ଭୁବନେଶ୍ବର ୧୭।୫: ଅସହ୍ୟ ତାତି । କଲବଲ କରୁଛି ଗରମ ଗୁଳୁଗୁଳି । ସକାଳ ୭ଟାରୁ ସହରରେ ତାତି ଅସହ୍ୟ ହୋଇପଡୁଛି । ପାଣିପାଗ ବିଭାଗ କହିଛି ଯେ ୨୬ ସୁଦ୍ଧା କେରଳ ଛୁଇଁବ ମୌସୁମୀ । ଏହାପୂର୍ବରୁ ରାଜ୍ୟରେ ବର୍ତ୍ତମାନ ଖରା ସାଙ୍ଗକୁ କାଳବୈଶାଖୀ ପ୍ରଭାବ ରହିବ । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଆସନ୍ତା ଜୁନ୍ କିମ୍ବା ଜୁଲାଇ ମାସ ସୁଦ୍ଧା ‘ସୁପର୍ ଏଲ୍ ନିନୋ’ ସକ୍ରିୟ ହେବାକୁ ଯାଉଛି । ଯାହା ଭାରତରେ ମୌସୁମୀ ବାୟୁକୁ ଗଭୀର ଭାବେ ପ୍ରଭାବିତ କରିବାର ସମ୍ଭାବନା ରହିଛି

ସକାଳ ୭ ଟାରୁ ତାତି ଆରମ୍ଭ । ଗରମ ଗୁଳୁଗୁଳି ବି ସହି ହେଉନି । ଯୁଆଡେ ଗଲେ ଝାଞ୍ଜି ଦାଉ । ଖାଁ ଖାଁ ସହର । ଗତ ୨୪ ଘଣ୍ଟାରେ ୪୦ ଡ଼ିଗ୍ରୀ ପାର କଲା ତାତି । ସମ୍ବଲପୁର ଜିଲ୍ଲାରେ ରେକର୍ଡ ହେଲା ୪୧.୫ ଡ଼ିଗ୍ରୀ ସେଲସିୟସ । ଦକ୍ଷିଣ ପଶ୍ଚିମ ଦିଗରୁ ପବନ ପ୍ରବାହିତ ହେଉଥିବା ବେଳେ ତାତିର ପ୍ରକୋପ ଅନୁଭୂତ ହେଉଛି । ସେପଟେ ପାଣିପାଗ ବିଭାଗ କହିଛି ଆସନ୍ତା ୨୪ ଯାଏଁ କାଳବୈଶାଖୀ ପ୍ରକୋପ ରହିବ । ଆସନ୍ତା ୨୪ ଘଣ୍ଟା ପାଇଁ ୯ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର । ଯେଉଁଠି ବିଜୁଳି ଘଡଘଡି ବର୍ଷା ସହ ଘଣ୍ଟା ପ୍ରତି ପବନର ବେଗ ୪୦-୫୦ କିଲୋମିଟର ଯାଏଁ ପ୍ରବାହିତ ହେବ । ଜିଲ୍ଲା ଗୁଡ଼ିକ ହେଲା ରାୟଗଡ଼ା, କୋରାପୁଟ, ମାଲକାନଗିରି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଗଜପତି ଓ ଗଞ୍ଜାମ ଜିଲ୍ଲା । ସେହିପରି ସୋମବାର ପାଇଁ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଗଜପତି ଓ ଗଞ୍ଜାମ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ତେବେ ୨୦ ତାରିଖରେ କାଳବୈଶାଖୀର ପ୍ରକୋପ ଅଧିକ ରହିବ । ଘଣ୍ଟା ପ୍ରତି ପବନର ବେଗ ୫୦-୬୦ କି.ମି. ଯାଏଁ ପ୍ରବାହିତ ହେବ । ବିଶେଷ ଭାବେ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଭାବିତ ହେବ ।

Also Read:- ଗଞ୍ଜାମ ପୋଲିସ ଜିଲ୍ଲା ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୍ : ୧୧ ଦିନରେ ୪୪୪ ଓ୍ବାରେଣ୍ଟି ଗିରଫ

ସେପଟେ ସକ୍ରିୟ ହେଲାଣି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଞ୍ଚଳ, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର, ଆଣ୍ଡାମାନ ସାଗରର ବହୁ ଅଞ୍ଚଳ, ସମଗ୍ର ନିକୋବାର ଦ୍ୱୀପପୁଞ୍ଜ ଏବଂ ଶ୍ରୀ ବିଜୟ ପୁରମ୍ ସହ ଆଣ୍ଡାମାନ ଦ୍ୱୀପପୁଞ୍ଜର କିଛି ଅଞ୍ଚଳକୁ ଅଗ୍ରସର ହୋଇଥିବା ବେଳେ କେରଳରେ ଆସନ୍ତା ୨୬ ତାରିଖ ବେଳକୁ ମୌସୁମୀ ପ୍ରବେଶ କରିପାରେ । କିନ୍ତୁ ଓଡ଼ିଶାରେ କେବେ ମୌସୁମୀ ବାୟୁ ଛୁଇଁବ ତାହା ଜୁନ୍ ୧ ତାରିଖ ବେଳକୁ ସ୍ପଷ୍ଟ ହେବ । ଏପଟେ ଆସନ୍ତା ଜୁନ୍ କିମ୍ବା ଜୁଲାଇ ମାସ ସୁଦ୍ଧା ‘ସୁପର୍ ଏଲ୍ ନିନୋ’ ସକ୍ରିୟ ହେବାକୁ ଯାଉଛି । ଯାହା ଭାରତରେ ମୌସୁମୀ ବାୟୁକୁ ଗଭୀର ଭାବେ ପ୍ରଭାବିତ ହେବାର ସମ୍ଭାବନା ରହିଛି ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । ସେହିପରି ରାଜ୍ୟରେ ତାପମାତ୍ରାର ପ୍ରକୋପ ମାସ ଶେଷ ଯାଏଁ ରହିବ । ୧୯-୨୦ ଆହୁରି ଅଧିକ ତାପମାତ୍ରା ବୃଦ୍ଧି ପାଇବ । ଆଭ୍ୟନ୍ତରୀଣ ଓଡ଼ିଶାରେ ୩-୪ ଡିଗ୍ରୀ ଯାଏଁ ତାପମାତ୍ର ବୃଦ୍ଧି ସମ୍ଭାବନା ରହିଛି ।