେ ନକ୍ସଲମାନେ ଚାପରେ ଆସି ଆତ୍ମସମର୍ପଣ କରିଛନ୍ତି ।

Also Read:- ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ଅନ୍ୟ ଏକ ମାଷ୍ଟରମାଇଣ୍ଡ ବୁରହାନ ହମଜା ନିହତ: ଗୁଳି କରି ଫେରାର୍ ଅଜଣା ବନ୍ଧୁକଧାରୀ

ଆତ୍ମସମର୍ପଣ ସମୟରେ ନକ୍ସଲମାନେ ପୋଲିସ ସମ୍ମୁଖରେ ବହୁ ପରିମାଣର ଅସ୍ତ୍ର ଓ ଗୁଳିବାରୁଦ ମଧ୍ୟ ଜମା କରିଥିଲେ । ମାଓବାଦୀ ନକ୍ସଲମାନଙ୍କ ଦ୍ୱାରା ମୋଟ ୧୬ଟି ଅସ୍ତ୍ର ଓ ୨୮୫୭ ରାଉଣ୍ଡ ଜୀବନ୍ତ ଗୁଳି ଜମା କରାଯାଇଥିବା ବେଳେ ଜେଜେଏମପି ନକ୍ସଲମାନେ ଏକ ଇନସାସ ରାଇଫଲ ଓ ୧୩୦ ରାଉଣ୍ଡ ଜୀବନ୍ତ ଗୁଳି ଜମା କରିଛନ୍ତି । ଜବତ ହୋଇଥିବା ଅସ୍ତ୍ରମାନଙ୍କ ମଧ୍ୟରେ ଇନସାସ ରାଇଫଲ ଓ ମ୍ୟାଗାଜିନ ମଧ୍ୟ ରହିଛି ।

ପୋଲିସ ଅଧିକାରୀ ମାନଙ୍କ କହିବା ଅନୁଯାୟୀ, ଏହି ବଡ଼ ପରିମାଣର ଅସ୍ତ୍ର ଜବତ ଓ ଆତ୍ମସମର୍ପଣ ନକ୍ସଲ ନେଟୱର୍କକୁ ଦୁର୍ବଳ କରିବାରେ ଏକ ବଡ଼ ସଫଳତା ସାବ୍ୟସ୍ତ ହେବ। ସୁରକ୍ଷା ଏଜେନ୍ସୀମାନଙ୍କ ମତରେ, ଏପରି ବଡ଼ ଆତ୍ମସମର୍ପଣ ଅଞ୍ଚଳରେ ଶାନ୍ତି ସ୍ଥାପନକୁ ଆହୁରି ମଜଭୁତ କରିବ ।