ନୂଆଦିଲ୍ଲୀ ୧୬।୧୦; ମାଲିକ ଓ କର୍ମଚାରୀଙ୍କ ସମ୍ପର୍କକୁ ନେଇ ଆଜିକାଲି ବହୁତ କିଛି ଦେଖିବାକୁ ମିଳେ, କିନ୍ତୁ ଚୀନରୁ ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କ ମନ ଜିତି ନେଇଛି। ଜଣେ ରେସ୍ତୋରାଁ ମାଲିକାଣି ନିଜ କର୍ମଚାରୀଙ୍କ ନିଷ୍ଠା ଓ କଷ୍ଟକୁ ଦେଖି, ସେମାନଙ୍କୁ ବିନା କୌଣସି ଚୁକ୍ତିରେ ଉପହାର ଦେଇଛନ୍ତି ଦାମୀବିଏମଡବ୍ଲ୍ୟୁ (BMW)କାର୍!

ଚୀନର ହେନାନ ପ୍ରାନ୍ତର ଜିଓଜୁଓ ସହରରେ ଅବସ୍ଥିତ ଏକ ବିଫ୍ ହଟ୍ପଟ୍ ରେସ୍ତୋରାଁର ମାଲିକାଣି ହେଉଛନ୍ତିମା ୟାନଲି। ତାଙ୍କ ରେସ୍ତୋରାଁରେ କାମ କରୁଥିବା ଦୁଇଜଣ ମହିଳା କର୍ମଚାରୀ ହାଡ଼ଭଙ୍ଗା ଶୀତ, ବରଫପାତ ଓ ଝଡ଼ର ମୁକାବିଲା କରି ପ୍ରତିଦିନ ଇ-ବାଇକ୍ରେ କାମକୁ ଆସୁଥିଲେ। ଥଣ୍ଡାରେ ସେମାନଙ୍କ ହାତଗୋଡ଼ ଲାଲ୍ ପଡ଼ିଯାଉଥିବା ଏବଂ କାନ ନୀଳ ପଡ଼ିଯାଉଥିବା ଦୃଶ୍ୟ ମାଲିକାଣି ସହିପାରି ନଥିଲେ।

ଦୀର୍ଘ ୮ ବର୍ଷ ହେଲା କାମ କରୁଥିବା ଲି ଜି ଏବଂ ଲିୟୁ ୟିଙ୍ଗୟିଙ୍ଗ୍ ନାମକ ଏହି ଦୁଇ କର୍ମଚାରୀଙ୍କ କଷ୍ଟ ଦେଖି ମାଲିକାଣି ସେମାନଙ୍କ ପାଇଁ କିଛି ବଡ଼ କରିବାକୁ ନିଷ୍ପତ୍ତି ନେଲେ। ସେମାନଙ୍କ ପ୍ରତି କୃତଜ୍ଞତା ଜଣାଇ ସେ ପ୍ରାୟ ୪୦ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ବିଏମ୍ଡବ୍ଲ୍ୟୁ କାର୍ କିଣି ଉଭୟଙ୍କୁ ଉପହାର ଦେଇଛନ୍ତି।

ଧଳା ରଙ୍ଗର ବିଏବ୍ଲ୍ୟୁ ପାଇଥିବା କର୍ମଚାରୀ ଲି ଜି ଏହା ଦେଖି ଅତ୍ୟନ୍ତ ଭାବୁକ ହୋଇପଡ଼ିଥିଲେ। ଶୋ’ରୁମ୍ ଯିବା ସମୟରେ ମାଲିକାଣି ତାଙ୍କୁ କହିଥିଲେ ଯେ ସେ ତାଙ୍କୁ ଏକ 'ବଡ଼ ଖେଳଣା' ଉପହାର ଦେବେ, କିନ୍ତୁ ସେ କେବେବି ଏଭଳି କଥା ଚିନ୍ତା କରିନଥିଲେ। ସେହିପରି ଅନ୍ୟତମ କର୍ମଚାରୀ ଲିୟୁ ୟିଙ୍ଗୟିଙ୍ଗ୍ ମଧ୍ୟ ଏକ ଧୂସର ରଙ୍ଗର ବିଏମ୍ଡବ୍ଲ୍ୟୁ କାର୍ ପାଇଛନ୍ତି।

କର୍ମଚାରୀଙ୍କ ପରିଶ୍ରମକୁ ସମ୍ମାନ ଏବଂ ସେମାନଙ୍କ ଆରାମଦାୟକ ଯାତ୍ରା ପାଇଁ ମାଲିକାଣିଙ୍କ ଏଭଳି ପଦକ୍ଷେପକୁ ଏବେ ସୋସିଆଲ ମିଡିଆରେ ଖୁବ୍ ପ୍ରଶଂସା କରାଯାଉଛି। ପ୍ରକୃତରେ, ଏପରି ମାଲିକ ଏବଂ କର୍ମଚାରୀଙ୍କ ସମ୍ପର୍କ ଆଜିର ଦୁନିଆରେ ଏକ ବଡ଼ ଉଦାହରଣ ସୃଷ୍ଟି କରିଛି।