ନୂଆଦିଲ୍ଲୀ: ଇତିହାସରେ ପ୍ରଥମ ଥର ପାଇଁ ବିଶ୍ୱରେ ୫ ବର୍ଷରୁ କମ୍ ଶିଶୁଙ୍କ ଅପେକ୍ଷା ୬୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଆମେରିକା ସେନ୍ସସ୍ ବ୍ୟୁରୋର ରିପୋର୍ଟ ଆଧାରରେ 'Axios' ପ୍ରକାଶ କରିଛି ଯେ, ବିଶ୍ୱରେ ଜନ୍ମହାର ଦ୍ରୁତ ଗତିରେ ହ୍ରାସ ପାଇବା ଏବଂ ମାନବଜାତିର ହାରାହାରି ଆୟୁଷ ବୃଦ୍ଧି ପାଇବା ଯୋଗୁଁ ଏହି ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।

୨୦୨୩ ସୁଦ୍ଧା ବିଶ୍ୱର ୭୧% ରୁ ଅଧିକ ଜନସଂଖ୍ୟା ଏପରି ଦେଶଗୁଡ଼ିକରେ ବାସ କରୁଛନ୍ତି, ଯେଉଁଠାରେ ପ୍ରଜନନ ହାର '୨.୧' (ପ୍ରତି ମହିଳା) ସ୍ତରରୁ କମ୍। ୨୦୧୩ ରେ ଏହା ମାତ୍ର ୪୫% ଥିଲା। ବିଶ୍ୱରେ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୨୦୨୫ ରେ ୮୫୨ ମିଲିୟନରୁ ବୃଦ୍ଧି ପାଇ ୨୦୬୦ ସୁଦ୍ଧା ୨ ବିଲିୟନ୍‌ରେ ପହଞ୍ଚିବ। ୨୦୬୦ ସୁଦ୍ଧା ମୋଟ ବିଶ୍ୱ ଜନସଂଖ୍ୟା ୮.୧୩ ବିଲିୟନ୍‌ରୁ ୧୦.୨୩ ବିଲିୟନ୍‌ରେ ପହଞ୍ଚିବ।

ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଚୀନ୍ ଓ ଭାରତରେ ଏବେ ପ୍ରଜନନ ହାର ୨.୧ ସ୍ତରରୁ ତଳକୁ ଖସିଆସିଛି। ଏହାସହ ବାଂଲାଦେଶ, ମେକ୍ସିକୋ ଓ ଭିଏତନାମ୍ ଭଳି ଦେଶଗୁଡ଼ିକରେ ମଧ୍ୟ ଜନ୍ମହାର ହ୍ରାସ ପାଇଛି। ୨୦୬୦ ସୁଦ୍ଧା ଏସିଆରେ ୬୫ ବର୍ଷରୁ ଅଧିକ ବୟସ୍କଙ୍କ ସଂଖ୍ୟା ୪୮୭ ମିଲିୟନ୍‌ରୁ ବଢ଼ି ୧.୨୪ ବିଲିୟନ୍ ହେବ।

ବର୍ତ୍ତମାନ ଆଫ୍ରିକା ସବୁଠାରୁ ଯୁବ ମହାଦେଶ ହୋଇ ରହିଥିଲେ ବି, ୨୦୬୦ ସୁଦ୍ଧା ଏଠାରେ ବୟସ୍କଙ୍କ ସଂଖ୍ୟା ୬୦ ମିଲିୟନ୍‌ରୁ ବୃଦ୍ଧି ପାଇ ୨୪୯ ମିଲିୟନ୍‌ରେ ପହଞ୍ଚିବ, ଯାହା ୟୁରୋପ (୨୧୪ ମିଲିୟନ୍) ଠାରୁ ଅଧିକ ହେବ। ଯୁବକଙ୍କ ସଂଖ୍ୟା କମିବା ଏବଂ ବୟସ୍କଙ୍କ ସଂଖ୍ୟା ବଢ଼ିବା ଯୋଗୁଁ କର୍ମଜୀବୀ ଓ ସେବାକାରୀଙ୍କ ଅଭାବ ଦେଖାଦେବ। ଏହା ପେନ୍‌ସନ୍ ସିଷ୍ଟମ୍ ଏବଂ ସ୍ୱାସ୍ଥ୍ୟସେବା ଉପରେ ଚାପ ପକାଇବ।

ରିପୋର୍ଟ ଅନୁଯାୟୀ, ଆୟୁଷ ବୃଦ୍ଧି ଚିକିତ୍ସା ବିଜ୍ଞାନର ଏକ ବଡ଼ ସଫଳତା। ବୟସ୍କମାନଙ୍କ ସ୍ୱାସ୍ଥ୍ୟ ସୁଧାରି ସେମାନଙ୍କୁ କର୍ମକ୍ଷମ ରଖାଗଲେ ଏବଂ ଅଭିଜ୍ଞତାକୁ ବ୍ୟବହାର କରାଗଲେ, ଏହା ଆର୍ଥିକ କ୍ଷେତ୍ରରେ ଏକ ନୂଆ ସୁଯୋଗ ସୃଷ୍ଟି କରିପାରିବ।