ଭୁବନେଶ୍ୱର, ୧୩/୧୧: ବଙ୍ଗୋପସାଗରରେ ଘନୀଭୂତ ହେଉଛି ଏକ ଘୂର୍ଣ୍ଣିବଳୟ। ଆଗାମୀ ଦୁଇରୁ ତିନି ଦିନ ମଧ୍ୟରେ ଏହା ଅଧିକ ସଂଗଠିତ ହୋଇ ଅବପାତ ଏବଂ ପରବର୍ତ୍ତୀ ସମୟରେ ସାମାନ୍ୟ ବାତ୍ୟାର ରୂପ ନେଇପାରେ। ଏହାର ସମ୍ଭାବ୍ୟ ଗତିପଥ ଉତ୍ତର ଆନ୍ଧ୍ରପ୍ରଦେଶରୁ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ରହିଥିବାରୁ ରାଜ୍ୟର ଦକ୍ଷିଣ ଓ ଉପକୂଳ ଜିଲ୍ଲାଗୁଡ଼ିକ ଉପରେ ପାଣିପାଗ ବିଶେଷଜ୍ଞଙ୍କ ନଜର ରହିଛି।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ୧୩ ନଭେମ୍ବର ଅପରାହ୍ନର ବିଶ୍ଳେଷଣ ଅନୁଯାୟୀ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗରର ୬.୨ ଡିଗ୍ରୀ ଉତ୍ତର ଅକ୍ଷାଂଶ ଓ ୮୮ ଡିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ ଏହି ଘୂର୍ଣ୍ଣିବଳୟ ରହିଛି। ବର୍ତ୍ତମାନ ଏହାର ସର୍ବାଧିକ ପବନର ବେଗ ଘଣ୍ଟାପ୍ରତି ୪୫ କିଲୋମିଟର ଥିବାବେଳେ କେନ୍ଦ୍ରୀୟ ଚାପ ୧୦୦୯ ହେକ୍ଟୋପାସ୍କାଲ ରହିଛି। ସାଟେଲାଇଟ୍ ଚିତ୍ରରେ ଏହାର ମେଘମାଳା ଏବେ ଅସଂଗଠିତ ଅବସ୍ଥାରେ ଥିବା ଦେଖାଯାଉଛି।

ସମୁଦ୍ର ପୃଷ୍ଠର ତାପମାତ୍ରା ୨୯ରୁ ୩୦ ଡିଗ୍ରୀ ସେଲସିୟସ୍ ରହିଥିବାରୁ ଘୂର୍ଣ୍ଣିବଳୟକୁ ଶକ୍ତି ମିଳିବାର ଅନୁକୂଳ ପରିବେଶ ରହିଛି। ଏଥିସହ ଉପରି ବାୟୁମଣ୍ଡଳର ଅନୁକୂଳ ପ୍ରବାହ ଓ ସକ୍ରିୟ ବିଷୁବରେଖୀୟ ତରଙ୍ଗ ଏହାର ତୀବ୍ରତା ବୃଦ୍ଧିରେ ସହାୟକ ହୋଇପାରେ।

ECMWF, UKMET, NCUM ଓ IMD MME ଭଳି ପାଣିପାଗ ମଡେଲ୍ର ଆକଳନ ଅନୁଯାୟୀ, ନଭେମ୍ବର ୧୫ ସୁଦ୍ଧା ଏହା ଅବପାତରେ ପରିଣତ ହୋଇପାରେ। ପରେ ୧୬ରୁ ୧୭ ନଭେମ୍ବର ମଧ୍ୟରେ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଘଣ୍ଟାପ୍ରତି ପ୍ରାୟ ୭୫ କିଲୋମିଟର ପବନ ବେଗ ବିଶିଷ୍ଟ ସାମାନ୍ୟ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ତେବେ ଉପକୂଳ ନିକଟରେ ବାୟୁ କାଟ ବୃଦ୍ଧି ଓ ଥଣ୍ଡା ସମୁଦ୍ର ଜଳ ଏହାର ଅଧିକ ତୀବ୍ରତା ବୃଦ୍ଧିରେ ବାଧା ସୃଷ୍ଟି କରିପାରେ।

ପ୍ରାରମ୍ଭିକ ଆକଳନ ଅନୁଯାୟୀ, ଆଗାମୀ ୪୮ ଘଣ୍ଟା ଯାଏଁ ଏହି ସିଷ୍ଟମ୍ ଉତ୍ତର-ପଶ୍ଚିମ ଦିଗରେ ଗତି କରିପାରେ। ପରବର୍ତ୍ତୀ ସମୟରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ମୋଡ଼ ନେଇ ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ଅଗ୍ରସର ହେବାର ସମ୍ଭାବନା ରହିଛି।

ମଡେଲ୍ଗୁଡ଼ିକର ପ୍ରାରମ୍ଭିକ ସମ୍ମତି ଅନୁସାରେ, ନଭେମ୍ବର ୧୭ରୁ ୧୮ ତାରିଖ ମଧ୍ୟରେ ବିଶାଖାପାଟଣାରୁ ଗୋପାଳପୁର ମଧ୍ୟବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଦେଇ ଏହା ସ୍ଥଳଭାଗ ଛୁଇଁପାରେ। ତେବେ GFS ଓ CMC ମଡେଲ୍ ଏହାର ଗଭୀରତା ଓ ଗତିପଥ ନେଇ କିଛି ଭିନ୍ନ ଆକଳନ କରୁଛନ୍ତି। ତେଣୁ ସ୍ଥଳଭାଗ ଛୁଇଁବାର ସଠିକ୍ ସ୍ଥାନ ଏବେଠାରୁ ନିଶ୍ଚିତ କରିବା ସମ୍ଭବ ନୁହେଁ।

ସମ୍ଭାବ୍ୟ ବାତ୍ୟାର ସିଧାସଳଖ ବଡ଼ ପ୍ରଭାବ ଓଡ଼ିଶା ଉପରେ ପଡ଼ିବା ଅପେକ୍ଷା ପାର୍ଶ୍ୱବର୍ତ୍ତୀ ପ୍ରଭାବ ଅଧିକ ରହିବାର ପ୍ରାରମ୍ଭିକ ଆକଳନ କରାଯାଇଛି। ନଭେମ୍ବର ୧୭ରୁ ୧୯ ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର କେତେକ ଅଞ୍ଚଳରେ ବର୍ଷା ହୋଇପାରେ।

ବିଶେଷକରି ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଉପକୂଳ ଅଞ୍ଚଳରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିପାରେ। କେତେକ ସ୍ଥାନରେ ପବନର ଝଟକା ଘଣ୍ଟାପ୍ରତି ୫୫ କିଲୋମିଟର ପର୍ଯ୍ୟନ୍ତ ପହଞ୍ଚିପାରେ।