କେନ୍ଦ୍ରାପଡ଼ା ୨।୪: ଦାଦାବଟି ମାଗି ବିଫଳ ହେବାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅନ୍ତର୍ଗତ ଖଡିଅଣ୍ଟା ଗ୍ରାମରେ ଘଟିଛି ଏହି ଘଟଣା । ଦୁର୍ବୃତ୍ତଙ୍କ ଆକ୍ରମଣରେ ଅଜୟ ସ୍ବାଇଁ ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।
ଅଜୟ ଗୁରୁବାର ବିଳମ୍ବିତ ରାତିରେ ଅପେରା ଦେଖି ଘରକୁ ଫେରୁଥିବା ବେଳେ ବାବର ସେତୁ ଉପରେ କିଛି ଦୁର୍ବୃତ୍ତ ତାଙ୍କୁ ଅଟକାଇ ଦାଦାବଟି ମାଗିଥିଲେ । ଅଜୟ ଏଥିରେ ରାଜି ନହେବାରୁ ଦୁର୍ବୃତ୍ତମାନେ ଧାରୁଆ ଅସ୍ତ୍ରରେ ଅଜୟଙ୍କର ମୁଣ୍ଡକୁ ହାଣି ଦେଇଥିଲେ । ଅଜୟ ତଳେ ପଡିଯିବାରୁ ତାଙ୍କ ସୁନା ଚେନ୍, ମୁଦି, ମୋବାଇଲ ଓ ପକେଟରେ ଥିବା ନଗଦ ଟଙ୍କା ଲୁଟି ନେଇ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ l
ଆକ୍ରମଣରେ ଅଜୟଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଛି l ପ୍ରଥମେ ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଅଭିଯୋଗ ଆଧାରରେ ପୋଲିସ ଘଟଣାର ତଦନ୍ତ କରି ଗୋଟିଏ କାର୍ ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ।
