ଜଗତସିଂହପୁର ୧୭।୧୧ : ସମୁଦ୍ର ମଝିରେ ହଠାତ୍ ଅଘଟଣ। ଯାତ୍ରା କରୁଥିବା ମାଲବାହୀ ଜାହାଜରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି। ଜାହାଜର ପ୍ରୋପେଲର ସାଫ୍ଟ ଭାଙ୍ଗିଯିବା ପରେ ଜାହାଜ ଭିତରକୁ ପାଣି ପଶିବା ଆରମ୍ଭ ହୋଇଥିଲା। ଧୀରେ ଧୀରେ ପରିସ୍ଥିତି ଗମ୍ଭୀର ହେବା ସହ ଜାହାଜରେ ଥିବା ୨୭ ଜଣ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିଲା। ପାରାଦୀପ ବନ୍ଦରଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଗଭୀର ସମୁଦ୍ରରେ ଫସି ରହିଥିଲା ଏହି ଜାହାଜ। ସମୁଦ୍ର ମଝିରେ ଜାହାଜ ଅଚଳ ହେବା ଏବଂ ଏହା ଭିତରକୁ ପାଣି ପଶିବା ଘଟଣାକୁ ନେଇ ଜରୁରୀକାଳୀନ ଉଦ୍ଧାରର ଆବଶ୍ୟକତା ପଡ଼ିଥିଲା।

ଖବର ଅନୁଯାୟୀ, ଜାହାଜ ଭିତରେ ପାଣି ପଶି ବିପଦରେ ଫସିଥିଲେ ଜାହାଜ ସମେତ ୨୭ ଜଣ କ୍ରିଉ ସଦସ୍ୟ। ପାରାଦ୍ଵୀପ ବନ୍ଦର ଠାରୁ ୯୦ କିଲୋମିଟର ଦୂରରେ ଫସିଥିଲା ଜାହାଜ ଏମ୍ ଭି ବିଶ୍ବ ଉଦୟ । ଜାହାଜରେ ପାଣି ପଶିବାରୁ ବିପଦରେ ଥିଲେ କ୍ରୁ ସଦସ୍ୟ ମାନେ। ଭାରତୀୟ ସିପିଂ କର୍ପୋରେସନ ପକ୍ଷରୁ ସୂଚନା ପାଇବା ପରେ ସଫଳତାର ସହିତ ଉଦ୍ଧାର କରିଛି ପାରାଦ୍ଵୀପ ବନ୍ଦର। ଜାହାଜଟି ହଳଦିଆ ବନ୍ଦରରୁ ଆଫ୍ରିକାର ମୋଜମ୍ବିକ ବନ୍ଦରକୁ କୋଇଲା ପାଇଁ ଯାଉଥିଲା। ହେଲେ ଗଭୀର ସମୁଦ୍ରରେ ହଠାତ୍ ଜାହାଜର ପ୍ରୋପେଲର ସାଫ୍ଟ ଭାଙ୍ଗି ଯିବାରୁ ଜାହାଜରେ ପାଣି ପଶିବା ଆରମ୍ଭ ହୋଇଥିଲା।

Also Read:-ଶ୍ରୀକ୍ଷେତ୍ରରେ ଖଜା ପ୍ରସ୍ତୁତିକୁ ନେଇ ଆକ୍ସନ, ପୋଲିସ ଓ ମହାନଗର ନିଗମର ମିଳିତ ରେଡ୍

ପାରାଦ୍ଵୀପ ବନ୍ଦରର ଦୁଇଟି ଟଗ୍ ବୋଟ୍ ଡଲଫିନ ୨୫ ଓ ଡଲଫିନ ୨୦ ଦୂର୍ଘଟଣା ଗ୍ରସ୍ତ ଜାହାଜକୁ ସହାୟତା ପାଇଁ ପହଞ୍ଚିବା ସହିତ ଜାହାଜ ର କର୍ମଚାରୀଙ୍କ ସହଯୋଗରେ ପ୍ରୋପେଲର ସାଫ୍ଟ କୁ ସଜାଡ଼ିବା ସହିତ ଜାହାଜରେ ପାଣି ପଶିବା କୁ ବନ୍ଦ କରାଇଥିଲେ। ଏବଂ ଜାହାଜକୁ ପାରାଦ୍ଵୀପ ବନ୍ଦର ର ଆଙ୍କରେଜ କୁ ସୁରକ୍ଷିତ ଭାବେ ଟାଣି ଆଣିଛନ୍ତି। ବିଭାଗୀୟ ଅନୁମତି ମିଳିବା ପରେ ଜାହାଜକୁ ପାରାଦ୍ଵୀପ ବନ୍ଦର ର ବର୍ଥ କୁ ଅଣାଯାଇ ଏହାର ମରାମତି କରାଯିବ ବୋଲି ପାରାଦ୍ଵୀପ ବନ୍ଦର ପକ୍ଷରୁ ସୂଚନା ଦିଆଯାଇଛି।