ମସ୍କୋ : ରୁଷିଆର କାମଚାଟକା ଉପଦ୍ୱୀପରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ । ଭୂକମ୍ପକୁ ନେଇ ଦେଖାଦେଇଛି ଆତଙ୍କ। ଏହି ଅଞ୍ଚଳରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲ୍ରେ ୭.୦ ରହିଥିବା ଜଣାପଡ଼ିଛି। ଭୂମିକମ୍ପର ତୀବ୍ର ଝଟକାରେ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ତେବେ ଏହି ଭୂମିକମ୍ପରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ଏବଂ କେତେଜଣ ଲୋକ ଆହତ ହୋଇଛନ୍ତି ସେନେଇ କୌଣସି ନିଶ୍ଚିତ ସୂଚନା ମିଳିପାରିନାହିଁ ।

ପ୍ରାଥମିକ ତଥ୍ୟ ଅନୁଯାୟୀ, ଭୂମିକମ୍ପଟି ୧୪୦ କିଲୋମିଟର ଗଭୀରତାରେ ହୋଇଥିଲା ଏବଂ ପ୍ରାୟ ଅପରାହ୍ନ ୩.୩୫ ରୁଷୀୟ ସମୟରେ ହୋଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରୁଷିଆର ପେଟ୍ରୋପାଭଲୋଭସ୍କ-କାମଚାଟସ୍କିର ଦକ୍ଷିଣ ଏବଂ ଦକ୍ଷିଣ-ପଶ୍ଚିମ ମଧ୍ୟରେ ୧୪୬ କିଲୋମିଟର ଏବଂ ଓଜେରନୋଭସ୍କିର ଉତ୍ତର ଏବଂ ଉତ୍ତର-ପୂର୍ବ ମଧ୍ୟରେ ୮୦ କିଲୋମିଟର ଥିଲା। ସୂଚାନୁଯାୟୀ, ରୁଷିଆର ଫାରଇଷ୍ଟ ଅଞ୍ଚଳରେ ଅବସ୍ଥିତ ଥିବା କାମଚାଟକା ଉପଦ୍ୱୀପ ଭୂମିକମ୍ପପ୍ରବଣ ଅଞ୍ଚଳ ଭାବେ ପରିଚିତ। ଏହା ପ୍ରଶାନ୍ତ ମହାସାଗରର ଅଗ୍ନିବଳୟ ବା ‘ରିଙ୍ଗ୍ ଅଫ୍ ଫାୟାର୍’ ନିକଟରେ ଥିବାରୁ ଏଠାରେ ବାରମ୍ବାର ଭୂମିକମ୍ପ ଓ ଆଗ୍ନେୟଗିରି ବିସ୍ଫୋରଣ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ଭୂକମ୍ପ ଝଟକାକୁ ନେଇ ଲୋକେ ଭୟଭୀତ ଥିବାବେଳେ ସେପଟେ ଭୂକମ୍ପ ପରେ ସୁନାମିକୁ ନେଇ ବଢିଛି ଆଶଙ୍କା । ସାଧାରଣତଃ ସମୁଦ୍ର ନିକଟରେ ଶକ୍ତିଶାଳୀ ଭୂମିକମ୍ପ ହେଲେ ସୁନାମିର ଆଶଙ୍କା ରହିଥାଏ ।

ତେବେ ଏହି ଭୂମିକମ୍ପ ପରେ ରୁଷରେ ସୁନାମି ସତର୍କତା ଜାରି ହୋଇଛି । ସ୍ଥାନୀୟ ପ୍ରଶାସନ ଓ ବିପର୍ଯ୍ୟୟ ପରିଚାଳନା ସଂସ୍ଥାର ନିର୍ଦ୍ଦେଶ ପାଳନ କରିବାକୁ ଲୋକଙ୍କୁ ପରାମର୍ଶ ମଧ୍ୟ ଦିଆଯାଇଛି । କିନ୍ତୁ ଆମେରିକାର ନ୍ୟାସନାଲ୍ ସୁନାମି ୱାର୍ଣ୍ଣିଂ ସେଣ୍ଟରର ଅଧିକାରିକ ସୂଚନା ଅନୁଯାୟୀ, ଏହି ଭୂମିକମ୍ପ ପାଇଁ କୌଣସି ସୁନାମି ଚେତାବନୀ, ଆଡଭାଇଜରି କିମ୍ବା ବିପଦ ଜାରି ହୋଇନାହିଁ। ଭୂମିକମ୍ପର ଗଭୀରତାକୁ ଦୃଷ୍ଟିରେ ରଖି ସୁନାମି ବିପଦ ଆଶା କରାଯାଉନାହିଁ। ଅନ୍ୟପଟେ ଭୂମିକମ୍ପରେ କୌଣସି ମୃତାହତ କିମ୍ବା ବଡ଼ଧରଣର କ୍ଷୟକ୍ଷତି ସମ୍ପର୍କରେ ନିଶ୍ଚିତ ସୂଚନା ମିଳିନାହିଁ । ତେଣୁ ଏହି ଭୂମିକମ୍ପର ପ୍ରକୃତ ପ୍ରଭାବ କେତେ ରହିଛି, ତାହା ଏବେ ସ୍ପଷ୍ଟ ହୋଇନାହିଁ। ପରବର୍ତ୍ତୀ ରିପୋର୍ଟରୁ ଏନେଇ ଅଧିକ ତଥ୍ୟ ମିଳିପାରେ।