ବେଙ୍ଗାଲୁରୁ: ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଛି ଏକ ଏକ ହୃଦୟବିଦାରକ ଘଟଣା। ପ୍ରେମିକାଙ୍କ ବାପାଙ୍କ ମାଡ଼ରେ ଜଣେ ୨୨ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକର ବେଙ୍ଗାଲୁରୁ ସ୍ଥିତ ୟେଲାହାଙ୍କା ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତ ଯୁବକଙ୍କ ନାଁ କିରଣ , ତାଙ୍କ ଘର କେରଳର ପାଲକ୍କାଡ୍ ଜିଲ୍ଲା ଅନ୍ତର୍ଗତ ପଟ୍ଟାମ୍ବି ନିକଟସ୍ଥ ତିରୁଭେଗାପୁରା ଅଞ୍ଚଳରେ।

ତେବେ ଏହି ଘଟଣାରେ ପୋଲିସ ଅଭିଯୁକ୍ତ ଆନନ୍ଦଙ୍କୁ ଗିରଫ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଆନନ୍ଦ କେବଳ ଯୁବତୀଙ୍କ ବାପା ନୁହନ୍ତି, ସେ କିରଣଙ୍କ ନିଯୁକ୍ତିଦାତା ମଧ୍ୟ ଥିଲେ। ଦୁଇ ବର୍ଷ ଧରି ଆନନ୍ଦଙ୍କ କମ୍ପାନୀରେ କାମ କରୁଥିଲେ କିରଣ I ସୂଚନା ଅନୁସାରେ, କିରଣ ଗତ ଦୁଇ ବର୍ଷ ଧରି ଆନନ୍ଦଙ୍କ କମ୍ପାନୀରେ କାମ କରୁଥିଲେ। ଏହି ସମୟ ମଧ୍ୟରେ ଆନନ୍ଦଙ୍କ ୧୯ ବର୍ଷୀୟ ଝିଅଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଯୁବତୀ ଜଣକ ମହୀଶୂରରେ ପାଠପଢ଼ୁଥିବା ବେଳେ ଛୁଟିରେ ଘରକୁ ଆସିଥିଲେ। ଘରେ ଏକାକୀ ଥିବାବେଳେ ପହଞ୍ଚିଥିଲେ କିରଣ I ଘଟଣା ଦିନ ଆନନ୍ଦ ଓ ତାଙ୍କ ପତ୍ନୀ ତାମିଲନାଡୁ ଯାଉଥିବା କଥା ଝିଅଙ୍କୁ କହି ଘରୁ ବାହାରିଥିଲେ। ସେମାନେ ଘରୁ ଯିବା ପରେ କିରଣ ତାଙ୍କ ପ୍ରେମିକାଙ୍କୁ ଭେଟିବା ପାଇଁ ଘରେ ପହଞ୍ଚିଥିଲେ। କିନ୍ତୁ କିଛି ସମୟ ପରେ ଆନନ୍ଦ ଅପ୍ରତ୍ୟାଶିତ ଭାବେ ଘରକୁ ଫେରି ଆସିଥିଲେ। ସେଠାରେ ଝିଅଙ୍କ ସହ କିରଣଙ୍କୁ ଦେଖି ସେ ଉତ୍ତ୍ୟକ୍ତ ହୋଇପଡ଼ିଥିଲେ।

ଅଭିଯୋଗ ଅନୁସାରେ, ପ୍ରଥମେ ଆନନ୍ଦ ନିଜ ଝିଅଙ୍କୁ ଜଣେ ସମ୍ପର୍କୀୟଙ୍କ ଘରକୁ ପଠାଇ ଦେଇଥିଲେ। ଏହାପରେ କ୍ରୋଧିତ ହୋଇ କିରଣଙ୍କୁ କ୍ରିକେଟ୍ ବ୍ୟାଟ୍ ଓ ପ୍ଲାଷ୍ଟିକ୍ ପାଇପ୍ରେ ନିର୍ମମ ଭାବେ ଆକ୍ରମଣ କରିଥିଲେ। ବିଶେଷକରି କିରଣଙ୍କ ତଳିପେଟକୁ ଜୋରରେ ଆଘାତ କରିଥିବା ଅଭିଯୋଗ ହୋଇଛି।ଗୁରୁତର ଆଘାତ ଯୋଗୁଁ କିରଣ ସେଠାରେ ଟଳିପଡ଼ିଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ମଧ୍ୟ ଡାକ୍ତରମାନେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

ALSO READ- ବିଷ୍ଣୋଇ ଗ୍ୟାଙ୍ଗର ନାଁ ନେଇ ଅଭିନେତାଙ୍କୁ ଟଙ୍କା ମାଗୁଥିଲେ ଇଞ୍ଜିନିୟର, ଗିରଫ କଲା ପୁଲିସ

ଡାକ୍ତରଖାନା କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ। ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। କିରଣଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଅଭିଯୁକ୍ତ ଆନନ୍ଦଙ୍କୁ ପୋଲିସ ଗିରଫ କରିଛି। ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଘଟିଥିବା ଏହି ହିଂସାତ୍ମକ ଘଟଣା ବେଙ୍ଗାଲୁରୁ ସହ କେରଳରେ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାର ପ୍ରକୃତ କାରଣ ଓ ଅନ୍ୟାନ୍ୟ ଦିଗକୁ ନେଇ ପୋଲିସର ତଦନ୍ତ ଜାରି ରହିଛି।