କଟକ ୪।୧୧: ଆସୁଛି ଆଲୋକର ପର୍ବ ଦୀପାବଳି । ଘରେ ଘରେ ଦୀପ ଜାଳି ବାଣ ଫୁଟାଇ ପର୍ବ ପାଳିବେ ସମସ୍ତେ । ତେବେ ପର୍ବ ପାଳନ ବେଳେ କଟକଣା ମାନିବାକୁ କଟକବାସୀଙ୍କୁ ନିବେଦନ କରିଛନ୍ତି ଡିସିପି । କମିଶନରେଟ୍ ପୋଲିସ ନିର୍ଦ୍ଧାରିତ କରିଥିବା ସଂଧ୍ୟା ୭ଟାରୁ ୯ଟା ଭିତରେ ବାଣ ଫୁଟାଇବା ପାଇଁ ସହରବାସୀଙ୍କୁ ଡିସିପି ପରାମର୍ଶ ଦେଇଛନ୍ତି । ଏହାସହ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ବାଣ ନଫୁଟାଇବା ପାଇଁ କମିଶନରେଟ ପୋଲିସ କଡା ନିର୍ଦ୍ଦେଶ ଜାରି କରିଛି । ଏହା ଛଡା ଅତ୍ୟଧିକ ଶବ୍ଦ ସୃଷ୍ଟି କରୁଥିବା ବାଣ ଓ ବିଶେଷ କରି ରକେଟ୍ ଭଳି ବାଣ ନଫୁଟାଇବା ପାଇଁ ଡିସିପି ପରାମର୍ଶ ଦେଇଛନ୍ତି ।

Also Read:- ଦିନ ଦ୍ୱିପ୍ରହରରେ ବଡ଼ ଧରଣର ଚୋରି, ଝିଅ ବାହାଘର ଗହଣା ଲୁଟିନେଲେ ଦୁର୍ବୃତ୍ତ

ସେପଟେ ସୁପ୍ରିମକୋର୍ଟ କେବଳ ଗ୍ରୀନ କ୍ରାକର ବା ସବୁଜ ବାଣ ବ୍ୟବହାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ବିକ୍ରି ହେଉଥିବା ବାଣ ପରଖିବା ପାଇଁ ପୋଲିସ ପାଖରେ କୌଣସି ନିର୍ଦ୍ଦିଷ୍ଟ ଉପାୟ ନାହିଁ। କେବଳ ଯେଉଁ ବାଣ ଉପରେ ଗ୍ରୀନ କ୍ରାକର ଷ୍ଟିକର ଲାଗିଛି, ସେହି ବାଣ ବିକ୍ରି ପାଇଁ ପୋଲିସ ଅନୁମତି ଦେଉଛି । ମାତ୍ର ବାସ୍ତବରେ ସେହି ବାଣ ସବୁଜ ବାଣ କି ନୁହଁ, ତାହା ଜାଣିବା ପାଇଁ ପୋଲିସ ପାଖରେ କୌଣସି ସାଧନ ନାହିଁ । ସେପଟେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏହା ଉପରେ ଧ୍ୟାନ ରଖିବା ନେଇ କୌଣଶି ପ୍ରୟାସ କରୁନଥିବା ପରିବେଶବିତ୍ ଅଭିଯୋଗ କରିଛନ୍ତି ।