ହିନ୍ଦୋଳ ୧୫।୪: ସକାଳୁ ସକାଳୁ ଯାଇଥିଲେ କାଜୁ ବଗିଚାକୁ । ହଠାତ୍ ସାମ୍ନାକୁ ଚାଲିଆସିଲା ହାତୀ । ଦଳି ଚକଟି ମାରିଦେଲା ଦନ୍ତା । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତ ମହିଳା ହେଲେ ହିନ୍ଦୋଳ ବନାଞ୍ଚଳ ହିନ୍ଦୋଳ NAC ଅଞ୍ଚଳ ୫ ନମ୍ବର ୱାର୍ଡ ଧୂଣ୍ଡିନଳୀ ଗ୍ରାମର ଜୟନ୍ତୀ ସାହୁ । ତାଙ୍କ ବୟସ ୫୫ ବର୍ଷ ବୋଲି ଜଣାପଡ଼ିଛି ।

ସୂଚନାଯୋଗ୍ୟ ଯେ, ଜୟନ୍ତୀ ବୁଧବାର ସକାଳ ସମୟରେ ନିଜ କାଜୁ ବଗିଚାକୁ ଯାଇଥିଲେ । ଅକସ୍ମାତ ଏକ ଦନ୍ତା ହାତୀ ତାଙ୍କ ସାମ୍ନାକୁ ଚାଲିଆସିଥିଲା । ଫଳରେ ସେ କେଉଁଆଡେ ଯାଇପାରି ନଥିଲେ । ହାତୀ ହାବୁଡ଼ରେ ପଡ଼ିଯାଇଥିଲେ । ଆଉ ହାତୀ ଆକ୍ରମଣର ଶିକାର ହୋଇଥିଲେ । ହାତୀ ଜୟନ୍ତୀଙ୍କ ଅଣ୍ଟା ଠାରୁ ପାଦ ପର୍ଯ୍ୟନ୍ତ ଅଂଶକୁ ସମ୍ପୂର୍ଣ୍ଣ ଦଳି ଚକଟି ପକାଇଥିଲା । ଏହାଦେଖି ଗ୍ରାମବାସୀ ଏବଂ ବନ ବିଭାଗ କର୍ମଚାରୀ ମିଶି ତାଙ୍କୁ ଉଦ୍ଧାର କରିଥିଲେ । ମହିଳାଙ୍କୁ ଗୁରୁତର ଅବସ୍ଥାରେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Also Read:- Cremation Controversy at Nabrangpur: ଗ୍ରାମବାସୀଙ୍କ ଗୋଟିଏ ଜିଦ୍, ଅନ୍ୟ ଧର୍ମର ଲୋକଙ୍କ ପାଇଁ ଆମ ଗାଁ ଶ୍ମଶାନରେ ଜାଗା ନାହଁ

ହିନ୍ଦୋଳ ବନାଞ୍ଚଳରେ ବାରମ୍ବାର ହାତୀ-ମଣିଷ ଲଢେଇ ଦେଖିବାକୁ ମିଳୁଛି । କେବେ ହାତୀର ଜୀବନ ଯାଉଛି ତ ଆଉ କେବେ ମଣିଷଙ୍କ ଜୀବନ ଯାଉଛି । ତେବେ ଏହାର କିଛି ସ୍ଥାୟୀ ସମାଧାନ କରିବାକୁ ଜନସାଧାରଣ ଦାବି କରିଛନ୍ତି ।