ନୂଆଦିଲ୍ଲୀ ୦୯।୧୧; ଦୀପାବଳିରେ ମାଲିକ ଦେଲେ ଏମିତି ଉପହାର, ଦେଖି କର୍ମଚାରୀଙ୍କ ଆଖିରେ ଆସିଗଲା ଲୁହ । ମିଠା କି ପୋଷାକ ନୁହେଁ, ଜଣ ପିଛା ଲକ୍ଷାଧିକ ଟଙ୍କାର ବୋନସ୍ । ଟଙ୍କା ବିଡ଼ା ଦେଖି ସମସ୍ତେ ଆଶ୍ଚର୍ଯ୍ୟ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ମାଲିକ ହବ ତ ଏମିତି । ଦୀପାବଳି ଆସିଲେ ସାଧାରଣତଃ କର୍ମଚାରୀମାନେ ନିଜ ମାଲିକଙ୍କ ଠାରୁ କିଛି ଅତିରିକ୍ତ ବୋନସ୍, ମିଠା ପ୍ୟାକେଟ୍ କିମ୍ବା ଉପହାର ଆଶା କରନ୍ତି। କିନ୍ତୁ ଗୁଜରାଟର ସୁରତରେ ଏଥର ଦୀପାବଳି ଉତ୍ସବ ଏକ ଅଲଗା କାରଣରୁ ଚର୍ଚ୍ଚାକୁ ଆସିଛି ।

ଏଠାର ଜଣେ କପଡା ବ୍ୟବସାୟୀ ନିଜ ୨୦ ଜଣ କର୍ମଚାରୀଙ୍କୁ ପ୍ରତ୍ୟେକଙ୍କୁ ଏକ ଲକ୍ଷ ଟଙ୍କାରୁ ଅଧିକ କ୍ୟାଶ୍ ବୋନସ୍ ଦେଇ ସମସ୍ତଙ୍କୁ ଖୁସି କରାଇଛନ୍ତି ।ସୁରତର ମୋଟା ଭାରାଛା ଅଞ୍ଚଳର ସୁଦାମା ଚୌକରେ ଥିବା ‘ମହାଦେବ କ୍ଲଥ ସେଣ୍ଟର’ର ମାଲିକ ରାମସ୍ୱରୂପ ମୁଣ୍ଡେ ଏହି ଅଭିନବ ଦୀପାବଳି ବୋନସ୍ ଦେଇଛନ୍ତି । ସାଧାରଣ ଭାବେ ଟଙ୍କା ଦେବା ପରିବର୍ତ୍ତେ ସେ ରୂପା ରଙ୍ଗର ପୂଜା ଥାଳିରେ ଟଙ୍କା ସଜାଇ କର୍ମଚାରୀମାନଙ୍କୁ ବୋନସ୍ ପ୍ରଦାନ କରିଥିଲେ । ୧୦, ୨୦, ୫୦, ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍ର ବଣ୍ଡିଲ୍ ଏହି ଥାଳିରେ ସୁନ୍ଦର ଭାବେ ରଖାଯାଇଥିଲା । ପ୍ରତ୍ୟେକ କର୍ମଚାରୀ ୧ ଲକ୍ଷ ଟଙ୍କାରୁ ଅଧିକ ବୋନସ୍ ପାଇଥିଲେ । ବୋନସ୍ ବଣ୍ଟନ ସମୟରେ ଅନେକ କର୍ମଚାରୀଙ୍କ ଆଖିରେ ଲୁହ ମଧ୍ୟ ଦେଖିବାକୁ ମିଳିଥିଲା ।

ଏହାକୁ ନେଇ ବ୍ୟବସାୟୀ ରାମସ୍ୱରୂପ ମୁଣ୍ଡେ କହିଛନ୍ତି, ତାଙ୍କ ଦୋକାନର କର୍ମଚାରୀମାନେ କେବଳ କର୍ମଚାରୀ ନୁହନ୍ତି, ସେମାନେ ତାଙ୍କ ପରିବାରର ଅଂଶ । ସେମାନଙ୍କ ପରିଶ୍ରମ ଓ ବ୍ୟବସାୟ ଚାଲିଥାଏ,ତେଣୁ ଦୀପାବଳି ସମୟରେ ସେମାନଙ୍କ ଘରେ ଟଙ୍କାର ଅଭାବ କାହିଁକି ରହିବ ବୋଲି ସେ କହିଥିଲେ । ଏହି ବୋନସ୍ କେତେକ କର୍ମଚାରୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣର ଆଶା ମଧ୍ୟ ପୂରଣ ହେବ । ଏ ସବୁ ଦେଖି ଜଣେ କର୍ମଚାରୀ କହିଛନ୍ତି ଏତେ ବଡ଼ ବୋନସ୍ କେବେ ଆଶା କରିନଥିଲି। ଏହି ଟଙ୍କା ତାଙ୍କ ଘର କିଣିବାର ସ୍ୱପ୍ନ ପୂରଣରେ ସାହାଯ୍ୟ କରିପାରିବ ବୋଲି ସେ କହିଛନ୍ତି।

ଏହି ବୋନସ୍ ବଣ୍ଟନର ଭିଡିଓ ଇନଷ୍ଟାଗ୍ରାମ ଓ ଫେସବୁକରେ ଭାଇରାଲ୍ ହେବା ପରେ ବ୍ୟବସାୟୀଙ୍କୁ ସୋସିଆଲ୍ ମିଡିଆରେ ବ୍ୟାପକ ପ୍ରଶଂସା ମିଳୁଛି । କେବଳ ମାଲିକ କର୍ମଚାରୀ କାମ ପାଇଁ ନୁହେଁ ଏ ଦୁଇଜଣ ଭିତରେ ଭଲ ବୁଝାମଣା ରହିଲେ ତେବେ ଯାଇ କାମ ଭଲ ହୋଇପାରିବ କର୍ମଚାରୀଙ୍କ ପରିଶ୍ରମକୁ ସମ୍ମାନ ଦେବା ଓ ସେମାନଙ୍କୁ ପରିବାର ଭାବେ ଦେଖିବା ଭଳି ଏକ ମାନବିକ ସନ୍ଦେଶ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛି ।