ନୂଆଦିଲ୍ଲୀ: ସାରା ଦୁନିଆରେ ଚାଲିଥିବା ଭୂ-ରାଜାନୀତିକ ଅସ୍ଥିରତା ମଧ୍ୟରେ ଭାରତରେ ଆୟୋଜନ ହେବ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ । ସେପ୍ଟେମ୍ୱର ୧୨-୧୩ରେ ନୂଆଦିଲ୍ଲୀର ଅଧ୍ୟକ୍ଷତାରେ ବିଶ୍ୱ ନେତା ପରିବର୍ତ୍ତିତ ସମୟର ଆହ୍ୱାନ ଉପରେ ମନ୍ଥନ କରିବେ । ରୁଷ, ଭାରତ, ଚୀନ, ବ୍ରାଜିଲ୍, ଦକ୍ଷିଣ ଆଫ୍ରିକା ପରି ଶକ୍ତିଶାଳୀ ରାଷ୍ଟ୍ରର ସଂଗଠନ ଉପରେ ସାରା ବିଶ୍ୱର ନଜର ରହିଛି । ଏହାରି ଭିତରେ 'BRIC' ଶବ୍ଦର ସ୍ରଷ୍ଟାଙ୍କ ଏକ ବୟାନ ଚର୍ଚ୍ଚା ସାଉଁଣ୍ଟୁଛି ।

ବ୍ରିଟିଶ ଅର୍ଥଶାସ୍ତ୍ରୀ ଜିମ୍ ଓ’ନିଲ୍ ନଭେମ୍ବର ୨୦୦୧ରେ ଗୋଲ୍ଡମ୍ୟାନ୍ ସ୍ୟାକ୍ସର ମୁଖ୍ୟ ଅର୍ଥଶାସ୍ତ୍ରୀ ଥିବା ସମୟରେ ପ୍ରଥମ କରି "BRIC" ଶବ୍ଦର ସୃଷ୍ଟି କରିଥିଲେ । ଏହା ବ୍ରାଜିଲ (Brazil), ରୁଷ (Russia), ଭାରତ (India) ଏବଂ ଚୀନ୍ (China)କୁ ବୁଝାଉଥିଲା । ତାଙ୍କର ଗବେଷଣା ପତ୍ର 'ବିଲ୍ଡିଂ ବେଟର ଗ୍ଲୋବାଲ୍ ଇକୋନୋମିକ୍ ବ୍ରିକ୍ସ'ରେ ସେ ଯୁକ୍ତି ଦର୍ଶାଇଥିଲେ ଯେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଏହି ଦେଶଗୁଡ଼ିକର ଗୁରୁତ୍ୱ ଯଥେଷ୍ଟ ବୃଦ୍ଧି ପାଇବ ଏବଂ ବୈଶ୍ୱିକ ନୀତି ନିର୍ଦ୍ଧାରଣ ଫୋରମଗୁଡ଼ିକରେ ସେମାନଙ୍କର ଅଧିକ ପ୍ରତିନିଧିତ୍ୱ ରହିବା ଆବଶ୍ୟକ ।

ୱାଲ୍ ଷ୍ଟ୍ରିଟର ଏକ ସଂକ୍ଷିପ୍ତ ଶବ୍ଦ ଭାବରେ ଆରମ୍ଭ ହୋଇଥିବା ଏହି ଶବ୍ଦଟି ଶେଷରେ ଏକ ଆନୁଷ୍ଠାନିକ ଭୂ-ରାଜନୈତିକ ଗୋଷ୍ଠୀରେ ପରିଣତ ହୋଇଥିଲା । ୨୦୧୦ ମସିହାରେ ଦକ୍ଷିଣ ଆଫ୍ରିକା ଏହି ଗୋଷ୍ଠୀରେ ଯୋଗଦେବା ପରେ ଏହାର ନାମ BRICରୁ BRICSକୁ ପରିବର୍ତ୍ତିତ ହୋଇଥିଲା । ସେବେଠାରୁ, ଏହି ଗୋଷ୍ଠୀର ସଦସ୍ୟ ସଂଖ୍ୟା ୧୧ ହୋଇସାରିଛି ଏବଂ 'ଗ୍ଲୋବାଲ ସାଉଥ୍'ର ଏକ ପ୍ରମୁଖ ସ୍ୱର ପାଲଟିଛି ।

ଏନଡିଟିଭିକୁ ପ୍ରତିକ୍ରିୟା ଦେଇ ଓ’ନିଲ୍ କହିଛନ୍ତି, ସେହି ସମୟରେ ସେ ଜି-୭ରେ ଏହି ଦେଶଗୁଡ଼ିକର ଉତ୍ତମ ପ୍ରତିନିଧିତ୍ୱ ଏବଂ ସାମିଲ ପାଇଁ ଯୁକ୍ତି ଦର୍ଶାଇଥିଲେ । କିନ୍ତୁ ଏହି ଗୋଷ୍ଠୀ ଏବେ ନିଜକୁ ଜି-୭ ଦେଶଗୁଡ଼ିକର ବିକଳ୍ପ ଭାବରେ ଉପସ୍ଥାପନ କରୁଛି । ସେ କହିଛନ୍ତି, "୨୦୦୧ରେ ମୁଁ ଯେତେବେଳେ ସେହି ଗବେଷଣା ପତ୍ର ଲେଖିଥିଲି, ମୋର ଯୁକ୍ତି ଥିଲା ଯେ BRIC ଦେଶଗୁଡ଼ିକ ଏତେ ଗୁରୁତ୍ୱପୂର୍ଣ୍ଣ ହୋଇସାରିଛନ୍ତି ଯେ ବିଶ୍ୱ ଶାସନ ପ୍ରଣାଳୀକୁ ଅଧିକ ନ୍ୟାୟସଙ୍ଗତ କରିବା ପାଇଁ ସେମାନଙ୍କୁ ପୁନର୍ଗଠିତ ଜି-୭ର ଅଂଶ କରାଯିବା ଉଚିତ୍ ।"

ସେ ଆହୁରି ମଧ୍ୟ କହିଛନ୍ତି, "୧୧ଟି ଦେଶକୁ ନେଇ ଗଠିତ ଏହି ସମ୍ମିଳନୀ ଏବେ ନିଜକୁ ଜି-୭ ଏବଂ ପାଶ୍ଚାତ୍ୟ ନିୟନ୍ତ୍ରିତ ବ୍ୟବସ୍ଥାର ଏକ ବିକଳ୍ପ ଭାବରେ ଉପସ୍ଥାପିତ କରୁଛି ।" ତେବେ ଓ’ନିଲ୍ ଚେତାବନୀ ଦେଇଛନ୍ତି ଯେ, କୌଣସି ଗୋଟିଏ ଗୋଷ୍ଠୀ ବିଶ୍ୱର ବଡ଼ ସମସ୍ୟାର ସମାଧାନ କରିପାରିବେ ନାହିଁ ଏବଂ ଏଥିପାଇଁ ଏକ ମିଳିତ ସହଯୋଗପୂର୍ଣ୍ଣ ଆଭିମୁଖ୍ୟ ଆବଶ୍ୟକ ରହିଛି ।

ସେ ଆହୁରି କହିଛନ୍ତି, "BRICS Plus ଭାବରେ ଏହି ଗୋଷ୍ଠୀର ସମ୍ପ୍ରସାରଣ ଏହାକୁ ଶକ୍ତି ଏବଂ ଦୀର୍ଘାୟୁ ପ୍ରଦାନ କରିଛି । ମୁଁ ଟ୍ରମ୍ପଙ୍କ ପୂର୍ବରୁ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କୁ ବ୍ରିକ୍ସ ବିଷୟରେ ଉଲ୍ଲେଖ କରିବାର ଦେଖିନାହିଁ, ଏବଂ ଟ୍ରମ୍ପ ଏହା ବିଷୟରେ କହିବା ବନ୍ଦ କରୁନାହାନ୍ତି ।"