ମୁମ୍ବାଇ: ଟାଇଗର ଶ୍ରଫଙ୍କ ଉପରେ ଆକ୍ରମଣ ପରେ ବିଷ୍ଣୋଇ ଗ୍ୟାଙ୍ଗ ଖୁବ ଚର୍ଚ୍ଚାରେ ରହିଛି । ଆଉ ଏହାର ସୁଯୋଗ ନେଇ ବେଙ୍ଗାଲୁରୁର ଜଣେ ଆଇଟି ଇଞ୍ଜିନିୟର ଅଭିନେତାଙ୍କୁ ଧମକ ଦେଇ ଟଙ୍କା ମାଗୁଥିଲେ । ଅଭିନେତା ଆୟୁଷ୍ମାନ ଖୁରାନା ଏବଂ ତୁଷାର କପୁରଙ୍କୁ ଟଙ୍କା ମାଗିବା ମାମଲାରେ ବେଙ୍ଗାଲୁରୁରୁ ଇଞ୍ଜିନିୟର ବୈଭବ ମିଶ୍ରଙ୍କୁ ମୁମ୍ବାଇ ପୁଲିସର କ୍ରାଇମବ୍ରାଞ୍ଚ ଗିରଫ କରିଛି । 

ତଦନ୍ତରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ବୈଭବ ମିଶ୍ରଙ୍କର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍ ସହ କୌଣସି ପ୍ରତ୍ୟକ୍ଷ ସମ୍ପର୍କ ନାହିଁ। ଅଭିଯୋଗ ଅନୁଯାୟୀ, ଆୟୁଷ୍ମାନ୍ ଖୁରାନାଙ୍କୁ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ ବୋଲି ପରିଚୟ ଦେଇ ଜଣେ ବ୍ୟକ୍ତି କୋଟି କୋଟି ଟଙ୍କା ଦାବି ସହ ଏକ ଧମକପୂର୍ଣ୍ଣ ଅଡିଓ ମେସେଜ୍ ପଠାଇଥିଲେ।

ସେହିପରି ଅଭିନେତା ତୁଷାର କପୁରଙ୍କୁ ମଧ୍ୟ ବିଷ୍ଣୋଇ ଗ୍ୟାଙ୍ଗ୍‌ର ସଦସ୍ୟ 'ହ୍ୟାରି ବକ୍ସର' ନାମରେ ଫୋନ୍ କରି ୫ କୋଟି ଟଙ୍କା ଦାବି କରାଯାଇଥିଲା। ତେବେ ପୁଲିସ ନିକଟରେ ଥିବା ହ୍ୟାରି ବକ୍ସରର ପୂର୍ବ କଣ୍ଠସ୍ୱର ସହ ଏହି ଧମକପୂର୍ଣ୍ଣ ଅଡିଓର ସ୍ୱର ମିଶିଥିନଥିଲା । ଫଳରେ ପୁଲିସର ସନ୍ଦେହ ବଢ଼ିଥିଲା। 

ଆୟୁଷ୍ମାନ୍ ଖୁରାନାଙ୍କୁ ନିକଟରେ ସାରା ଅଲ୍ଲୀ ଖାନ୍‌ଙ୍କ ସହ 'ଉଡ଼ତା ତୀର' ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା ।  ଆଗାମୀ ଦିନରେ ସେ ଶର୍ବରୀଙ୍କ ସହ 'ୟେ ପ୍ରେମ୍ ମୋଃ ଲିଆ'ରେ ନଜର ଆସିବେ। ଅନ୍ୟପଟେ, ତୁଷାର କପୁର ରୋହିତ ଶେଟ୍ଟୀଙ୍କ କମେଡି ଫ୍ରାଞ୍ଚାଇଜ୍‌ର ପଞ୍ଚମ ସଂସ୍କରଣ 'ଗୋଲମାଲ-୫' ଜରିଆରେ ୨୦୨୭ ଜାନୁଆରୀ ୮ରେ ପରଦାକୁ ଫେରିବେ। କିନ୍ତୁ ବଲିଉଡ୍‌ରେ ଏବେ ବିଷ୍ଣୋଇ ଗ୍ୟାଙ୍ଗକୁ ନେଇ ଭୟ ବଢ଼ିଛି । ଏହାର ଫାଇଦା ନେଇ କିଛି ଅସାଧୁ ମଧ୍ୟ ଅଭିନେତା ଏବଂ ଅଭିନେତ୍ରୀ ଭୟଭୀତ କରୁଛନ୍ତି ।