ନୂଆଦିଲ୍ଲୀ ୦୯।୧୧; ଭିକାରୀ କହିଲେ ଆଖି ଆଗକୁ ଆସେ ଅଭାବ ଓ ଅସହାୟତାର ଚିତ୍ର। ହେଲେ ଯଦି ଜଣେ ଭିକାରୀଙ୍କ ସମ୍ପତ୍ତିର ମୂଲ୍ୟ ହୁଏ ସାଢ଼େ ୭ କୋଟି ଟଙ୍କା, ତେବେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ। ମୁମ୍ବାଇର ଭରତ ଜୈନଙ୍କ କାହାଣୀ ଏବେ ସମସ୍ତଙ୍କୁ ଚକିତ କରିଛି। ଦୀର୍ଘ ୪୦ ବର୍ଷ ଧରି ଭିକ୍ଷା ମାଗୁଥିବା ଭରତଙ୍କ ପାଖରେ ରହିଛି ଫ୍ଲାଟ୍, ଦୋକାନ ଓ ଭଡ଼ାରୁ ଆୟର ବ୍ୟବସ୍ଥା। ଏତେ ସମ୍ପତ୍ତିର ମାଲିକ ହୋଇ ମଧ୍ୟ କାହିଁକି ଛାଡ଼ୁନାହାନ୍ତି ଭିକ୍ଷାବୃତ୍ତି? ଆସନ୍ତୁ ଜାଣିବା ଏହି ଅଜବ କାହାଣୀ।

ନାଁ ଭରତ ଜୈନ। ଘର ମୁମ୍ବାଇରେ। ପେସା ଭିକ୍ଷାବୃତ୍ତି, ହେଲେ ସମ୍ପତ୍ତି ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ। ତଥ୍ୟ ଅନୁସାରେ, ଭରତଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୭.୫ କୋଟି ଟଙ୍କା। ଦୀର୍ଘ ୪୦ ବର୍ଷ ଧରି ସେ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ୍ ଓ ଆଜାଦ ମୈଦାନ ଭଳି ଭିଡ଼ ସ୍ଥାନରେ ଭିକ୍ଷା ମାଗୁଛନ୍ତି। କୁହାଯାଏ, ଦିନକୁ ପ୍ରାୟ ୧୦ରୁ ୧୨ ଘଣ୍ଟା ଭିକ୍ଷା ମାଗି ସେ ୨ ହଜାରରୁ ୨୫୦୦ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି। ଅର୍ଥାତ୍ ମାସକୁ ତାଙ୍କ ଆୟ ପ୍ରାୟ ୬୦ରୁ ୭୫ ହଜାର ଟଙ୍କା। ଏହା ସହ ତାଙ୍କ ପାଖରେ ରହିଛି ଅନେକ ସ୍ଥାବର ସମ୍ପତ୍ତି।

ସୂଚନା ଅନୁସାରେ, ମୁମ୍ବାଇରେ ଭରତଙ୍କର ଦୁଇଟି ଫ୍ଲାଟ୍ ରହିଛି, ଯାହାର ମୂଲ୍ୟ ପ୍ରାୟ ୧.୪ କୋଟି ଟଙ୍କା। ଏହାସହ ଥାଣେରେ ରହିଛି ଦୁଇଟି ଦୋକାନ। ଯେଉଁଥିରୁ ମାସକୁ ପ୍ରାୟ ୩୦ ହଜାର ଟଙ୍କା ଭଡ଼ା ମିଳୁଥିବା କୁହାଯାଏ। କେବଳ ସେତିକି ନୁହେଁ, ପରିବାରର ଏକ ଷ୍ଟେସନାରୀ ଦୋକାନ ମଧ୍ୟ ରହିଛି। ଅନ୍ୟପଟେ ଭରତଙ୍କ ପରିବାରରେ ପତ୍ନୀ, ଦୁଇ ପୁଅ, ବାପା ଓ ଭାଇ ଅଛନ୍ତି। ଦୁଇ ପୁଅ ଭଲ ସ୍କୁଲରେ ପାଠ ପଢ଼ିବା ସହ ପରିବାରର ବ୍ୟବସାୟରେ ସହଯୋଗ କରୁଛନ୍ତି। ପରିବାର ଲୋକେ ମଧ୍ୟ ଭରତଙ୍କୁ ଭିକ୍ଷାବୃତ୍ତି ଛାଡ଼ିବାକୁ ବାରମ୍ବାର କହୁଛନ୍ତି। କିନ୍ତୁ ଏଯାଏଁ ସେ ନିଜ ପେସା ଛାଡ଼ିନାହାନ୍ତି।