ୱାସିଂଟନ : ଆମେରିକାରେ ପୁଣି ଭୟଙ୍କର ଗୁଳିକାଣ୍ଡ । ସ୍କୁଲ ଭିତରେ ପଶି ଗୁଳିମାଡ଼ କରିବା ନେଇ ହଇଚଇ ସୃଷ୍ଟି । ଶ୍ରେଣୀଗୃହରେ ପାଠପଢ଼ା ଚାଲିଥିବା ସମୟରେ ହଠାତ୍ ଗୁଳି ଫୁଟିବାରୁ ଖେଳିଗଲା ଆତଙ୍କ। ଏହି ଭୟଙ୍କର ଘଟଣାରେ ୩ ଜଣ ନିରୀହ ଶିଶୁନିକ ସମେତ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ଜଣେ ଶିଶୁ ଓ ଶିକ୍ଷକ ଗୁରୁତର ଆହତ ହୋଇଛନ୍ତି । ପୋଲିସର କହିବା ଅନୁଯାୟୀ, ଆକ୍ରମଣରେ ୫, ୮ ଓ ୧୧ ବର୍ଷ ବୟସର ତିନି ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏହା ସହ ଜଣେ ୫୪ ବର୍ଷୀୟ ଶିକ୍ଷକଙ୍କ ମଧ୍ୟ ଜୀବନ ଯାଇଛି । ଅନ୍ୟ ଜଣେ ୭ ବର୍ଷୀୟ ଶିଶୁ ଓ ଜଣେ ଶିକ୍ଷକ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି । ତେବେ ଗୁଳିକାଣ୍ଡ ଘଟାଇଥିବା ୧୬ ବର୍ଷୀୟ ଆକ୍ରମଣକାରୀକୁ ଜଣେ ସ୍ଥାନୀୟ ବ୍ୟକ୍ତି ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣା ପରେ ପୂରା ଅଞ୍ଚଳରେ ଶୋକ ଓ ଭୟର ବାତାବରଣ ଖେଳିଯାଇଛି ।

ମିଳିଥିବା ସୂଚନାନୁଯାୟୀ, ଆମେରିକାର ଓରେଗନ୍ ରାଜ୍ୟର ବେଣ୍ଡ୍ ସହରରେ ଥିବା 'ସିଲଭର ରେଲ ଏଲିମେଣ୍ଟାରୀ ସ୍କୁଲ୍'ରେ ଗୁରୁବାର, ଅକ୍ଟୋବର ୧୫ ତାରିଖରେ ଏହି ଗୁଳିକାଣ୍ଡ ଘଟିଛି।ସ୍କୁଲ୍ ବାହାରେ ଥିବା ଏକ କାର୍ ଉପରକୁ ହଠାତ ଗୁଳି ଚାଳନା ହୋଇଥିବା ନେଇ ଅପରାହ୍ନ ୧୨ଟା ୫୯ ମିନିଟ୍ରେ ପୋଲିସକୁ ପ୍ରଥମ ଫୋନ୍ କଲ୍ ଆସିଥିଲା । ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ଏହାପରେ ସ୍କୁଲ ଭିତରୁ ମଧ୍ୟ ଏକାଧିକ ଜରୁରୀକାଳୀନ ଫୋନ୍ କଲ୍ ଆସିଥିଲା ବୋଲି ବେଣ୍ଡ୍ ପୋଲିସ ବିଭାଗ ସୂଚନା ଦେଇଛି । ପୋଲିସ ପହଞ୍ଚିବାର କିଛି ସମୟ ପରେ ଆକ୍ରମଣକାରୀକୁ ସ୍କୁଲ ଭିତରେ ଗୁଳି କରାଯାଇଥିଲା ଏବଂ ସେ ତଳେ ପଡ଼ିଯାଇଥିଲା ବୋଲି ସୂଚନା ମିଳିଛି ।

ତେବେ ଏହି ଗୁଳିକାଣ୍ଡ ପରେ ଦୁଇ ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ସେଣ୍ଟ ଚାର୍ଲସ ବେଣ୍ଡ୍ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ଅଛି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ସ୍କୁଲ୍କୁ ନିର୍ଦ୍ଧିଷ୍ଟ ସମୟ ପାଇଁ ବନ୍ଦ କରାଯାଇଛି । ଏହି ସ୍କୁଲରେ ପ୍ରାୟ ୪୫୦ରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି। ଘଟଣା ପରେ ସ୍କୁଲ ପରିସରରେ ଆତଙ୍କ ଖେଳିଯାଇଥିବାବେଳେ ପୋଲିସ ଓ ଏମର୍ଜେନ୍ସି ରେସକ୍ୟୁ ଟିମ ତୁରନ୍ତ ପହଞ୍ଚିଥିଲେ। ଆଉ ବଞ୍ଚାଇଦେଇଥିଲେ କୁନି କୁନି ନିରୀହ ଜୀବନ । ପୋଲିସର କହିବା ଅନୁଯାୟୀ, ଜଣେ ସ୍ଥାନୀୟ ବ୍ୟକ୍ତି ଆକ୍ରମଣକାରୀକୁ ସ୍କୁଲ ଭିତରକୁ ପ୍ରବେଶ କରୁଥିବା ଦେଖି ତା'ର ପିଛା କରିଥିଲେ। ପରେ ତାଙ୍କ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସେହି ବ୍ୟକ୍ତିଙ୍କ ଗୁଳିରେ ଆକ୍ରମଣକାରୀର ମୃତ୍ୟୁ ହୋଇଥିଲା। ଓରେଗନ୍ର ଗଭର୍ଣ୍ଣର ଟିନା କୋଟେକ୍ ଏହି ବ୍ୟକ୍ତିଙ୍କ ସାହସିକ ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଘଟଣା ପରେ ପୋଲିସ ସ୍କୁଲର ଯାଞ୍ଚ କରୁଛି । ଆକ୍ରମଣକାରୀର ପରିଚୟ, ସ୍କୁଲ ସହ ତା'ର କୌଣସି ସମ୍ପର୍କ ଥିଲା କି ନାହିଁ ଏବଂ ଏହି ଘଟଣା ପଛରେ କାହାର ରହିଛି ହାତ ସେନେଇ ତଦନ୍ତ ଚାଲିଛି। ତଦନ୍ତରେ ଆମେରିକାର ଫେଡେରାଲ୍ ତଦନ୍ତ ସଂସ୍ଥା FBI ମଧ୍ୟ ସହଯୋଗ କରୁଛି।