ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ପୂର୍ବତନ ଶ୍ରେଷ୍ଠ ଅଲରାଉଣ୍ଡର ତଥା ଦୁଇ ଦୁଇଟି ବିଶ୍ୱକପ୍ ବିଜେତା ଯୁବରାଜ ସିଂହ ଆଇପିଏଲ୍ (IPL) ରେ ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୨୦୨୭ ଆଇପିଏଲ୍ ସିଜନ୍ରେ ଯୁବରାଜ ପ୍ରଥମ ଥର ପାଇଁ କୌଣସି ଫ୍ରାଞ୍ଚାଇଜ୍ର କୋଚିଂ ଷ୍ଟାଫ୍ରେ ସାମିଲ ହେବେ। ସେ ଦିଲ୍ଲୀ କ୍ୟାପିଟାଲ୍ସ (DC) ଦଳର କୋଚ୍ ଭାବେ ନଜର ଆସିବେ ବୋଲି ଜଣାପଡ଼ିଛି। ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନାକୁ ସ୍ପଷ୍ଟ କରିଥିବା ବେଳେ, ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସୁପାରିଶ କ୍ରମେ ଯୁବରାଜଙ୍କୁ ଏହି ବଡ଼ ଦାୟିତ୍ୱ ମିଳିବାକୁ ଯାଉଛି।

କମାଲ କରିବେ ଗାଙ୍ଗୁଲି-ଯୁବରାଜ ଯୋଡ଼ି

'ଟାଇମ୍ସ ଅଫ୍ ଇଣ୍ଡିଆ'ର ଏକ ରିପୋର୍ଟ ଅନୁସାରେ, ବିସିସିଆଇ (BCCI)ର ପୂର୍ବତନ ସଭାପତି ସୌରଭ ଗାଙ୍ଗୁଲି ପୁଣିଥରେ ଦିଲ୍ଲୀ କ୍ୟାପିଟାଲ୍ସର ସପୋର୍ଟ ଷ୍ଟାଫକୁ ଫେରୁଛନ୍ତି। ଦଳର ରଣନୀତି ପ୍ରସ୍ତୁତ କରିବାରେ ଗାଙ୍ଗୁଲି ପ୍ରମୁଖ ଭୂମିକା ଗ୍ରହଣ କରିବେ ଏବଂ ସେ ନିଜେ ଡଗ୍ଆଉଟ୍ରେ ଯୁବରାଜ ସିଂହଙ୍କ ଭଳି ଜଣେ ପ୍ରତିଭାଙ୍କୁ ସାଥୀରେ ଚାହୁଁଛନ୍ତି। ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ହିଁ ଯୁବରାଜ ନିଜର ଅନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ, ତେଣୁ ଏହି ଗୁରୁ-ଶିଷ୍ୟ ଯୋଡ଼ି ଏବେ ଦିଲ୍ଲୀ ଦଳକୁ ମାର୍ଗଦର୍ଶନ କରିବେ।

ମାଲିକାନା ବଦଳିବା ପରେ ନୂଆ ନିଷ୍ପତ୍ତି

ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ୍ ଦୁଇଟି ବଡ଼ କମ୍ପାନୀ (GMR Group ଏବଂ JSW Group) ଦ୍ୱାରା ପରିଚାଳିତ ହୁଏ। ନିୟମ ଅନୁଯାୟୀ, ଦୁଇ ବର୍ଷ ପର୍ଯ୍ୟନ୍ତ ଗୋଟିଏ ଗ୍ରୁପ ଦଳର ସମସ୍ତ ଅପରେସନ୍ ବା କାର୍ଯ୍ୟଭାର ସମ୍ଭାଳିଥାଏ । ୨୦୨୭ ଏବଂ ୨୦୨୮ ସିଜନ୍ ପାଇଁ JSW Group ଦଳର ଦାୟିତ୍ୱ ନେବାକୁ ଯାଉଛି। JSW Group ପରିଚାଳନା ଭାର ହାତକୁ ନେବା ମାତ୍ରେ ଦଳରେ ଏହି ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଦେଇଛି। ପୂର୍ବରୁ ମଧ୍ୟ JSW ସିଜନ୍ରେ ଗାଙ୍ଗୁଲି ଦଳର ଗୁରୁତ୍ୱପୂର୍ଣ୍ଣ ସଦସ୍ୟ ଥିଲେ।

କୋଚିଂ ଷ୍ଟାଫ୍ ପରିବର୍ତ୍ତନ

ଗତ ଦୁଇଟି ଆଇପିଏଲ୍ ସିଜନରେ ଦିଲ୍ଲୀ କ୍ୟାପିଟାଲ୍ସ ଆଦୌ ଭଲ ପ୍ରଦର୍ଶନ କରିପାରି ନାହିଁ । ଦଳ ପ୍ଲେ-ଅଫ୍ (Playoffs) କୁ ମଧ୍ୟ ଯୋଗ୍ୟତା ଅର୍ଜନ କରିପାରି ନଥିଲା। ଆଇପିଏଲ୍ ୨୦୨୫ରେ ଦଳର ଆରମ୍ଭ ଭଲ ହୋଇଥିଲେ ମଧ୍ୟ ଦ୍ୱିତୀୟାର୍ଦ୍ଧରେ ଖରାପ ପ୍ରଦର୍ଶନ ଯୋଗୁଁ ଦଳ ୫ମ ସ୍ଥାନରେ ରହିଥିଲା। ଆଇପିଏଲ ୨୦୨୬ରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ଅସ୍ଥିର ଥିଲା ଏବଂ ଦଳ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ଅଭିଯାନ ଶେଷ କରିଥିଲା। କେଏଲ୍ ରାହୁଲ, ମିଚେଲ ଷ୍ଟାର୍କ ଏବଂ କୁଲଦୀପ ଯାଦବଙ୍କ ଭଳି ତାରକା ଖେଳାଳି ଦଳରେ ଥାଇ ମଧ୍ୟ ଆଶାନୁରୂପ ଫଳାଫଳ ନ ମିଳିବାରୁ ବର୍ତ୍ତମାନର ମୁଖ୍ୟ କୋଚ୍ ହେମାଙ୍ଗ ବଦାନୀଙ୍କ ପଦବୀ ବିପଦରେ ପଡ଼ିଛି। ତାଙ୍କ ସ୍ଥାନରେ ନୂଆ ଚେହେରା ଆଣିବାକୁ ଯୋଜନା ଚାଲିଛି ।

ସେପଟେ ସୌରଭ ଗାଙ୍ଗୁଲି ଦିଲ୍ଲୀ କ୍ୟାପିଟାଲ୍ସର ସାଉଥ୍ ଆଫ୍ରିକା (SA20) ଫ୍ରାଞ୍ଚାଇଜ୍ 'ପ୍ରିଟୋରିଆ କ୍ୟାପିଟାଲ୍ସ' (Pretoria Capitals) ର ମୁଖ୍ୟ କୋଚ୍ ଭାବେ କାର୍ଯ୍ୟ କରି ଦଳକୁ ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ପର୍ଯ୍ୟନ୍ତ ପହଞ୍ଚାଇବାରେ ସଫଳ ହୋଇଥିଲେ। ଏହି ସଫଳତା ପରେ ଆଇପିଏଲ୍ରେ ମଧ୍ୟ ତାଙ୍କ ଉପରେ ଦଳର ଭରସା ଅଧିକ ବଢ଼ିଛି। ଯୁବରାଜ ସିଂହ ପୂର୍ବରୁ ଅଫିସିଆଲ୍ ଭାବେ କୌଣସି ଦଳର କୋଚିଂ ନେଇ ନଥିଲେ ମଧ୍ୟ, ସେ ବ୍ୟକ୍ତିଗତ ଭାବେ ଶୁଭମନ ଗିଲ୍ ଏବଂ ଅଭିଷେକ ଶର୍ମାଙ୍କ ଭଳି ଅନେକ ଯୁବ ଖେଳାଳିଙ୍କୁ କ୍ୟାରିୟର ଗଢ଼ିବାରେ ସାହାଯ୍ୟ କରିଛନ୍ତି। ଏଭଳି ପରିସ୍ଥିତିରେ ଆଇପିଏଲ୍ ଭଳି ଏକ ବଡ଼ ମଞ୍ଚରେ ଦିଲ୍ଲୀ କ୍ୟାପିଟାଲ୍ସର ସପୋର୍ଟ ଷ୍ଟାଫ୍ ଭାବେ ଯୋଗଦେବା ଉଭୟ ଯୁବରାଜ ଏବଂ ଦିଲ୍ଲୀ ଫ୍ରାଞ୍ଚାଇଜ୍ ପାଇଁ ଫଳପ୍ରଦ ହେବ ବୋଲି କୁହାଯାଉଛି।