ନୂଆଦିଲ୍ଲୀ: ଭାରତର ଆର୍ଥିକ ଗତିକୁ ନେଇ ବିଶ୍ୱ ବ୍ୟାଙ୍କ ଭଲ ଆକଳନ କରିଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଭାରତର ବିକାଶ ହାର ଅନୁମାନ ବଢ଼ାଇ ୭.୧ ପ୍ରତିଶତ କରିଛି ବିଶ୍ୱ ବ୍ୟାଙ୍କ। ଏହା ପୂର୍ବରୁ ଏପ୍ରିଲ ମାସରେ ଜିଡିପି ଗ୍ରୋଥ ଅନୁମାନ ୬.୬ ପ୍ରତିଶତ ହେବ ବୋଲି ଅନୁମାନ କରିଥିଲା ୱାର୍ଲ୍ଡ ବ୍ୟାଙ୍କ।

ମଙ୍ଗଳବାର, ଅକ୍ଟୋବର ୬ ତାରିଖରେ ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏହାର ସଦ୍ୟତମ ରିପୋର୍ଟ "ଇଣ୍ଡିଆ ଡେଭଲପମେଣ୍ଟ ଅପଡେଟ୍"ରେ ଏହି ନୂଆ ଆକଳନ ରିପୋର୍ଟ ଜାରି କରାଯାଇଛି। ଯୁଦ୍ଧ ଓ କଟକଣା ଭଳି ବିଶ୍ୱ ଉତ୍ତେଜନା ଓ ବାଣିଜ୍ୟ ଚାପ ସତ୍ତ୍ୱେ ଭାରତର ଅର୍ଥନୀତି ଆଶାଠାରୁ ଭଲ ପ୍ରଦର୍ଶନ କରିଛି ବୋଲି ରିପୋର୍ଟରେ କୁହାଯାଇଛି। ଏହା ପୂର୍ବରୁ ବିଭିନ୍ନ ଆର୍ଥିକ ସଂସ୍ଥା ମଧ୍ୟ ଭାରତର ଜିଡିପି ଗ୍ରୋଥ୍ ନେଇ ଭଲ ଆକଳନ କରିଥିଲେ। କେହି କେହି ଭାରତ ଗ୍ରୋଥକୁ ୮ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିବ ବୋଲି କହିଥିଲେ।

ଭାରତର ବିକାଶ ହାର ବଢ଼ିବାର କିଛିଟା ପ୍ରମୁଖ କାରଣ ରହିଛି। ସେଗୁଡ଼ିକ ହେଲା-

୭.୮ ପ୍ରତିଶତ ଜିଡିପି ଗ୍ରୋଥ

୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ (ଏପ୍ରିଲ-ଜୁନ୍)ରେ ଦେଶର ଜିଡିପି ଅଭିବୃଦ୍ଧି ୭.୮% ଥିଲା। ଯାହା RBIର ୭% ଆକଳନ ଠାରୁ ଅଧିକ ରହିଥିଲା। ବିଶ୍ୱ ସ୍ତରରେ ଚାପ ସତ୍ତ୍ୱେ, ପ୍ରଥମ ତିନି ମାସରେ ଭାରତର ଅର୍ଥନୀତି ଆଶାଠାରୁ ବହୁତ ଭଲ ପ୍ରଦର୍ଶନ କରିଥିବାରୁ ବିକାଶ ହାର ଆଗକୁ ବଢ଼ିବ ବୋଲି ଆକଳନ କରାଯାଉଛି।

ଗାଁଠୁ ସହ କିଣାକିଣି ବୃଦ୍ଧି

ପ୍ରଥମ ଷଢ଼ ମାସିକରେ ଘରୋଇ ଖର୍ଚ୍ଚ ୭.୧% ହାରରେ ବଢିଛି। ସହରର ଆୟକର କୋହଳ ଓ ଜିଏସ୍ଟି ହାର କାଟ କରାଯାଇଥିବାରୁ ଲୋକଙ୍କ ପାଖରେ ପଇସା ସଞ୍ଚୟ ହୋଇଛି। ଫଳରେ ସେମାନେ ପ୍ରବଳ ଖର୍ଚ୍ଚ କରିଛନ୍ତି। ସେହିପରି ଗାରେ କିସାନ ସମ୍ମାନ ଯୋଜନା ଓ ଶସ୍ତୀ ରାସନ ଯୋଜନାଗୁଡ଼ିକ ଗ୍ରାମୀଣ ପକେଟ୍କୁ ମଜଭୁତ କରିଛି।

Also Read- IIT ସ୍ୱପ୍ନ ଛାଡ଼ି AI ଦୁନିଆରେ ସଫଳତା: ୧୯ ବର୍ଷୀୟ ଧ୍ରବ୍ୟ ଶାହଙ୍କ କାହାଣୀ

ସେହିପରି ବିନିର୍ମାଣ(ଇନଫ୍ରାଷ୍ଟ୍ରକ୍ଚର) ଉପରେ ସରକାରୀ ନିବେଶ ବୃଦ୍ଧି ହୋଇଛି। ରାସ୍ତା, ପୋଲ ଏବଂ ନିର୍ମାଣ ଭଳି ଭିତ୍ତିଭୂମିରେ ଉନ୍ନିତି ପାଇଁ ଏପ୍ରିଲ ଏବଂ ଜୁଲାଇ ମଧ୍ୟରେ ପୁଞ୍ଜି ବ୍ୟୟ ୨୯.୯% ବୃଦ୍ଧି ପାଇଛି। ଯାହା ମୋଟ ନିବେଶକୁ ୧୧.୯% ବୃଦ୍ଧି କରିଛି। ସରକାରୀ ପ୍ରକଳ୍ପ ଯୋଗୁ ସିମେଣ୍ଟ ଏବଂ ଇସ୍ପାତ ଭଳି ସାମଗ୍ରୀର ଉତ୍ପାଦନ ୭.୨% ବୃଦ୍ଧି ପାଇଛି।

ଇଣ୍ଡଷ୍ଟ୍ରିଆଲ ଗ୍ରୋଥ ଗତି ଓ ଗାଡ଼ି ବିକ୍ରି

ଚଳିତ ଆର୍ଥିକ ବର୍ଷରେ ଦେଶର ଶିଳ୍ପ ଅଭିବୃଦ୍ଧି ହାର ୮.୬% ବୃଦ୍ଧି ପାଇଛି। ଗତ ବର୍ଷ ଏହା ୬.୧% ଥିଲା। ଉତ୍ପାଦନ କ୍ଷେତ୍ରର ୯.୨% ଏବଂ ବିଦ୍ୟୁତ୍ କ୍ଷେତ୍ରରେ ୮.୯% ଅଭିବୃଦ୍ଧି ହାସଲ କରାଯାଇଛି। ନୂଆ ଯାନବାହାନ କ୍ରୟ, ପ୍ୟାକେଜ୍ ହୋଇଥିବା ଖାଦ୍ୟ ବିକ୍ରୟ ଏବଂ ପ୍ରବଳ ଗରମ ସମୟରେ ବିଦ୍ୟୁତ୍ ଚାହିଦା ଯୋଗୁ କାରଖାନାଗୁଡ଼ିକ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିଛି। ସେହିଭଳି ସର୍ଭିସ ସେକ୍ଟରେ ୧୦.୦% ଗ୍ରୋଥ ହୋଇଛି। ବେଙ୍କିଙ୍ଗ୍, ରିୟଲ ଏଷ୍ଟେଟ୍, ଆଇଠି ଓ ପ୍ରଫେସନା ସର୍ବିସେଜରେ ୧୨% ଅଭିବୃଦ୍ଧି ହୋଇଛି।

ତା ଛଡ଼ା ବିଦେଶକୁ ରପ୍ତାନୀ ବଢ଼ିଛି। ପ୍ରଥମ ତ୍ରୈମାସିକରେ ଭାରତର ମୋଟ ରପ୍ତାନି (USDରେ) ୧୬.୨% ବୃଦ୍ଧି ପାଇଛି। ଭାରତରୁ ପରିଷ୍କୃତ ପେଟ୍ରୋଲ ଏବଂ ଡିଜେଲର ରପ୍ତାନି ୩୬.୬% ବୃଦ୍ଧି ପାଇଛି। ଏହା ବ୍ୟତୀତ, ବିଦେଶୀମାନେ ଭାରତୀୟ ଆଇଟି ସଫ୍ଟୱେର୍ ଏବଂ ବ୍ୟବସାୟିକ ସେବାର ଗୁରୁତ୍ୱପୂର୍ଣ୍ଣ ବ୍ୟବହାର କରିଛନ୍ତି, ଯାହାର ଫଳସ୍ୱରୂପ ସେବା କ୍ଷେତ୍ରରେ ୫୧.୬ ବିଲିୟନ ଡଲରା ବ୍ୟବସାୟ ସର୍ପ୍ଲସ ରହିଛି।

ବ୍ୟାଙ୍କିଙ୍ଗ ସ୍ଥିତିରେ ସୁଧାର, ସହଜରେ ଋଣ ମିଳିବା

ବ୍ୟାଙ୍କଗୁଡ଼ିକର ଫସି ରହିଥିବା ଋଣ, ବା ନନ-ପରଫର୍ମିଙ୍ଗ ଆସେଟ (NPA), ଜୁନ୍ ୨୦୨୬ରେ ମାତ୍ର ୧.୭% କୁ ହ୍ରାସ ପାଇଛି। ଯାହା ଏହାର ସର୍ବନିମ୍ନ ସ୍ତର। ବ୍ୟାଙ୍କଗୁଡ଼ିକରୁ ଋଣ ନେବାର ମାତ୍ର ମଧ୍ୟ ବଢ଼ିଛି। ଋଣ ହାର ୧୮% କୁ ବୃଦ୍ଧି ପାଇଛି। ବ୍ୟାଙ୍କଗୁଡ଼ିକର ସ୍ଥିତି ମଜଭୁତ ହେବା ସହିତ, ସାଧାରଣ ଲୋକଙ୍କ ପାଇଁ କାର/ଗୃହ ଋଣ ସହଜ ହେବାରେ ଲାଗିଛି ଏବଂ ବ୍ୟବସାୟୀଙ୍କୁ ମଧ୍ୟ ସହଜ ଋଣ ମିଳିପାରୁଛି। ଅନ୍ୟ କାରଣ ଗୁଡ଼ିକ ମଧ୍ୟରେ ବିଦେଶୀ ମୁଦ୍ରା ଭଣ୍ଡାର ବୃଦ୍ଧି, ମହଙ୍ଗା ସ୍ଥିତି ଉପରେ ବ୍ରେକ୍ ଓ ରେକର୍ଡସ୍ତରରେ ଟ୍ୟାକ୍ସ ଆଦାୟ ହେବା ଆଦି ରହିଛି।