ବାଲେଶ୍ୱର : ରାସ୍ତା କଡ଼ରେ ଛିଡ଼ା ହୋଇଥିଲା ତେଲଭାଜି ଦୋକାନ।  ହଠାତ୍ ଦ୍ରୁତ ଗତିରେ ମାଡ଼ି ଆସିଲା ଏକ କାର। ଆଉ ଆଖି ପିଛୁଳାକେ ଘଟିଗଲା ଅଘଟଣ। ବାଲେଶ୍ୱର ସହରର ଚିଡ଼ିଆ ପୋଲ ନିକଟରେ ଆଜି ସନ୍ଧ୍ୟାରେ ଏଭଳି ଏକ ଅଭାବନୀୟ ଦୁର୍ଘଟଣା ଘଟିଛି।

ସୂଚନା ଅନୁସାରେ, ଚିଡ଼ିଆ ପୋଲ ନିକଟରେ ପ୍ରତିଦିନ ସନ୍ଧ୍ୟାରେ ଅନେକ ଉଠା ଦୋକାନୀ ବ୍ୟବସାୟ କରିଥାନ୍ତି। ତେବେ ଶୁକ୍ରବାର ସନ୍ଧ୍ୟାରେ ହଠାତ୍ ଏକ କାର (ଗାଡ଼ି ନମ୍ବର: OD01BJ 0945) ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଦୋକାନ ଉପରକୁ ମାଡ଼ି ଯାଇଥିଲା। ଏହି ଦୁର୍ଘଟଣାରେ ତେଲଭାଜି ଦୋକାନୀ ସୁରେନ୍ଦ୍ର ପାଣିଗ୍ରାହୀ ଅଳ୍ପକେ ଏକ ବଡ଼ ବିପଦରୁ ବର୍ତ୍ତି ଯାଇଛନ୍ତି ସତ, କିନ୍ତୁ ତାଙ୍କ ଦୋକାନଟି ଦୁର୍ଘଟଣାରେ ଭାଙ୍ଗି ନଷ୍ଟ ହୋଇ ଯାଇଛି। ଏହା ସହିତ ସେଠାରେ ଛିଡ଼ା ହୋଇଥିବା ଏକ ବାଇକ୍ ମଧ୍ୟ କାର ତଳେ ଚାପି ହୋଇ ଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର ଡ୍ରାଇଭରଙ୍କ ସମେତ ଗାଡ଼ି ଭିତରେ ଥିବା ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

Also Read- କୁଞ୍ଜଲତା ନନ୍ଦ ହତ୍ୟା ମାମଲା: କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା କିଲର୍ କେୟାର ଟେକର୍

ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁଯାୟୀ, କାର ଚାଳକ ଜଣକ ନିଶାସକ୍ତ ଅବସ୍ଥାରେ ଥିଲେ ଏବଂ ଗାଡ଼ି ଚଳାଉଥିବା ସମୟରେ ତାଙ୍କୁ ବାତ ମାରିବାରୁ ଏହି ଦୁର୍ଘଟଣା ଘଟିଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା କାରକୁ ଜବତ କରାଯିବା ସହିତ ଡ୍ରାଇଭରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।