ୱାସିଂଟନ ସକାଳୁ ବଜାରକୁ ଗଲେ ଦାମ ପଚାରିବା ବେଳେ ଲୋକଙ୍କ ମୁଣ୍ଡରେ ଆଗରୁ ଗୋଟିଏ ଚିନ୍ତା, ଆଜି ଯେଉଁ ଚାଉଳ, ଡାଲି କିମ୍ବା ତେଲ ଦାମ ବଢ଼ିଛି, ଆସନ୍ତାକାଲି ତାହା ଆହୁରି ମହଙ୍ଗା ହେବ କି? ଏହି ସାଧାରଣ ପ୍ରଶ୍ନ ଏବେ କେବଳ ଘରୋଇ ବଜେଟରେ ସୀମିତ ନାହିଁ ବରଂ ବିଶ୍ୱ ଅର୍ଥନୀତି ପାଇଁ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। କାରଣ ୨୦୨୭ରେ ବିଶ୍ୱ ଖାଦ୍ୟ ବଜାର ଉପରେ ବଡ଼ ଚାପ ପଡ଼ିପାରେ ବୋଲି ଚେତାବନୀ ଦେଇଛି ଆମେରିକୀୟ ଆର୍ଥିକ ସଂସ୍ଥା ଜେପି ମର୍ଗାନ୍। ୨୦୨୭ରେ ବିଶ୍ୱକୁ ଘାରିପାରେ ବଡ଼ ଖାଦ୍ୟ ସଙ୍କଟ ! ଜଳବାୟୁ ପରିବର୍ତ୍ତନ, ‘ସୁପର୍ ଏଲ୍ ନିନୋ’, ଇନ୍ଧନ ଓ ସାର ଦର ବୃଦ୍ଧି ସହ ଭୂ-ରାଜନୈତିକ ଅସ୍ଥିରତା ଏକାସାଙ୍ଗରେ ଏହି ସବୁ କାରକ ଖାଦ୍ୟ ଉତ୍ପାଦନ ଓ ଯୋଗାଣ ବ୍ୟବସ୍ଥାକୁ ଚାପରେ ପକାଇପାରେ। ଜେପି ମର୍ଗାନର ଆକଳନ ଅନୁସାରେ, ଏଭଳି ପରିସ୍ଥିତି ଜାରି ରହିଲେ ୨୦୨୭ର ପ୍ରଥମାର୍ଦ୍ଧରେ ବିଶ୍ୱ ଖାଦ୍ୟ ମୁଦ୍ରାସ୍ଫୀତି ପ୍ରାୟ ୫ ପ୍ରତିଶତ ବାର୍ଷିକ ହାରରେ ପହଞ୍ଚିପାରେ।

ଆସନ୍ତା ବର୍ଷ ଖାଦ୍ୟ ମୂଲ୍ୟ ବୃଦ୍ଧି ସହ ଗ୍ଲୋବାଲ୍ ଫୁଡ୍ କ୍ରାଇସିସର ଆଶଙ୍କା ନେଇ ଜେପି ମର୍ଗାନ୍ ସତର୍କତା ଜାରି କରିବା ପରେ ଭୟଭୀତ ଅବସ୍ଥାରେ ଖାଉଟି । ଭୂ-ରାଜନୈତିକ ତଣାପୋଡ଼, ସାର ଯୋଗାଣରେ ବାଧା ଏବଂ ଜଳବାୟୁ ପରିବର୍ତ୍ତନ ଏହି ସଙ୍କଟକୁ ଆହୁରି ଗମ୍ଭୀର କରିପାରେ ବୋଲି ଆକଳନ କରାଯାଇଛି । ଜେପି ମର୍ଗାନର ଆକଳନ ଅନୁସାରେ, ୨୦୨୭ର ପ୍ରଥମ ଛଅ ମାସରେ ବିଶ୍ୱ ଖାଦ୍ୟ ମୁଦ୍ରାସ୍ଫୀତି ପ୍ରାୟ ୫ ପ୍ରତିଶତକୁ ବଢ଼ିପାରେ । ଯେଉଁଠାରେ ୨୦୨୬ର ପ୍ରଥମ ଛଅ ମାସରେ ଏହା ପ୍ରାୟ ୨.୮ ପ୍ରତିଶତ ଥିଲା। ଅର୍ଥାତ୍ ଖାଦ୍ୟ ଉତ୍ପାଦନ ଖର୍ଚ୍ଚ ବଢ଼ିଲେ ଏହାର ପ୍ରଭାବ ସିଧାସଳଖ ଭାବେ ଉପଭୋକ୍ତାଙ୍କ ଉପରେ ପଡ଼ିପାରେ । ଏହି ସଙ୍କଟର ପ୍ରମୁଖ କାରଣ ଭାବେ ସାରର ଅଭାବକୁ ଦର୍ଶାଯାଇଛି । ବିଶେଷକରି ମଧ୍ୟପ୍ରାଚ୍ୟରୁ ଆସୁଥିବା ୟୁରିଆ ଓ ଅନ୍ୟ ନାଇଟ୍ରୋଜେନଭିତ୍ତିକ ସାରର ଯୋଗାଣରେ ବାଧା ହେଲେ ଚାଷ ଖର୍ଚ୍ଚ ବଢ଼ିବା ସହ ଉତ୍ପାଦନ ମଧ୍ୟ ପ୍ରଭାବିତ ହୋଇପାରେ । ଏହାର ସିଧା ପ୍ରଭାବ ଖାଉଟିଙ୍କ ରୋଷେଇ ଶାଳା , ବଜାର ଓ ମଧ୍ୟବିତ୍ତ ପରିବାରର ମାସିକ ବଜେଟ୍ ଉପରେ ମଧ୍ୟ ପଡ଼ିବ। ତେବେ ଏହାକୁ ନେଇ ଏବେ ଠୁ ମନରେ ଅନେକ ପ୍ରଶ୍ନ | ପ୍ରକୃତରେ ୨୦୨୭ରେ ବିଶ୍ୱ ଏକ ବଡ଼ ଖାଦ୍ୟ ସଙ୍କଟ ଆଡ଼କୁ ମୁହାଉଁଛି କି? କେଉଁ ଦେଶ ଓ କେଉଁ ଖାଦ୍ୟ ସାମଗ୍ରୀ ସବୁଠାରୁ ଅଧିକ ପ୍ରଭାବିତ ହୋଇପାରେ? ଆଉ ଭାରତ ପାଇଁ ଏହି ଚେତାବନୀର ଅର୍ଥ କ’ଣ ?

ମୁଖ୍ୟତଃ ହର୍ମୁଜ୍ ଅଞ୍ଚଳରେ ଚାଲିଥିବା ଭୂ-ରାଜନୈତିକ ଅସ୍ଥିରତା ଏହି ସପ୍ଲାଇ ଚେନ୍ ପାଇଁ ଚିନ୍ତାର କାରଣ ହୋଇଛି । ଏହା ସହିତ ଅଲ୍ ନିନୋର ପ୍ରଭାବ ମଧ୍ୟ ବିଶ୍ୱ କୃଷି ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପାରେ । ବର୍ଷା ଓ ତାପମାତ୍ରାର ଧାରା ବଦଳିଲେ କେତେକ ଅଞ୍ଚଳରେ ମରୁଡ଼ି, ଆଉ କେଉଁଠି ବନ୍ୟା ଭଳି ଚରମ ପାଣିପାଗ ସ୍ଥିତି ସୃଷ୍ଟି ହୋଇପାରେ । ଏହା ଫଳରେ ଫସଲ ଉତ୍ପାଦନ କମିବାର ଆଶଙ୍କା ରହିଛି । ଭାରତ ପାଇଁ ମଧ୍ୟ ଏହି ଚେତାବନୀ ଗୁରୁତ୍ୱପୂର୍ଣ୍ଣ । ଜେପି ମର୍ଗାନ୍ ଭାରତ ସହ ବ୍ରାଜିଲ୍ ଓ ଇଣ୍ଡୋନେସିଆକୁ ସାର ଯୋଗାଣରେ ବାଧା ଓ ଅଲ୍ ନିନୋର ମିଶ୍ରିତ ପ୍ରଭାବ ପଡ଼ିପାରୁଥିବା ଦେଶ ଭାବେ ଚିହ୍ନଟ କରିଛି । ଭାରତରେ ଧାନ, ଡାଲି, ତୈଳବୀଜ, କପା ଓ ଆଖୁ ଭଳି ଫସଲ ଉପରେ ଅନିୟମିତ ବର୍ଷାର ପ୍ରଭାବ ପଡ଼ିପାରେ । ତେବେ ବିଶେଷଜ୍ଞମାନେ ଏହାକୁ ତୁରନ୍ତ ବିଶ୍ୱରେ ଖାଦ୍ୟ ସରିଯିବାର ସଙ୍କଟ ବୋଲି କହୁନାହାନ୍ତି । ବର୍ତ୍ତମାନ ଅନେକ ଦେଶରେ ଖାଦ୍ୟଶସ୍ୟ ମହଜୁଦ ରହିଛି ଏବଂ କୃଷି ପ୍ରଯୁକ୍ତି, ଜଳସେଚନ ଓ ଉନ୍ନତ ବିହନ ଯୋଗୁଁ ବିଶ୍ୱ ଖାଦ୍ୟ ବ୍ୟବସ୍ଥା ପୂର୍ବ ତୁଳନାରେ ଅଧିକ ପ୍ରସ୍ତୁତ ବୋଲି ରିପୋର୍ଟ କହିଛି । ତେଣୁ ଆଗାମୀ ଦିନରେ ଏଲ୍ ନିନୋର ପ୍ରଭାବ, ସାର ଯୋଗାଣ ଓ ଭୂ-ରାଜନୈତିକ ପରିସ୍ଥିତି କେଉଁ ଦିଗକୁ ଯାଉଛି, ତାହା ଉପରେ ରହିବ ବିଶ୍ୱ ଖାଦ୍ୟ ବଜାରର ଭବିଷ୍ୟତ ।