ନୟାଗଡ଼ ୧୮।୪: ରାତି ୧୨ଟା ଗୋଟାଏ ଯାଏଁ ଫୋନ୍ କରୁଛନ୍ତି । ମେସେଜ୍ ସହ ଚାଟିଂ ବି କରୁଛନ୍ତି । ଅଶ୍ଳୀଳ ଇଙ୍ଗିତ କରୁଛନ୍ତି । ହୋଟେଲକୁ ଆସ ବୋଲି କହି ଡାକୁଛନ୍ତି । ଯଦି ନଆସିବ ତମ ସ୍ୱାମୀକୁ ମିଛ କେସ୍‌ରେ ଫସେଇ ଦେବି ବୋଲି କହୁଛନ୍ତି । ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଏସଡିପିଙ୍କ ବିରୁଦ୍ଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ଜଣେ ମହିଳା । ଫତେଗଡ଼ ଥାନାରେ ଏସଡିପିଙ୍କ ନାମରେ ଲିଖିତ ଅଭିଯୋଗ କରିବା ସହ ଏନେଇ ପୋଲିସ ମହାନିର୍ଦ୍ଦେଶକଙ୍କୁ ମଧ୍ୟ ଅଭିଯୋଗ କରିଛନ୍ତି ।

​​​​​​​

ନୟାଗଡ଼ ଫତେଗଡ଼ ଥାନାରେ ରହିଥିବା ଏକ ପୁରୁଣା ମାମଲାର ସମାଧାନ କରିବାକୁ ଖଣ୍ଡପଡ଼ା ଏସଡିପିଓ ଉକ୍ତ ମହିଳାଙ୍କୁ ବାରମ୍ବାର କାର୍ଯ୍ୟାଳୟକୁ ଡାକି ପ୍ରେମ ଜାଲରେ ଫସାଇବାକୁ ଚେଷ୍ଟା କରୁଛନ୍ତି । ଏପରିକି ମାନସିକ ଚାପ ମଧ୍ୟ ସୃଷ୍ଟି କରୁଛନ୍ତି । ତାଙ୍କ ସ୍ୱାମୀକୁ କୌଣସି ଏକ ମାମଲାରେ ଗିରଫ କରିବା ପାଇଁ ଧମକ ଦେଇ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି । ମହିଳା ଜଣଙ୍କୁ ଏସଡିପିଓ ଅଶ୍ଳୀଳ ଫଟୋ ମାଗିବା ସହ ବାରମ୍ବାର ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ।

Also Read:- Odia Youth Arrested in Terror Link: ଆତଙ୍କବାଦୀ ଲିଙ୍କ୍‌ରେ ୪ ସନ୍ଦିଗ୍ଧ ଗିରଫ, ସେମାନଙ୍କ ମଧ୍ୟରେ ଶେଖ୍ ଇମ୍ରାନର ନାଁ

ଏମିତିକି ଏସଡିପିଓ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିବାର ଏକ ଅଡିଓ କ୍ଲିପ୍ ମଧ୍ୟ ମହିଳା ଜଣଙ୍କ ପ୍ରଦାନ କରିଛନ୍ତି । ଯେଉଁଥିରେ ଏସଡିପି ଅଟୋରେ ଆସି ରାତିରେ ରହିବାକୁ କହୁଥିବା ଏବଂ ସମ୍ପର୍କ ରଖିଲେ କିଛି ଅସୁବିଧା ହେବ କି ବୋଲି ପ୍ରଶ୍ନ କରିଥିବା ଶୁଣିବାକୁ ମିଳିଛି । ଉକ୍ତ ମହିଳା ଏହାକୁ ବାରମ୍ବାର ବିରୋଧ କରିବା ସହ ଅନେକ ସମୟରେ ଏଡ଼ାଇ ଯିବାକୁ ବାଧ୍ୟ ହୋଇଥିଲେ ବି ଏସଡିପି ତାଙ୍କ ପିଛା ଛାଡ଼ୁ ନଥିବା ଅଭିଯୋଗ କରିଛନ୍ତି । ଏନେଇ ମହିଳା ଜଣଙ୍କ ପୋଲିସ ମହାନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ଯାଇ ଘଟଣା ସମ୍ପର୍କରେ ଅଭିଯୋଗ କରିଥିବା ଜଣାପଡିଛି ।​​​​​​​