ଭୁବନେଶ୍ୱର ୨୦।୦୨ : ହୋଟେଲ୍ରୁ ମିଳିଲା ଯୁବକଙ୍କ ମୃତଦେହ । ଭୁବନେଶ୍ୱରର ଏକ ହୋଟେଲ୍ ରୁମ୍ରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି ଇଞ୍ଜିନିୟରିଂ ଛାତ୍ରଙ୍କ ମୃତଦେହ । ମୃତ ଯୁବକ ହେଲେ ବିବୁନା ପ୍ରଧାନ । କମିଶନରେଟ୍ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।

ଖବର ଅନୁଯାୟୀ, ନିଜ ଗାର୍ଲଫ୍ରେଣ୍ଡ ସହ ହୋଟେଲ୍ ଆସିଥିଲେ ବିବୁନା ପ୍ରଧାନ । ସେଠାରେ ଖାଦ୍ୟ ଖାଇବା ପରେ ଉଭୟ ଶୋଇବାକୁ ଯାଇଥିଲେ । ହେଲେ ଶୁକ୍ରବାର ଦିନ ହଠାତ୍ ଲିଙ୍ଗରାଜ ଥାନା ପୋଲିସକୁ ଆସିଥିଲା ଫୋନ୍ କଲ୍ । ଯେଉଁଥିରେ ହୋଟେଲରେ ଜଣେ ଯୁବକ ସନ୍ଦେହ ଜନକ ଅବସ୍ଥାରେ ପଡିଥିବାର ଖବର ଆସିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲକୁ ନେଇଥିଲା । ହେଲେ ସେଠାରେ ଡାକ୍ତର ଉକ୍ତ ଯୁବକଙ୍କୁ ମୃତ ଘୋଷଣା କରିଛନ୍ତି ।

ତେବେ ଏଇଠି ହିଁ ଘଟଣାରେ ଆସିଛି ଟ୍ୱିଷ୍ଟ । ଯୁବକଙ୍କ ସାଥିରେ ଥିବା ଯୁବତୀ ଜଣଙ୍କର ପତ୍ତା ମିଳୁନି । ସକାଳୁ ସକାଳୁ ହୋଟେଲରୁ ଯୁବତୀ ଜଣଙ୍କ ଗାଏବ ହୋଇଯାଇଛନ୍ତି । ଯୁବତୀଙ୍କ ସଂପର୍କରେ ହୋଟେଲରେ କୌଣସି ସଠିକ୍ ତଥ୍ୟ ନାହିଁ । ସେ କୁଆଡେ ଯାଇଛନ୍ତି । ସେନେଇ ମଧ୍ୟ ହୋଟେଲ କର୍ମଚାରୀଙ୍କ ଜଣାଇନାହାନ୍ତି । ତେବେ କମିଶନରେଟ ପୋଲିସ ଘଟଣାସ୍ଥଳରୁ ଛାନ୍ଭିନ୍ ଆରମ୍ଭ କରିଛି । ଏହାସହ ହୋଟେଲ ପରିସରରେ ଥିବା ସିସିଟିଭି ଫୁଟେଜ୍କୁ ମଧ୍ୟ ତନତନ କରି ଯାଞ୍ଚ କରୁଛି । ଗୁରୁବାର ରାତିରେ ହୋଟେଲ ରୁମ୍ରେ କଣ ଘଟିଲା । ତାକୁ ନେଇ ମଧ୍ୟ ଖୋଲତାଡ ଜାରି ରଖିଛି କମିଶନରେଟ ପୋଲିସ ।