ନୂଆଦିଲ୍ଲୀ, ୧୨।୧୧ : ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟର ବୀରେନ୍ଦ୍ର ସେହ୍ୱାଗଙ୍କ ପୁଅ ଆର୍ଯ୍ୟବୀର ଅଣ୍ଡର-୧୯ ଏସିଆ କପରେ ଜବରଦସ୍ତ ପ୍ରଦର୍ଶନ କରିଛନ୍ତି । ୟୁଏଇ ବିପକ୍ଷରେ ସେ ୧୬୦ ରନର ପାଳି ଖେଳି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି । ଏହି ଇନିଂସରେ ସେ ୧୭ଟି ଚଉକା ଏବଂ ୭ଟି ଛକା ଲଗାଇଥିଲେ । ଜୁନିଅର ସେହ୍ୱାଗ ହୋଇଥିବାରୁ ତାଙ୍କୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଥାଏ । ଏବେ ସେ ବାପାଙ୍କ ଭଳି ଖେଳ ପ୍ରଦର୍ଶନ କରିପାରୁଥିବା ପ୍ରମାଣିତ କରିଛନ୍ତି ।

ଏବେ ଆର୍ଯ୍ୟବୀର ଏସିଆ କପ୍ ଉପରେ ଫୋକସ କରୁଛନ୍ତି । କିପରି ଦଳକୁ ଚାମ୍ପିଅନ୍ କରାଇବେ ସେନେଇ ପ୍ରସ୍ତୁତି କରୁଛନ୍ତି । ଏହାମଧ୍ୟରେ ବିରାଟ କୋହଲିଙ୍କ ସହ ତାଙ୍କର ଏକ ପୁରୁଣା ଭିଡିଓ ଭାଇରାଲ ହୋଇଛି ।

Also Read :- Arshdeep-Samreen Engaged: ପ୍ରେମ ସମ୍ପର୍କକୁ ଦେଲେ ନୂଆ ପରିଚୟ, ଫିଲ୍ମି ଷ୍ଟାଇଲ୍‌ରେ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍‌ କଲେ ଅର୍ଶଦୀପ

ଏହି ଭିଡିଓରେ ଆର୍ଯ୍ୟବୀର ବିରାଟଙ୍କ ସହ ନଜର ଆସିଛନ୍ତି । ସେ କୋହଲିଙ୍କୁ କିଛି ପ୍ରଶ୍ନ ପଚାରୁଛନ୍ତି । କୋହଲି ମଧ୍ୟ ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଉପଦେଶ ଦେଉଛନ୍ତି । ଆର୍ଯ୍ୟବୀର କୋହଲିଙ୍କୁ ୧୪ ବର୍ଷରେ ନେହେରାଙ୍କ ହାତରୁ ଟ୍ରଫି ନେଉଥିବା କଥା କହିବା ସହ ଏବେ ନେହେରା ତାଙ୍କ ଅଧିନରେ ଖେଳୁଥିବା କଥା ପଚାରୁଛନ୍ତି । ଏବେ ନେହେରାଙ୍କୁ ନେଇ କୋହଲିଙ୍କ ଅନୁଭବ କେମିତି ବୋଲି ଆର୍ଯ୍ୟବୀର ପଚାରୁଛନ୍ତି । ଯାହାର ଉତ୍ତରରେ କୋହଲି କହୁଛନ୍ତି ଯେ, ଆତ୍ମବିଶ୍ୱାସ ରଖିବାକୁ ହେବ । ମୁଁ ଏ କାମ କରିପାରିବି ବୋଲି ଭରସା ରଖିବାକୁ ପଡିବ । ଏହାଦ୍ୱାରା ଅସମ୍ଭବକୁ ସମ୍ଭବ କରାଯାଇପାରିବ । ଏବେ ଏହି କ୍ଲିପ୍ ଖୁବ୍ ଭାଇରାଲ ହେବାରେ ଲାଗିଛି ।

ବାପାଙ୍କୁ କଥା ଦେଇଥିଲେ

ଏସିଆ କପରେ ପ୍ରଥନେ ନେପାଳ ବିପକ୍ଷରେ ଜୁନିଅର ସେହ୍ୱାଗ ୭୦ ରନର ପାଳି ଖେଳିଥିଲେ । ତେବେ ପାକିସ୍ତାନ ବିପକ୍ଷରେ ମାତ୍ର ୨୨ ରନ୍ କରି ଆଉଟ୍ ହୋଇଥିଲେ । କିନ୍ତୁ ୟୁଏଇ ବିପକ୍ଷରେ ସେ ୧୬୦ ରନର ପାଳି ଖେଳିଥିଲେ । ଏହି ଇନିଂସରେ ସେ ୭ଟି ଛକା ଏବଂ ୧୭ଟି ଚଉକା ମାରିଥିଲେ । ଫଳରେ ଭାରତ ୩୦୯ ରନ୍ କରିବାରେ ସଫଳ ହୋଇଥିଲା । ଏହାସହ ମୁକାବିଲାକୁ ମଧ୍ୟ ଟିମ୍ ୭୦ ରନରେ ଜିତି ନେଇଛି ।

ନିଜର ଦମଦାର ଇନିଂସକୁ ନେଇ ଆର୍ଯ୍ୟବୀର କହିଛନ୍ତି ଯେ, ସେ ଆଜି ଶପଥ ନେଉଥିଲେ । ଏପରିକି ବଡ ସ୍କୋର କରିବେ ବୋଲି ଜଣଙ୍କୁ କଥା ଦେଇଥିଲେ । ଯାହାକୁ ସେ ପୂରଣ କରିଛନ୍ତି । ତେବେ ସେ ବାପାଙ୍କୁ ଶତକ କରିବେ ବୋଲି କହିଥିଲେ । ତାଙ୍କ ଲିଗାସୀକୁ ଆଗକୁ ନେବେ ବୋଲି କଥା ଦେଇଥିଲେ । କାରଣ ବାପା କେବଳ ଶତକ ପସନ୍ଦ କରନ୍ତି ବୋଲି ଜୁନିଅର ସେହ୍ୱାଗ କହିଛନ୍ତି ।