ନୂଆପଡ଼ା : ସେ ଆଉ ଫେରିବେନି ... ଆଉ ତାକୁ କୋଳେଇ ନେବେନି... କାରଣ ସେ ତ ଆଉ ଏ ଦୁନିଆରେ ନାହାନ୍ତି । ତାଙ୍କୁ ଯିବାର 2ମାସ ବିତିଗଲାଣି। ହେଲେ ଲତାକୁ ବୁଝାଇବ କିଏ । ଆଜି ବି ଲତା ତାଙ୍କୁ ଭୁଲି ପାରୁନି। ସେମିତି ଝୁରି ହେଉଛି। ନୀଇତି ମଶାଣି ପାଖକୁ ଯାଉଛି। ସେଇଠି ବସି ଲୁହ ଗଡ଼ାଉଛି। ମନେ ମନେ କେତେ ଖୋଜୁଛି । କିନ୍ତୁ ନା ଲତା ପାଉନି ତାଙ୍କୁ । ସେ ଆସୁ ନାହାନ୍ତି କି ଲତାକୁ ଦେଖା ଦେଉ ନାହାନ୍ତି। ମଣିଷ ଓ ପୋଷା ଜୀବର ଏ ସଂପର୍କକୁ ବର୍ଣ୍ଣନା କରିହେବନି । ଏତେ ଭଲ ପାଇବା । ଏତେ ଅପାସୋରା । କଥା କହିପାରୁଥିବା ଜୀବଟି ତାର ମୁନୀବକୁ ଏମିତି ଝୁରିବାର ଚିତ୍ର ଦେଖିଲେ ନିର୍ଦ୍ଦୟର ଆଖିରେ ବି ଲୁହ ଜକେଇ ଆସିବ ।

ଏତେ ସବୁ କଥା ଶୁଣିବା ପରେ ଆପଣଙ୍କ ମନରେ ଆସୁଥିବ। କିଏ ଏହି ଚରିତ୍ର ଦୁହେଁ। କାହା ଭିତରେ ଏ ସଂପର୍କ। ଏ ସଂପର୍କ ନିଶ୍ଚିତ ନିଆରା। ପୋଷା କୁକୁର ଲତା ଓ ତାର ମାଲିକଙ୍କ କତା। ମାଲିକ ଚାଲିଗଲା ପରେ ତାକୁ ଝୁରି ହେଉଛି ତା'ର ପ୍ରିୟ ପାଳିତ କୁକୁର ଲତା । ଦିନେ କି ଦୁଇଦିନ ନୁହେଁ, ଦୀର୍ଘ ଦୁଇ ମାସ ହେଲାଣି ସେ ତା ମାଲିକଙ୍କୁ ଝୁରୁଛି । ସେ ପ୍ରତିଦିନ ଶ୍ମଶାନକୁ ଯାଇ ତା ମାଲିକଙ୍କ ସମାଧି ପାଖରେ ବସି ରହୁଛି । କେତେବେଳେ ଆଖିରୁ ଲୁହ ଗଡ଼ାଉଛି ତ ଆଉ କେତେବେଳେ ନିରବରେ ଚାହିଁ ରହୁଛି । ତାକୁ ଦେଖିଲେ ଲାଗେ ମାଲିକଙ୍କ ସହ ବିତାଇଥିବା ସେହି ସ୍ନେହଭରା ମୁହୂର୍ତ୍ତକୁ ଯେମିତି ସେ ଭୁଲି ପାରୁନି । ମଣିଷ ଓ ପାଳିତ ଜୀବଟିଏ ମଧ୍ୟରେ ଥିବା ନିଃସ୍ୱାର୍ଥପର ଭଲପାଇବାର ଏଭଳି ଏକ ହୃଦୟସ୍ପର୍ଶୀ ଦୃଶ୍ୟ ନୂଆପଡ଼ା ଜିଲ୍ଲା କୋମନା ବ୍ଲକ କୁରୁମପୁରୀ ଅଞ୍ଚଳରୁ ଆସିଛି ସାମ୍ନାକୁ ।

ଆଜିର ସ୍ୱାର୍ଥପର ଦୁନିଆରେ ପୁଅ- ବାପାର ନୁହେଁ। ସ୍ୱାମୀ- ସ୍ତ୍ରୀର ନୁହେଁ। ରକ୍ତ ସଂପର୍କ ବି ମୂଲ୍ୟହୀନ ହେଉଛି। ଅଥଚ ପାଳିତ ଜୀବଟିଏ ନିଜ ମାଲିକ ସହ ଅତିବାହିତ କରିଥିବା ସମୟକୁ କେବେ ଭୁଲେନାହିଁ । ମଣିଷ ଓ ବାକ୍ ଶକ୍ତିହୀନ ପ୍ରାଣୀର ସମ୍ପର୍କ କେବଳ ଆବଶ୍ୟକତାରେ ନ ହୋଇ ବିଶ୍ୱସ୍ତତାର ହୋଇଥାଏ । ମାଲିକ ଯେତେ ଦୂର ଚାଲିଗଲେ ମଧ୍ୟ ପାଳିତ ଜୀବନଟିର ଆଖିରେ ମାଲିକର ଚେହେରା ଛବି ହୋଇ ରହିଯାଏ । ଏମିତି କାହାଣୀ ଆମେ ଅନେକ ଶୁଣିଛେ , ଅନେକ ଫିଲ୍ମରେ ଦେଖିଛି। କିନ୍ତୁ ଏଠି ସେମିତି କିଛି ବାସ୍ତବ ଘଟଣାଟିଏ ଘଟିଛି ।

କୁରୁମପୁରୀ ବେଲମୁଡ଼ିଆ ପଡ଼ାର ଧନୁର୍ଯ୍ୟ ସେଠୀ। ଗତ ୧୧ସେପ୍ଟେମ୍ବରରେ ତାଙ୍କର ପରଲୋକ ଘଟିଲା। ବନ୍ଧୁବାନ୍ଧବ ନ ଥିବାରୁ ଝିଅ ଜ୍ୱାଇଁ ସାମାଜିକ ସଂଗଠନର ସ୍ୱେଚ୍ଛାସେବୀଙ୍କ ସହୟତା ନେଇ ଶବସତ୍କାର କରିଥିଲା। ତେବେ ମୃତ୍ୟୁର କିଛି ବର୍ଷ ଆଗରୁ ଧନୁର୍ଯ୍ୟ ଏକ ମାଈ ବୁଲା କୁକୁରକୁ ଖାଇବାକୁ ଦେଇଥିଲେ । ସେହିଦିନଠାରୁ କୁକୁରଟି ତାଙ୍କ ଘରେ ଆଶ୍ରୟ ନେଇଥିଲା । ଏକୁଟିଆ ରହୁଥିବା ଧନୁର୍ଯ୍ୟଙ୍କ ସେ ପାଲଟିଥିଲା ସାଥୀ। ଆଉ ସ୍ନେହରେ ସେ କୁକୁରଟିର ନାଁ ଦେଇଥିଲେ ‘ଲତା’ । ସେଇଠୁ ଆରମ୍ଭ ହୋଇଥିଲା ଦୁଇଜଣଙ୍କ ମଧ୍ୟରେ ବନ୍ଧୁତ୍ୱ । ଏକାଠି ଖାଉଥିଲେ, ସାଥି ହୋଇ ବୁଲୁଥିଲେ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ମାଲିକଙ୍କ ମୃତ୍ୟୁ ଘଟଣାକୁ ପ୍ରଥମେ ‘ଲତା’ ବୁଝି ପାରି ନ ଥିଲା । କିଛି ସମୟ ମାଲିକଙ୍କୁ ଉଠାଇବାକୁ ଚେଷ୍ଟା କଲା । ବିଫଳ ହେବା ପରେ ମୃତଦେହ ପାଖରେ ଦୀର୍ଘ ସମୟ ଧରି ବସି ରହିଥିଲା । ଯେତେବେଳେ ସ୍ୱେଚ୍ଛାସେବୀମାନେ ଶବକୁ କାନ୍ଧେଇ ସତ୍କାର କରିବାକୁ ନେଲେ କୁକୁରଟି ତାଙ୍କ ସାଙ୍ଗରେ ଯାଇଥିଲା । ଶ୍ମଶାନ ଘାଟରେ ଶବର ଚାରିପଟେ ବୁଲିଲା । ଏହାରି ଭିତରେ ଧନୁର୍ଯ୍ୟଙ୍କ ମୃତ୍ୟୁକୁ ବିତି ଯାଇଛି ୨ମାସ । ହେଲେ ‘ଲତା’ ତା’ର ମାଲିକଙ୍କୁ ଭୁଲିପାରିନି । ଯେଉଁଠାରେ ବୃଦ୍ଧଙ୍କ ଶବସତ୍କାର କରାଯାଇଛି, ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ସେଠାକୁ ଯାଉଛି ସେ । କିଛି ସମୟ ବସୁଛି । ଆଖିରୁ ଲୁହ ଗଡ଼ାଉଛି । ପୁଣି ଫେରି ଆସୁଛି । ଏହି ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Also Read- ମାଡ଼ିଆସୁଛି ବାତ୍ୟା ଅକଭନ୍‌ ! ଶକ୍ତିଶାଳୀ ରୂପ ନେଇ ଉତ୍ତର ଆନ୍ଧ୍ର–ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁଇବ

ମଣିଷର ଜୀବନରେ ସମ୍ପର୍କ ବଦଳିଯାଏ, ସମୟ ସହ ଅନେକ ସ୍ମୃତି ମଧ୍ୟ ଧୂସର ହୋଇଯାଏ । ହେଲେ ନିଃସ୍ୱାର୍ଥପର ସ୍ନେହ ଓ ବିଶ୍ୱାସର କୌଣସି ଭାଷା ନଥାଏ । ଧନୁର୍ଯ୍ୟ ଆଉ ଏ ଦୁନିଆରେ ନାହାନ୍ତି, କିନ୍ତୁ ଲତା ପାଇଁ ତାଙ୍କ ସ୍ମୃତି ଆଜି ବି ଜୀବନ୍ତ । ନିଜ ମାଲିକଙ୍କୁ ଝୁରି ଶ୍ମଶାନରେ ବସି ରହୁଥିବା ଲତା ଆଜି ସମସ୍ତଙ୍କ ଆଖିରେ ଲୁହ ଆଣିଦେଇଛି । ଆଉ ସେ ସମସ୍ତଙ୍କୁ ଜଣାଇଦେଇଛି ମଣିଷର ସାଥୀ ମଣିଷ ନୁହେଁ ପଶୁ ବି ହୋଇପାରେ। ଆଉ ସେ ଭଲପାଇବାରେ ନଥାଏ ଟିକେ ବି ଛଳନା କିମ୍ବା ସ୍ୱାର୍ଥ।