ନୂଆଦିଲ୍ଲୀ: ଝିଅ ଇଂଲଣ୍ଡ ପଢ଼ିବାକୁ ଯାଇଛି ବୋଲି ପରିବାର ବହୁତ ଖୁସି ଥିଲା । ଝିଅ ବିଦେଶରେ ପଢ଼ିବ ଏବଂ ବଡ଼ ଚାକିରି କରିବ ବୋଲି ସ୍ବପ୍ନ ଦେଖିଥିଲା ପରିବାର । କିନ୍ତୁ ପୁଣେର ଏକ ଆପାର୍ଟମେଣ୍ଟରୁ ଝିଅର ମୃତଦେହ ମିଳିବ ବୋଲି, ପରିବାର ଲୋକେ ସ୍ବପ୍ନରେ ସୁଦ୍ଧା ଭାବିନଥିଲେ । ପରିବାରକୁ ଖବର ନଦେଇ ଝିଅ ଭାରତ କାହିଁକି ଫେରିଥିଲା, ପୁଣେରେ ଭଡ଼ା ନେଇ କାହିଁକି ରହୁଥିଲା ? ତାକୁ ନେଇ ମଧ୍ୟ ସସପେନ୍ସ ଜାରି ରହିଛି ।  ଛତ୍ରପତି ସମ୍ଭାଜୀନଗରର ମୂଳ ବାସିନ୍ଦା ୩୪ ବର୍ଷୀୟା ମୁଗ୍ଧା ଦେଶମୁଖଙ୍କ ମୃତଦେହ ପୁଣେର ଏକ ଆପାର୍ଟମେଣ୍ଟରୁ ଉଦ୍ଧାର କରାଯାଇଛି। 

ବିଦେଶରେ ରହୁଥିବା ଝିଅ ଭାରତ ଫେରିଆସିଥିବା କଥା ପରିବାର ଲୋକେ ଆଦୌ ଜାଣିନଥିଲେ । ମାତ୍ର ସେ ଅନଲାଇନ୍‌ରେ ଫୁଡ୍‌ ଅର୍ଡର କରିଥିଲେ । ଯେଉଁ ବ୍ୟାଙ୍କ ଆକାଉଣ୍ଟରୁ ସେ ନେଣଦେଣ କରିଥିଲେ, ସେଥିରୁ ପରିବାର ଲୋକେ ଜାଣିବାକୁ ପାଇଥିଲେ ଯେ, ମୁଗ୍ଧା ଭାରତ ଆସିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ମୁଗ୍ଧା ଗତବର୍ଷ ଜୁଲାଇ ମାସରେ ଏମବିଏ ପଢ଼ିବା ପାଇଁ ଲଣ୍ଡନ ଯାଇଥିଲେ। ସେଠାରେ ସେ ଏକାକୀ ରହି ପାଠପଢ଼ା ସହ ପାର୍ଟ-ଟାଇମ୍ ଚାକିରି ମଧ୍ୟ କରୁଥିଲେ। 

ଗତ କିଛି ମାସ ଧରି ପରିବାର ଲୋକେ ତାଙ୍କ ସହ ଫୋନ୍ କଲ୍ ଏବଂ ମେସେଜ୍ ମାଧ୍ୟମରେ ନିୟମିତ ସମ୍ପର୍କରେ ଥିଲେ। ତେବେ ଅକ୍ଟୋବର ୨୪ ତାରିଖରୁ ମୁଗ୍ଧା ଫୋନ୍ କଲ୍‌ର କୌଣସି ଉତ୍ତର ଦେଇନଥିଲେ।  ପରବର୍ତ୍ତୀ ସମୟରେ ତାଙ୍କ ମୋବାଇଲ୍ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଥିଲା। ବ୍ୟସ୍ତ ହୋଇ ପରିବାର ଲୋକେ ଲଣ୍ଡନରେ ରହୁଥିବା ମୁଗ୍ଧାଙ୍କ ଜଣେ ବାନ୍ଧବୀଙ୍କ ସହ ସମ୍ପର୍କ କରିଥିଲେ। ସେହି ବାନ୍ଧବୀ ଜଣକ ଜଣାଇଥିଲେ ଯେ ଅକ୍ଟୋବର ୨୨ ତାରିଖରେ ମେସେଜ୍ ଜରିଆରେ ମୁଗ୍ଧାଙ୍କ ସହ ତାଙ୍କର ଶେଷଥର ପାଇଁ କଥାବାର୍ତ୍ତା ହୋଇଥିଲା। ଏହାପରେ ମୁଗ୍ଧାଙ୍କ ବାନ୍ଧବୀ ଜଣକ ଲଣ୍ଡନ ପୋଲିସର ଦ୍ୱାରସ୍ଥ ହୋଇ ନିଖୋଜ ଏତଲା ଦେଇଥିଲେ। ହେଲେ ଲଣ୍ଡନ ପୁଲିସ ତଦନ୍ତ କରି ସ୍ପଷ୍ଟ କରିଥିଲା ଯେ, ମୁଗ୍ଧା ଅଗଷ୍ଟ ମାସ ଶେଷ ସୁଦ୍ଧା ଇଂଲଣ୍ଡ ଛାଡ଼ି ସାରିଛନ୍ତି।

ଏହା ପରେ ମୁଗ୍ଧାଙ୍କ ପରିବାର ଭାରତୀୟ କର୍ତ୍ତୃପକ୍ଷ ଏବଂ ଭାରତୀୟ ହାଇକମିଶନଙ୍କ ସହାୟତା ଲୋଡ଼ିଥିଲେ। ମୁଗ୍ଧାଙ୍କ ବାପା ତାଙ୍କ ବ୍ୟାଙ୍କ ଷ୍ଟେଟମେଣ୍ଟ ଯାଞ୍ଚ କରିବାରୁ ଏକ ଗୁରୁତ୍ୱପୂର୍ଣ୍ଣ ସୁରାକ୍ ମିଳିଥିଲା। ଅକ୍ଟୋବର ୮ ରୁ ୨୫ ତାରିଖ ମଧ୍ୟରେ ମୁଗ୍ଧାଙ୍କ ଆକାଉଣ୍ଟରୁ ଅନେକ ଥର ଫୁଡ୍ ଡେଲିଭରୀ ପେମେଣ୍ଟ ହୋଇଥିଲା । ଯେଉଁଥିରୁ କେତେକ ଛତ୍ରପତି ସମ୍ଭାଜୀନଗରର ଓସମାନପୁରା ଅଞ୍ଚଳରୁ କରାଯାଇଥିଲା। ଏହାପରେ ସେ ଭାରତରେ ହିଁ ଅଛନ୍ତି ବୋଲି ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା।

ଘଟଣାର ତଦନ୍ତ କରି ଛତ୍ରପତି ସମ୍ଭାଜୀନଗର ପୁଲିସ ମୁଗ୍ଧାଙ୍କ ଲୋକେସନ୍ ପୁଣେର ଗାହୁଞ୍ଜେ ସ୍ଥିତ 'ଲୋଢା ବେଲମୋଣ୍ଡୋ' ଆପାର୍ଟମେଣ୍ଟ କମ୍ପ୍ଲେକ୍ସରେ ଥିବା ଜାଣିବାକୁ ପାଇଥିଲା । ପିମ୍ପ୍ରି ଚିଞ୍ଚୱାଡ୍‌ର ଶିରଗାଁଓ ପୋଲିସ ଷ୍ଟେସନର ବରିଷ୍ଠ ପୁଲିସ ଅଧିକାରୀ ଦେବେନ୍ଦ୍ର ଚୌହାନଙ୍କ କହିବା ଅନୁଯାୟୀ, ପୁଲିସ ଟିମ୍ ସେହି ଫ୍ଲାଟ୍‌ରେ ପହଞ୍ଚିଥିଲେ ଏବଂ ମୁଗ୍ଧାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ। ତଦନ୍ତରୁ ଆହୁରି ଜଣାପଡ଼ିଛି ଯେ, ମୁଗ୍ଧା ଗତ ଏପ୍ରିଲ ମାସରୁ ସେହି ଫ୍ଲାଟକୁ ଭଡ଼ାରେ ନେଇଥିଲେ । ମାତ୍ର ଅଗଷ୍ଟ ମାସରୁ ସେଠାରେ ରହିଥିଲେ । ତେବେ ମୁଗ୍ଧାଙ୍କ ଶରୀରରେ କୌଣସି ଆଘାତ ନଥିଲା । କିନ୍ତୁ ମୁଗ୍ଧା ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ କିଛି ଷଡ଼ଯନ୍ତ୍ର ଅଛି, ସେନେଇ ପୁଲିସ ଅଧିକ ତଦନ୍ତ ଚଳାଇଛି ।