ନୂଆଦିଲ୍ଲୀ: ଚର୍ଚ୍ଚିତ ହର୍ମୁଜ ପ୍ରଣାଳୀରେ ଏକ ବଡ଼ ଦୁର୍ଘଟଣା ଘଟିଛି । ସିଙ୍ଗାପୁର ପତାକା ଲାଗିଥିବା ଏକ ବଡ଼ କାର୍ଗୋ ଜାହାଜରେ ନିଆଁ ଲାଗିଯିବାରୁ ଏହା ବୁଡ଼ିଯାଇଛି । ମାଲବାହୀ ଜାହାଜ ‘ଜିଏଫଏସ୍‌ ପ୍ରାଇ’ରେ ଆଇଫୋନ୍‌ ଏବଂ ପର୍ଫ୍ୟୁମ୍ 
ପରିବହନ ହେଉଥିବା ବୋଲି କୁହାଯାଉଛି।  ଜାହାଜଟି ବୁଡ଼ିଯିବା ଫଳରେ ପାଣିରେ ଆଇଫୋନ୍ ବକ୍ସ ଏବଂ ପର୍ଫ୍ୟୁମ୍  ବୋତଲ ଭାସୁଥିବା ନେଇ ଫଟୋ ଭିଡିଓ ଭାଇରାଲ୍‌ ହୋଇଛି । 
 
ଭାଇରାଲ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ସ୍ଥାନୀୟ ଲୋକମାନେ ଛୋଟ ଡଙ୍ଗାରେ ଆସି ସମୁଦ୍ରରେ ଭାସୁଥିବା ଏହି ଦାମୀ ଜିନିଷଗୁଡ଼ିକୁ ନେଇଯାଉଛନ୍ତି । ତେବେ ଜାହାଜ ବୁଡ଼ିବା ପୂର୍ବରୁ ସମସ୍ତ ୨୧ ଜଣ କର୍ମଚାରୀ ସୁରକ୍ଷିତ ଭାବରେ ବାହାରି ଯାଇଛନ୍ତି ।  ପ୍ରାୟ ୨,୫୦୦ କଣ୍ଟେନର୍ ବହନ କରିବାର କ୍ଷମତା ରଖିଥିବା ଏହି ଜାହାଜଟି ଦୁବାଇରୁ ଯାତ୍ରା ଆରମ୍ଭ କରିଥିଲା। ତେବେ ଏହା କିପରି ଦୁର୍ଘଟଣାଗ୍ରସତ ହେଲା ସେନେଇ ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସିଛି।

 ଇରାନର ଇସଲାମିକ୍ ରେଭୋଲୁସନାରୀ ଗାର୍ଡ କର୍ପସ୍ ଦାବି କରିଛି ଯେ ଜାହାଜଟି, ଏକ ଅସୁରକ୍ଷିତ ପଥ ଦେଇ ଯାଉଥିବା ସମୟରେ ଜଳପଥରେ ଥିବା ଏକ ନୌସେନା ମାଇନ୍ ସଂସ୍ପର୍ଶରେ ଆସି ବିଷ୍ଫୋରଣ ହୋଇଥିଲା। ଅନ୍ୟପକ୍ଷରେ, ସିଙ୍ଗାପୁରର ସାମୁଦ୍ରିକ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏକ ଅଜ୍ଞାତ କ୍ଷେପଣାସ୍ତ୍ର ଆକ୍ରମଣ ଯୋଗୁଁ ଜାହାଜରେ ଭୟଙ୍କର ନିଆଁ ଲାଗିଯାଇଥିଲା।

ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହର୍ମୁଚ ପ୍ରଣାଳୀରେ ଆକ୍ରମଣ ବୃଦ୍ଧି ପାଇଛି। ଏହି ଘଟଣା ପୂର୍ବରୁ 'କେପ୍ ଡାଓ' ନାମକ ଅନ୍ୟ ଏକ ଜାହାଜ ମଧ୍ୟ କ୍ଷେପଣାସ୍ତ୍ର ଆକ୍ରମଣର ଶିକାର ହୋଇ ବୁଡ଼ିଯାଇଥିଲା । ଯେଉଁଥିରେ ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣ ଯୋଗୁଁ ଅନ୍ତର୍ଜାତୀୟ ଯୋଗାଣ ଶୃଙ୍ଖଳା ପ୍ରତି ବଡ଼ଧରଣର ବିପଦ ସୃଷ୍ଟି ହୋଇଛି। ଏଭଳି ଆକ୍ରମଣ ଜାରି ରହିଲେ ହର୍ମୁଜ ଦେଇ ବିଶ୍ବକୁ ଆସୁଥିବା ସାମଗ୍ରୀର ଦରଦାମ୍‌ ବୃଦ୍ଧି ପାଇବ, ଏଥିରେ ସନ୍ଦେହ ନାହିଁ ।