ନୂଆଦିଲ୍ଲୀ: ଭାରତରେ ନିଃଶ୍ୱାସ ନେବା ଏବେ କେବଳ ଜୀବିତ ରହିବାର ସାଧନ ନୁହେଁ, ବରଂ ଏହା ଧୀରେ ଧୀରେ ଜୀବନ ପାଇଁ ବିପଦ ପାଲଟିବାରେ ଲାଗିଛି । ବାୟୁ ପ୍ରଦୂଷଣକୁ ନେଇ ସ୍ୱିଡେନର କାରୋଲିନସ୍କା ଇନଷ୍ଟିଚ୍ୟୁଟ୍ ପକ୍ଷରୁ କରାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ଗବେଷଣାରୁ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ୨୦୦୯ରୁ ୨୦୧୯ ମଧ୍ୟରେ ଭାରତରେ ବାୟୁ ପ୍ରଦୂଷଣ ଯୋଗୁଁ ପ୍ରାୟ ୩୮ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଛି । ଏହାର ମୁଖ୍ୟ କାରଣ ହେଉଛି ବାୟୁରେ ପିଏମ୍ ୨.୫ର ମାତ୍ରା ଜାତୀୟ ମାନଦଣ୍ଡ ୪୦ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରଠାରୁ ଅଧିକ ରହିବା ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବାୟୁ ଗୁଣବତ୍ତା ମାନଦଣ୍ଡ ଭାରତର ମାନଦଣ୍ଡଠାରୁ ଅଧିକ କଠୋର । ହୁ’ ଅନୁସାରେ, ପିଏମ୍ ୨.୫ର ବାର୍ଷିକ ହାରାହାରି ମାତ୍ରା ପ୍ରତି ଘନମିଟରରେ ୫ ମାଇକ୍ରୋଗ୍ରାମ୍ ରହିବା ଉଚିତ୍ । ଏହି ଆଧାରରେ ଗବେଷଣା କଲେ ମୃତ୍ୟୁସଂଖ୍ୟା ୧ କୋଟି ୬୬ ଲକ୍ଷକୁ ବୃଦ୍ଧି ପାଏ । ଏହା ଅଧ୍ୟୟନ ସମୟରେ ହୋଇଥିବା ମୋଟ ମୃତ୍ୟୁର ପ୍ରାୟ ୨୫ ପ୍ରତିଶତ । ଅର୍ଥାତ୍ ପ୍ରତି ୪ଟି ମୃତ୍ୟୁ ମଧ୍ୟରୁ ଗୋଟିଏ ମୃତ୍ୟୁ ବାୟୁ ପ୍ରଦୂଷଣ ସହ ଜଡ଼ିତ ହୋଇଥାଇପାରେ ।

ବାୟୁ ପ୍ରଦୂଷଣ କେବଳ ବଡ଼ ବଡ଼ ମହାନଗରର ସମସ୍ୟା ହୋଇ ରହିନାହିଁ । ଛୋଟ ସହରଗୁଡ଼ିକ ମଧ୍ୟ ଏବେ ପ୍ରଦୂଷଣର ନୂଆ କେନ୍ଦ୍ର ପାଲଟିଛନ୍ତି । ଆସାମ ଓ ମେଘାଳୟ ସୀମାରେ ଥିବା ଛୋଟ ଶିଳ୍ପାଞ୍ଚଳ ସହର ବର୍ଣ୍ଣିହାଟ୍ ଏବେ ଭାରତର ସବୁଠାରୁ ପ୍ରଦୂଷିତ ସ୍ଥାନ ଭାବେ ଚିହ୍ନଟ ହୋଇଛି । ଏଠାରେ ବାର୍ଷିକ ପିଏମ୍ ୨.୫ର ମାତ୍ରା ପ୍ରତି ଘନମିଟରରେ ୧୩୩.୪ ମାଇକ୍ରୋଗ୍ରାମ୍ ରହିଛି । ଏହା ଭାରତର ଜାତୀୟ ମାନଦଣ୍ଡଠାରୁ ୩.୩ ଗୁଣ ଅଧିକ । ଏପରିକି ଦିଲ୍ଲୀର ୧୦୪.୯ ମାଇକ୍ରୋଗ୍ରାମ୍ ତୁଳନାରେ ମଧ୍ୟ ଏହା ଅଧିକ । ବର୍ଣ୍ଣିହାଟ୍ ଭଳି ଅଞ୍ଚଳରେ ପ୍ରଦୂଷଣକୁ ସୁରକ୍ଷିତ ସ୍ତରକୁ ଆଣିବା ପାଇଁ ଏହାକୁ ପ୍ରାୟ ୭୦ ପ୍ରତିଶତ ହ୍ରାସ କରିବାକୁ ପଡ଼ିବ ।

ସେଣ୍ଟର ଫର୍ ସାଇନ୍ସ ଆଣ୍ଡ ଏନଭାୟରନମେଣ୍ଟ (CSE)ର ରିପୋର୍ଟ ଅନୁସାରେ, ୨୦୨୪-୨୫ ଶୀତ ଋତୁରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ, ହାଇଦ୍ରାବାଦ ଏବଂ ଚେନ୍ନାଇ ଭଳି ସମସ୍ତ ପ୍ରମୁଖ ସହରରେ ପିଏମ୍ ୨.୫ର ମାତ୍ରା ଅଧିକ ଖରାପ ହୋଇଛି । ବିଶେଷଜ୍ଞଙ୍କ ମତରେ, ଏହା କେବଳ କିଛି ଦିନର ପ୍ରଦୂଷଣ ନୁହେଁ । ବର୍ଷସାରା ଲୋକେ ପ୍ରଦୂଷିତ ବାୟୁର ସଂସ୍ପର୍ଶରେ ରହୁଛନ୍ତି । ଯାହା ଫଳରେ ଶ୍ୱାସକ୍ରିୟାଜନିତ ରୋଗ, ହୃଦରୋଗ ଏବଂ ଅକାଳ ମୃତ୍ୟୁର ଆଶଙ୍କା ବଢ଼ୁଛି ।

ଯାନବାହନରୁ ନିର୍ଗତ ଧୂଆଁ, ଶିଳ୍ପାଞ୍ଚଳର ପ୍ରଦୂଷଣ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ଏହାର ପ୍ରମୁଖ କାରଣ। ଏହା ସହିତ ପିଏମ୍ ୨.୫ କଣିକା ଶହ ଶହ କିଲୋମିଟର ଦୂରକୁ ଯାଇପାରୁଥିବାରୁ ଏହା କେବଳ ଗୋଟିଏ ସହରର ସମସ୍ୟା ହୋଇ ରହୁନାହିଁ । ଗବେଷକଙ୍କ ଚେତାବନୀ ଅନୁସାରେ, ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ଦୀର୍ଘମିଆଦୀ ଏବଂ ଠୋସ୍ ପଦକ୍ଷେପ ନିଆ ନଗଲେ ଆଗକୁ ସ୍ଥିତି ଆହୁରି ଭୟଙ୍କର ହୋଇପାରେ ।